ଆଗ୍ରା : ଉତ୍ତର ପ୍ରଦେଶର ଆଗ୍ରାରେ ତାଜମହଲ ପରିସରରେ ଏକ ଆଶ୍ଚର୍ଯ୍ୟକର ଓ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ପଶ୍ଚିମୀ ଗେଟ୍ ପାର୍କିଂରେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଗୋଟିଏ ବନ୍ଦ କାର ଭିତରୁ ଉଦ୍ଧାର କରାଯାଇଛି। କାର ଭିତରେ ତାଙ୍ପୋକର ହାତଗୋଡ଼କୁ ପୋଷାକରେ ବାନ୍ଧି ଦିଆ ଯାଇଥିଲା। ଭୀଷଣ ଗରମ ଓ ଆଦ୍ରତା କାରଣରୁ ତାଙ୍କର ସ୍ଥିତି ଗୁରୁତର ଥିଲା।
ଯେତେବେଳେ ଆଗ୍ରାରେ ତାଜମହଲର ପାର୍କିଂରେ ଡ୍ୟୁଟି କରୁଥିବା ଜଣେ ଗାର୍ଡ଼, ସନ୍ଦେହଜନକ ସ୍ଥିତିରେ ଏକ କାର ପାର୍କିଂ କରିଥିବା ଦେଖିଥିଲେ, ସେତେବେଳେ ଘଟଣାଟି ସେହି ସମୟରେ ସାମ୍ନାକୁ ଆସିଥିଲା। ସେ ଯେତେବେଳେ କାର ଭିତରକୁ ଚାହିଁଲେ, ସେତେବେଳେ ସେ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ବେହୋସ ଅବସ୍ଥାରେ ପଡ଼ି ଥିବାର ଦେଖିଲେ। ତାଙ୍କ ହାତ ଏବଂ ଗୋଡ ବନ୍ଧା ହୋଇଥିଲା, ଯାହା ଘଟଣାକୁ ଆହୁରି ସନ୍ଦେହଜନକ କରିଥିଲା। ଗାର୍ଡ ତୁରନ୍ତ ଅନ୍ୟ କର୍ମଚାରୀଙ୍କ ସାହାଯ୍ୟ ନେଇ ଥିଲେ ଏବଂ କାର୍ର କାଚ ଭାଙ୍ଗି ବୟସ୍କ ବ୍ୟକ୍ତିଙ୍କୁ ବାହାରକୁ ବାହାର କରିଥିଲେ।
ସେହି ବୟସ୍କ ବ୍ୟକ୍ତିଙ୍କ ବାହାରକୁ ଆଣି ପାଣି ପିଇବାକୁ ଦିଆଗଲା , କିନ୍ତୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଏତେ ଖରାପ ଥିଲା ଯେ, ସେ କିଛି କହିବା ସ୍ଥିତିରେ ନଥିଲେ। ଆମ୍ୱୁଲାନ୍ସରେ ତାଙ୍କୁ ହସ୍ପିଟାଲ ନିଆ ଯାଇଛି, ଯେଉଁଠି ତାଙ୍କର ସ୍ଥିତି ଗୁରୁତର ଥିବା କୁହାଯାଉଛି। ଅନେକ ରିପୋର୍ଟ୍ସରେ ଦାବି କରାଯାଉଛି ଯେ, ତାଙ୍କୁ କାରରେ ବନ୍ଦ କରି ପରିବାର ଲୋକେ ତାଜମହଲ ଦେଖିବାକୁ ଚାଲି ଯାଇଥିଲେ।
ଘଟଣାର ପ୍ରତ୍ୟକ୍ଷଦର୍ଶୀ ଓ ସ୍ଥାନୀୟ ଟୁରିଷ୍ଟ ଗାଇଡ୍ ମହମ୍ମଦ ଅସଲମ କହିଛନ୍ତି ଯେ,କାରରେ ବୟସ୍କ ବ୍ୟକ୍ତି ବନ୍ଦ ଥିଲେ, ସେ କିଛି ବି କହି ପାରୁ ନଥିଲେ। ତାଙ୍କ ଗୋଡ ବନ୍ଧା ଥିଲା ଏବଂ ସ୍ଥିତି ଖୁବ୍ ଚିନ୍ତାଜନକ ଥିଲା।
କହି ରଖୁଛୁ କି, କାରରେ ମହାରାଷ୍ଟ୍ରର ନମ୍ୱର ପ୍ଲେଟ୍ ଅଛି ଏବଂ ମହାରାଷ୍ଟ୍ର ସରକାରର ଷ୍ଟିକର ମଧ୍ୟ ଲାଗିଥିଲା। କାର ଉପରେ ଯାତ୍ରୀଙ୍କ ଜନିଷ ମଧ୍ୟ ବନ୍ଧା ହୋଇ ଥିଲା, ଯେଉଁଥିରୁ ଏହା ସନ୍ଦେହ କରାଯାଉଛି ଯେ, କୌଣସି ପରିବାର ମହାରାଷ୍ଟ୍ରରୁ ଆଗ୍ରା ବୁଲିବାକୁ ଆସିଥିଲା ଏବଂ କୌଣସି କାରଣରୁ ଏହି ବୟସ୍କ ବ୍ୟକ୍ତିଙ୍କୁ କାରରେ ବନ୍ଦ କରି ଦେଇ ଥିଲେ।
ଇନ୍ସପେକ୍ଟର କୁନୱର ସିଂହ ସ୍ପଷ୍ଟ କରିଛନ୍ତି ଯେ, ପ୍ରାରମ୍ଭିକ ଭାବେ ଏହି ମାମଲା ଅବହେଳା କିମ୍ୱା ସମ୍ୱେଦନହୀନତା ଯୋଗୁଁ ଘଟିଥିବା ମନେହେଉଛି। ପୁଲିସ ଏବେ କାର ମାଲିକ ଓ ଘଟଣାର ପୂରା ଯାଞ୍ଚରେ ଲାଗି ପଡ଼ିଛି।