୫୮ କୋଟି ଟଙ୍କାର ଅବୈଧ ଆୟ... ରବର୍ଟ ଭଦ୍ରାଙ୍କ ବିରୋଧରେ ଜମି ଘୋଟାଲା ଯାଞ୍ଚରେ ଇଡିର ବଡ଼ ଖୁଲାସା

Published By : Prameya-News7 Bureau | August 10, 2025 IST

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ଏବଂ ବ୍ୟବସାୟୀ ରବର୍ଟ ଭଦ୍ରାଙ୍କ ବିରୋଧରେ ମନିଲଣ୍ଡରିଂ ମାମଲା ରୁଜୁ ହୋଇଛି। ମାମଲା ଗୁରୁଗ୍ରାମର ଶିକୋହପୁରରେ ଏକ ଜମି କିଣାବିକାରେ ହୋଇଥିବା ଠକେଇ ସହ ଜଡ଼ିତ। ଇଡି କହିଛି ଏହି ଡିଲ୍‌ରୁ ୫୮ କୋଟି ଟଙ୍କାର ଅବୈଧ ଆୟ ହୋଇଛି। ଏହି ଆୟକୁ ପରେ ଅନେକ ସମ୍ପତ୍ତିରେ ଲଗାଯାଇଛି। ଏହି ଟଙ୍କା ଦୁଇ ଭିନ୍ନ ଭିନ୍ନ ଉତ୍ସରୁ ଆସିଥିଲା। ୫ କୋଟି ଟଙ୍କା ବିବିଟିପିଏଲ ଦ୍ବାରା ଏବଂ ୫୩ କୋଟି ଟଙ୍କା ଏସଏଲଏଚପିଏଲ ଦ୍ବାରା ପଠାଯାଇଥିଲା।

ଏହି ମାମଲା ମନିଲଣ୍ଡରିଂ ଆଇନର ଅନେକ ଧାରା ଅନୁଯାୟୀ ରୁଜୁ ହୋଇଛି। ଏଥିରେ ଅଭିଯୁକ୍ତଙ୍କ ପାଇଁ ୩ରୁ ୭ ବର୍ଷ ଜେଲ ଦଣ୍ଡ ଏବଂ ଭୁଲ୍ ଉପାୟରେ ଆୟ ସମ୍ପତ୍ତିକୁ ଜବତ କରିବାକୁ ଦାବି କରାଯାଇଛି। ଏହି ମାମଲାର ଶୁଣାଣି ପିଏମଏଲଏମ ଅନୁଯାୟୀ ନାମିତ ଏକ ବିଶେଷ ଅଦାଲତ କରିବ।

ରର୍ବଟ ଭଦ୍ରାଙ୍କ ଉପରେ ତିନିଟି ମାମଲା ରୁଜୁ ହୋଇଛି। ପ୍ରଥମ ଅଭିଯୋଗ ଜୁଲାଇ ୧୭ରେ ଦାଖଲ କରାଯାଇଥିଲା। ତେବେ ଏନେଇ ରବର୍ଡ ଭଦ୍ରାଙ୍କ କାର୍ଯ୍ୟାଳୟ ଏକ ବିବୃତ୍ତିରେ କହିଛି ଯେ, ଏହି କାର୍ଯ୍ୟାନୁଷ୍ଠାନ ବର୍ତ୍ତମାନ ସରକାରଙ୍କ ତରଫରୁ ରାଜନୈତିକ ଶତ୍ରୁତା କାରଣରୁ କରାଯାଉଛି।

ଏନଡିଟିଭିର ଏକ ରିପୋର୍ଟ ଅନୁସାରେ, ଅଭିଯୋଗ ପତ୍ରରେ କୁହାଯାଇଛି ଯେ, ଏହି ମାମଲା ହରିୟାଣା ପୋଲିସ ଦ୍ବାରା ୨୦୧୮ ସେପ୍ଟେମ୍ବରରେ ରୁଜୁ ହୋଇଥିବା ଏଫଆଇଆର ସହ ଜଡ଼ିତ। ଏଥିରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡା ଏବଂ ଡିଏଲ୍‌ଏଫ୍‌ ଲିମିଟେଡର ନାଁ ମଧ୍ୟ ରହିଛି।

ଅଭିଯୋଗରେ ଠକେଇ, ଜାଲିଆତି, ଆପରାଧିକ ଷଡ଼ଯନ୍ତ୍ର ଏବଂ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ଅପରାଧ ସାମିଲ ରହିଛି। ଇଡି ୨୦୧୮ ଡିସେମ୍ବରରେ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା। ଯାଞ୍ଚ ଏଜେନ୍ସୀ ଅନୁସାରେ  ଏସଏଲଏଚପିଏଲ ଓଁକାରେଶ୍ବର ପ୍ରପର୍ଟିଜରୁ ୩.୫ ଏକର ଜମି ୭.୫କୋଟି ଟଙ୍କାରେ କିଣିଥିଲା। ଏହି ସୂଚନା ବିକ୍ରି ପତ୍ରରେ ରହିଛି। ଅବଶ୍ୟ ପ୍ରକୃତରେ ୧୫ କୋଟି ଟଙ୍କାରେ ଡିଲ୍‌ ହୋଇଥିଲା।

ରବର୍ଟ ଭାଦ୍ରା କହିଛନ୍ତି ତାଙ୍କ ବିରୋଧରେ ଅଭିଯୋଗ ରାଜନୈତିକ ଭାବରେ ପ୍ରେରିତ। ସେ କହିଛନ୍ତି ସରକାର ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ଏହି ମାମଲା କୋର୍ଟରେ ଅଛି ଏବଂ ତଦନ୍ତ ଚାଲିଛି। ରବର୍ଟ ଭାଦ୍ରା ଦୋଷୀ କି ନାହିଁ ତାହା କୋର୍ଟରେ ନିଷ୍ପତ୍ତି ନିଆଯିବ। ତେବେ ଏହି ପୂରା ମାମଲାରେ ଅନେକ ପ୍ରଶ୍ନ ଉଠୁଛି। ଜମି ଡିଲରେ ପ୍ରକୃତରେ କୌଣସି ଅନିୟମିତତା ହୋଇଥିଲା କି? ଏହି ଡିଲରୁ ପ୍ରାପ୍ତ ଟଙ୍କା ମନିଲଣ୍ଡରିଂ ପାଇଁ ବ୍ୟବହୃତ ହୋଇଥିଲା କି? ଏହି ପ୍ରଶ୍ନଗୁଡ଼ିକର ଉତ୍ତର ତଦନ୍ତ ଏବଂ କୋର୍ଟରେ ହିଁ ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.