ନୂଆଦିଲ୍ଲୀ ୨୧।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ କଡ଼ା ଟାରିଫ ନୀତି ଲାଗି ଏବେ ସାରା ବିଶ୍ୱକୁ ଦୋହଲାଉଛନ୍ତି। ହେଲେ ଆମେରିକା ଏବେ ସାମାନ୍ୟ ଅଣ୍ଡା ପାଇଁ ବାରଦୁଆର ଶୁଣ୍ଢିପିଣ୍ଢା ହେଉଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେତେବେଳେ ବିଶ୍ୱ ବଜାର ଉପରେ ନିଜର ସର୍ତ୍ତ ଥୋପିବା ଆରମ୍ଭ କଲେ ସେତେବେଳେ ହୁଏତ କେହି ଭାବିନଥିବେ ଏହି ସୁପର ପାୱାର ନିଜର ମୌଳିକ ଆବଶ୍ୟକତା ପାଇଁ ଛୋଟଛୋଟ ଦେଶଙ୍କ ଦୁଆରେ ଛିଡା ହେବ। ଏବେ ସେହି ପରିସ୍ଥିତି ଉପୁଜିଛି।
ଆମେରିକାରେ ଅଣ୍ଡା ସଂକଟ ଏବେ ଗୁରୁତର। ଏଥି ପାଇଁ ତାକୁ ୟୁରୋପର ଛୋଟ ଛୋଟ ଦେଶଙ୍କ ଆଗରେ ହାତ ପାତିବାକୁ ପଡୁଛି। ବାର୍ଡ ଫ୍ଲୁ ଯୋଗୁ ଆମେରିକା ଲକ୍ଷଲକ୍ଷ କୁକୁଡା ମରାଯାଇଛି। ଏଣୁ ଅଣ୍ଡା ଯୋଗାଣ ଗୁରୁତର ପ୍ରଭାବିତ ହୋଇଛି। ଏବେ ପରିସ୍ଥିତି ଏପରି ହୋଇଛି ଯେ ଖାଇବା ଥାଳିରେ ଭରପୁର ରହୁଥିବା ଅଣ୍ଡା ଏବେ ଆମେରିକାରେ ବିଳାଶମୟ ସାମଗ୍ରୀରେ ପରିଣତ ହୋଇଛି। ସଂକଟ ଏତେ ଗୁରୁତର ହୋଇଛି ଯେ ଆମେରିକା ଏବେ ଅଣ୍ଡା ପାଇଁ ଲିଥୁଆନିୟା ନିକଟରେ ହାତ ପାତିଛି।
ଗତ ୨ ମାସ ହେଲା ଘରୋଇ ଅଣ୍ଡା ସଂକଟ ଯୋଗୁ ଆମେରିକା ଅନେକ ଦେଶକୁ ମୁହାଁଇଛି। ଏହାର ମୁଖ୍ୟ କାରଣ ହେଉଛି ବାର୍ଡ ଫ୍ଲୁ। କୁକୁଡା ନଥିବା ବେଳେ ଅଣ୍ଡା ବା ଆସିବ କୁଆଡୁ। ଏଣୁ ଦେଶରେ ଅଣ୍ଡା ଦର ଏବେ ଆକାଶ ଛୁଉଁଛି। ଡେନମାର୍କ ପତ୍ରିକା ‘ଏଗ୍ରି ୱାଚ୍’ ଅନୁସାରେ ଆମେରିକା ଅଣ୍ଡା ପାଇଁ ପ୍ରଥମେ ଫିନଲ୍ୟାଣ୍ଡ, ଡେନମାର୍କ, ସ୍ୱିଡେନ ଓ ନେଦରଲ୍ୟାଣ୍ଡ ସହିତ ସମ୍ପର୍କ କରିଥିଲା। ଏବେ ତାଜା ରିପୋର୍ଟ ଅନୁସାରେ ଲିଥୁଆନିୟା ସହିତ ସମ୍ପର୍କ କରିଛି।
ଲିଥୁଆନିୟା ପଲେଟ୍ରି ଆସୋସିଏସନ ମୁଖ୍ୟ ଗାଇଟିସ୍ କାଉଜୋନ୍ସଙ୍କ ଅନୁସାରେ ଆମେରିକାର ୱାରସା ଦୂତାବାସ ଲିଥୁଆନିୟାରୁ ଅଣ୍ଡା ରପ୍ତାନୀ ସମ୍ଭାବନା ଉପରେ ଚର୍ଚ୍ଚା କରିଛି। ଏହି ଖବର ଉପରେ ୟୁରୋପର ସୋସିଆଲ ମିଡିଆ ୟୁଜର ଆମେରିକାର ଢେର ପରିହାସ କରିଛନ୍ତି। କେତେକ ଏହାକୁ ଟ୍ରମ୍ପଙ୍କ କୂଟନୀତି ଓ ଅହଂକାର ବ୍ୟାପାର ନୀତିର ପରିଣାମ ବୋଲି କହିଛନ୍ତି। ତେବେ ବାସ୍ତବତା ହେଉଛି ଆମେରିକାରେ ଅଣ୍ଡା ଅଭାବ ଏବେ ଗୁରୁତର ରୂପ ଧାରଣ କରିଛି। ଯଦି ଏହି ସଂକଟ ଲାଗି ରହିଲା ତେବେ ଆମେରିକା ସରକାରଙ୍କୁ ଛୋଟଛୋଟ ଦେଶଙ୍କ ନିକଟରେ ହାତ ପତେଇବାକୁ ପଡିବ।