Greenland News: ଯଦି ଆଗକୁ ନିଆଁ ଲାଗିବାର ଅଛି, ତେବେ ଏବେ ହିଁ ଘର ଜାଳି ଦିଅ: ଆମେରିକାକୁ ଫ୍ରାନ୍ସର କଡ଼ା ଚେତାବନୀ

NEWS7
eknath-shindes-health-deteriorates-medical-team-rushes-to-satara

ନୂଆଦିଲ୍ଲୀ: ଗ୍ରୀନଲାଣ୍ଡକୁ ନେଇ ଆମେରିକା ଜିଦି ଛାଡ଼ୁ ନଥିବାରୁ ଏହାର ସହଯୋଗୀ ରାଷ୍ଟ୍ରମାନଙ୍କ ସହ ଏହାର ସମ୍ପର୍କ ଖରାପ ହେବାରେ ଲାଗିଲାଣି। ଆମେରିକାର ଘନିଷ୍ଠ ସହଯୋଗୀ ଫ୍ରାନ୍ସ ଏବେ ସିଧା ସିଧା ଟ୍ରମ୍ପଙ୍କର ମଜା ଉଡ଼ାଉଛି। ଆମେରିକାର ଅର୍ଥମନ୍ତ୍ରୀ ସ୍କଟ୍ ବେସେଣ୍ଟଙ୍କ ଯୁକ୍ତି ଉପରେ ପ୍ରତିକ୍ରିୟା ଦେଇ ଫ୍ରାନ୍ସ ଉପହାସ କରିଛି।ରବିବାର ଏକ ଇଣ୍ଟରଭ୍ୟୁରେ ବେସେଣ୍ଟ ଟ୍ରମ୍ପଙ୍କର ଗ୍ରୀନଲାଣ୍ଡ ମହତ୍ୱକାଂକ୍ଷାକୁ ସମର୍ଥନ କରିଥିଲେ। ଏବଂ କହିଥିଲେ ଭବିଷ୍ୟତରେ ଆର୍କିଟିକ ରିଜନରେ ଋଷ ଆକ୍ରମଣର ବିପଦକୁ ଟ୍ରମ୍ପ ଗୁରୁତ୍ୱ ଦେଉଛନ୍ତି। ସେ କହିଥିଲେ “ ଭବିଷ୍ୟତରେ ଆର୍କଟିକ୍ ପାଇଁ ଲଢ଼େଇ ହେବା ନିଶ୍ଚିତ... ଆମେ ଆମର ନାଟୋ ଗ୍ୟାରେଣ୍ଟି ରଖିବୁ। ଏବଂ ଯଦି ରୁଷିଆରୁ, ଅନ୍ୟ କୌଣସି ଅଞ୍ଚଳରୁ ଗ୍ରୀନଲ୍ୟାଣ୍ଡ ଉପରେ ଆକ୍ରମଣ ହୁଏ, ତେବେ ଆମେ ଏଥିରେ ସାମିଲ ହୋଇଯିବୁ।”

ବେସେଣ୍ଟ ଆହୁରି କହିଥିଲେ “ ତେଣୁ ଏବେ ଭଲ ହେବ। ବଳ ପ୍ରୟୋଗ କରି ଶାନ୍ତି ଆଣ। ଏହାକୁ(ଗ୍ରୀନଲାଣ୍ଡ) ଆମେରିକାର ଅଂଶ ବନାଅ। ଆଉ ଏଥିରେ କୌଣସି ଲଢ଼େଇ ହେବ ନାହିଁ। କାରଣ ଆମେରିକା ଏବେ ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ ଆମେ ଦୁନିଆର ସବୁଠାରୁ ମଜଭୁତ ଦେଶ। ୟୁରୋପିୟନ ଦୁର୍ବଳତା ଦେଖାନ୍ତି, ଆଉ ଆମେରିକା ଶକ୍ତି ଦେଖାଏ। ”

