ନୂଆଦିଲ୍ଲୀ ୯।୮: ଦେଶରେ ଏବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ନିର୍ବାଚନ ଆୟୋଗଙ୍କ ବିରୋଧରେ ଆକ୍ରମକ ଅଭିଯାନ ଚଳାଇଛନ୍ତି। ସେ ସିଧାଶଳଖ ଆୟୋଗ ଓ ବିଜେପି ମଧ୍ୟରେ ଅସାଧୁ ସମ୍ପର୍କ ଅଭିଯୋଗ ଆଣୁଛନ୍ତି। ନିକଟରେ ସେ ଅଭିଯୋଗ କରିଥିଲେ ଯେ ‘ନିର୍ବାଚନ ଆୟୋଗ ମତାଧିକାର ଚୋରି କରୁଛନ୍ତି’। ଆୟୋଗ ମଧ୍ୟ ପାଲଟା ଆକ୍ରମଣ କରି ରାହୁଲଙ୍କୁ ପ୍ରମାଣ ଓ ଲିଖିତ ଅଭିଯୋଗ କରିବାକୁ କହିଛନ୍ତି। ଏଥି ମଧ୍ୟରେ ଆୟୋଗ ଦେଶର ୩୦୦ରୁ ଅଧିକ ଅଣ ମାନ୍ୟତା ପ୍ରାପ୍ତ ରାଜନୈତିକ ଦଳଙ୍କୁ ଛୁଟି କରିଦେଇଛନ୍ତି। ଦେଶର ନିର୍ବାଚନ ବ୍ୟବସ୍ଥାକୁ ସଫାସୁତୁରା ରଖିବାକୁ ଏହା ବଡ ପଦକ୍ଷେପ ମନେ କରାଯାଉଛି।
ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଶନିବାର ୩୪୫ପଞ୍ଜିକୃତ ଅଣ ମାନ୍ୟତା ପ୍ରାପ୍ତ ରାଜନୈତିକ ଦଳ (ଆରୟୁପିପି)ଙ୍କୁ ତାଲିକାରୁ ବାହାର କରିଦେଇଛନ୍ତି। ଏହି ସବୁ ପାର୍ଟି ୨୦୧୯ରୁ ଏପର୍ଯ୍ୟନ୍ତ ଅର୍ଥାତ ଗତ ୬ ବର୍ଷରେ ଗୋଟିଏ ବି ନିର୍ବାଚନ ଲଢିବା ପାଇଁ ଆବଶ୍ୟକ ମାନଦଣ୍ଡ ପୂରଣ କରିବାରେ ବିଫଳ ହୋଇଛନ୍ତି। ସେମାନଙ୍କ କାର୍ଯ୍ୟାଳୟ ମଧ୍ୟ ପଞ୍ଜିକୃତ କାଗଜପତ୍ରରେ ଦର୍ଶାଯାଇଥିବା ଠିକଣାରେ ନାହିଁ।
ଆୟୋଗ ଏକ ବୟାନରେ କହିଛନ୍ତି ’ସମସ୍ତ ତଥ୍ୟ ଓ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀମାନଙ୍କ ସୁପାରିଶକୁ ବିଚାର କରିବା ପରେ ଆୟୋଗ ୩୩୪ ପାର୍ଟିଙ୍କୁ ସୂଚୀରୁ ବାହାର କରିଦେଇଛନ୍ତି।’ ଏବେ ମୋଟ ୨୮୫୪ ଆରୟୁପିପି ମଧ୍ୟରୁ ୨୫୨୦ଟି ପାର୍ଟି ରହିଛନ୍ତି। ଏଥିରେ କୁହାଯାଇଛି ଯେ ଏହି ଆରୟୁପିପି ଜନପ୍ରତିନିଧିତ୍ୱ ଆଇନ ୧୯୫୧ର ଧାରା ୨୯(ବି) ଓ ଧାରା ୨୯(ସି) ତଥା ନିର୍ବାଚନ ଚିହ୍ନ (ଆରକ୍ଷଣ ଏବଂ ଆବଣ୍ଟନ) ଆଦେଶ ୧୯୬୮ର ପ୍ରାବଧାନ ଅନୁସାରେ କୌଣସି ଲାଭ ପାଇବା ପାଇଁ ପାତ୍ର ହୋଇ ପାରିବେନି। ଏହି ଆଦେଶରେ ଅସନ୍ତୁଷ୍ଟ ଯେ କୌଣସି ଦଳ ୩୦ ଦିନ ମଧ୍ୟରେ ଆୟୋଗରେ ଅପିଲ କରିପାରିବେ।
ଉଲ୍ଲେଖଯୋଗ୍ୟ ଯେ ସୂଚୀରୁ ଆରୟୁପିପିଙ୍କୁ ହଟାଇବା ନିର୍ବାଚନ ଆୟୋଗଙ୍କ ବ୍ୟାପକ ରଣନୀତିର ଅଂଶବିଶେଷ। ଏହି ଦଳ ମାନଙ୍କୁ ଏଥି ପାଇଁ ହଟାଇ ଦିଆଯାଉଛି ଯେ ଏମାନେ ଏବେ ଅପ୍ରାସଙ୍ଗିକ ହୋଇପଡିଛନ୍ତି ଓ କେବଳ କାଗଜ କଲମରେ ମହଜୁଦ ଅଛନ୍ତି। ନିର୍ବାଚନ ଆୟୋଗ ଜୁନ ୨୦୨୫ରେ ଏହି ମିସନ ହାତକୁ ନେଇଥିଲେ ଓ କେନ୍ଦ୍ର ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଉପରୋକ୍ତ ସର୍ତ୍ତ ପାଳନ ସମ୍ପର୍କରେ ୩୪୫ ଆରୟୁପିପିଙ୍କ ସତ୍ୟାପନ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ।
ସମ୍ବଦ୍ଧିତ ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କ ରିପୋର୍ଟରେ ମୋଟ ୩୩୫ରୁ ୩୩୪ ଆରୟୁପିପି ସର୍ତ୍ତ ପାଳନ କରୁନଥିବା ଦେଖାଯାଇଥିଲା। ଏଥି ପାଇଁ ସିଇଓମାନେ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରିଥିଲେ। ପ୍ରତ୍ୟେକଙ୍କୁ ଜବାବ ଦେବାକୁ ଓ ନିଜର ପକ୍ଷ ରଖିବାକୁ ଅବସର ଦିଆଯାଇଥିଲା। ଏବେ ନିର୍ବାଚନ ଆୟୋଗରେ ୬ ଜାତୀୟ ଦଳ, ୬୭ଟି ରାଜ୍ୟସ୍ତରୀୟ ଦଳ ସମେତ ୨୮୫୪ଟି ଆରୟୁପିପି ପଞ୍ଜିକୃତ ଅଛନ୍ତି।