କଳାହାଣ୍ଡି: ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ କାଣ୍ଡାମା ଗାଁର ବୃଦ୍ଧ ରଘୁ ପାତ୍ର ନିଖୋଜ ଘଟଣା। ଘଟଣାର ତଦନ୍ତକ୍ରମେ ସନ୍ଧାନୀ କୁକୁର ସହାୟତାରେ ଦୁଇ ଜଣକୁ ଧରିଲା ପୋଲିସ। ସେମାନେ ହେଲେ ନରେଶ ଦୋରା ଓ ସୁଶାନ୍ତ ହରିଜନ । ଉଭୟଙ୍କୁ ଅଟକ ରଖି ଏହା ପରେ ନରେଶକୁ ପଚରାଉଚୁରା କରିବା ସମୟରେ ନରେଶ ଦୋରା ରଘୁଙ୍କୁ ହତ୍ୟା କରି ବାଇକ ଯୋଗେ ଶବକୁ ନେଇ ଦହିଖାଲ ନିକଟ ରେଳ ଧାରଣାରେ ଫିଙ୍ଗି ଦେଇଥିବା ସ୍ୱୀକାର କରିଛି l
ସୂଚନା ଅନୁଯାୟୀ, ଅଭିଯୁକ୍ତ ନରେଶର ବାପା ଦୁଶାସନ ଦୋରାଙ୍କ ମାସେ ତଳେ ମୃତ୍ୟୁ ହୋଇଥିଲା। ହେଲେ ତାଙ୍କ ପରିବାରଲୋକ ସନ୍ଦେହ କରୁଥିଲେ ମୃତ ରଘୁ ଗୁଣି କରିଥିବାରୁ ଦୁଶାସନଙ୍କ ମୃତ୍ୟୁ ହୋଇଛି। ସେଇଦିନଠୁ ରଘୁଙ୍କ ଉପରେ ରାଗ ରଖିଥିଲା ନରେଶ l
ଏହାରି ମଧ୍ୟରେ ୧ ମାସ ବିତିଯାଇଥିଲା। ଏହାରି ମଧ୍ୟରେ ଦିନେ ସନ୍ଧ୍ୟାରେ କୌଣସି କାମରେ ରଘୁ ନିକଟସ୍ଥ ବଣ୍ଡେଲ ଗାଁକୁ ଯାଇ ଫେରୁଥିବାବେଳେ ନିଛାଟିଆ ଜାଗା ଦେଖି ଆକ୍ରମଣ କରିଥିଲା ନରେଶ। ଆଉ ହତ୍ୟା ପରେ ଶବକୁ ରେଳଧାରଣାରେ ଫିଙ୍ଗିଦେଇଥିଲା।
ହେଲେ ତଦନ୍ତବେଳେ ସନ୍ଧାନୀ କୁକୁର ତାକୁ ଧରେଇ ଦେଇଛି। ଆଉ ପୋଲିସ ନରେଶଠାରୁ ପାଇ ରାୟଗଡ଼ା ରେଳବାଇ ପୁଲିସର ଜିମାରେ ଥିବା ଶବ ଉଦ୍ଧାର କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି l ଅପରପକ୍ଷରେ ଏହି ଘଟଣାରେ ସାମିଲ ଥିବା ଅଭିଯୋଗରେ ନରେଶ ସହିତ ତାର ଭାଇ ଭୋଳା ଦୋରା, ତାର ଦୁଇବନ୍ଧୁ ସୁଶାନ୍ତ ଓ ପ୍ରଦୀପ ହରିଜନଙ୍କୁ ଅଟକ ରଖି ପଚରାଉଚରା କରୁଛି l