ବେସେଣ୍ଟଙ୍କର ଏଭଳି ଦାଦାଗିରି ଇଙ୍ଗିତରେ ଫ୍ରାନ୍ସ ପକ୍ଷରୁ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଆମେରିକାକୁ ଉପହାସ କରି ଏକାଧିକ ଟ୍ୱିଟ୍ କରିଛି ଫ୍ରାନ୍ସ ବୈଦେଶିକ ମନ୍ତ୍ରଣାଳୟ। ମନ୍ତ୍ରମାଳୟ ଟ୍ୱିଟ୍ କରି ଲେଖିଛି “ଯଦି କୌଣସି ଦିନ ନିଆଁ ଲାଗିଲା, ତେବେ ଅଗ୍ନିଶମବାହୀନୀ ଦଖଲ ଦେବେ। ତେଣୁ ଭଲ ହେବ ଯେ ଏବେ ଠାରୁ ହିଁ ଘର ଜାଳିଦିଅ। ଯଦି କୌଣସି ଦିନ ଶାର୍କ ଆଟାକ୍ କରିବ, ତେବେ ଉଦ୍ଧାର କରାଯିବ, ତେଣୁ ଭଲ ହେବ ଯେ ଏବେ ଠାରୁ ଲାଇଫଗାର୍ଡକୁ ଖାଇଦିଅ। ଯଦି କୌଣସି ଦୁର୍ଘଟଣା ହୋଇଗଲା ତେବେ କ୍ଷତି ହେବ। ତେଣୁ ଭଲ ଏବେ ଯେ ଏବେ ହିଁ କାର୍କୁ ଟକ୍କର ମାରିଦିଅ।”

ଫାଇନାନ୍ସିଆଲ୍ ଟାଇମ୍ସ ରିପୋର୍ଟ ଅନୁସାରେ ଗ୍ରୀନଲାଣ୍ଡ କବ୍ଜାକୁ ନେଇ ଫ୍ରାନ୍ସର ଅର୍ଥମନ୍ତ୍ରୀ ରୋଲାଣ୍ଡ ଲେସ୍କ୍ୟୁର ଆମେରିକାକୁ ଚେତାବନୀ ଦେଇଛନ୍ତି। ଗ୍ରୀନଲ୍ୟାଣ୍ଡର ନିୟନ୍ତ୍ରଣରେ ନେବାକୁ ଯେକୌଣସି ପଦକ୍ଷେପ ୟୁରୋପୀୟ ସଂଘ ଏବଂ ୱାଶିଂଟନ ମଧ୍ୟରେ ବାଣିଜ୍ୟ ଏବଂ ଅର୍ଥନୈତିକ ସମ୍ପର୍କକୁ ବିପଦରେ ପକାଇବ ବୋଲି ସେ କହିଛନ୍ତି।

ବେସେଣ୍ଟଙ୍କ ଭଳି ଲେସ୍କ୍ୟୁର ମଧ୍ୟ କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି “ଗ୍ରୀନଲ୍ୟାଣ୍ଡ ହେଉଛି ଏକ ସାର୍ବଭୌମ ଦେଶର ଏକ ସାର୍ବଭୌମ ଅଂଶ ଯାହା ଇୟୁରୋପିୟନ ୟୁନିୟନର ଅଂଶ। ଏହାକୁ ହରଡ଼ଘଣାରେ ପକାଇବା ଉଚିତ୍ ନୁହେଁ।”

ଏହାସତ୍ତ୍ୱେ ବି ୟୁରୋପ ଆମେରିକା ସହିତ ସହଯୋଗୀରେ କାମ କରିବାର ଆବଶ୍ୟକତାର ହିଛି ବୋଲି ଲେସ୍କ୍ୟୁର କହିଛନ୍ତି। ୨୭ ଦେଶ ସମ୍ବଳିତ ୟୁରୋପ ଆମେରିକା ସହିତ ବହୁଳ ପରିମାଣରେ ବ୍ୟବସାୟ କରେ। ଆଉ ଆମେରିକା ହେଉଛି ୟୁରୋପ ରପ୍ତାନୀର ସବୁଠାରୁ ବଡ଼ ବଜାର। ଆଉ ଏବେ ଟ୍ରମ୍ପଙ୍କର ଶୁଳ୍କ ଯୋଗୁ ୟୁରୋପ ବଜାର କ୍ଷତିଗ୍ରସ୍ତ ହୋଇପାରେ।