'ଇଡି ସମସ୍ତ ସୀମା ଅତିକ୍ରମ କରୁଛି': ଓକିଲଙ୍କୁ ସମନ କରିବା ଉପରେ ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ

Published By : Prameya-News7 Bureau | July 22, 2025 IST

ନୂଆଦିଲ୍ଲୀ: ED ସମସ୍ତ ସୀମା ଅତିକ୍ରମ କରୁଛି। କ୍ଲାଏଣ୍ଟଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲମାନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ସମନ କରିବା ଉପରେ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ। କୋର୍ଟ ଏହି ସମ୍ପର୍କରେ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି। ଆଇନଗତ ବୃତ୍ତିର ସ୍ୱାଧୀନତା ଉପରେ କୋର୍ଟ ଦ୍ୱାରା ଆରମ୍ଭ ହୋଇଥିବା ଶୁଣାଣି ସମୟରେ ଏହି ଟିପ୍ପଣୀ ଦେଇଛନ୍ତି ପ୍ରଧାନ ବିଚାରପତି ବି. ଆର. ଗଭାଇ ଏବଂ ବିଚାରପତି କେ. ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ।

ବରିଷ୍ଠ ଓକିଲ ଅରବିନ୍ଦ ଦାତାର ଏବଂ ପ୍ରତାପ ଭେନୁଗୋପାଳଙ୍କୁ ଇଡି ସମନ କରିବା ପରେ କୋର୍ଟଙ୍କ ଏହି ମନ୍ତବ୍ୟ ଆସିଛି। ପ୍ରଧାନ ବିଚାରପତି କହିଛନ୍ତି, "ଜଣେ ଓକିଲ ଏବଂ କ୍ଲାଏଣ୍ଟଙ୍କ ମଧ୍ୟରେ ଯୋଗାଯୋଗ ଏକ ବିଶେଷାଧିକାରପ୍ରାପ୍ତ କମ୍ୟୁନିକେସନ। ସେମାନଙ୍କ ବିରୋଧରେ ନୋଟିସ କିପରି ଜାରି କରାଯାଇପାରିବ ? ସେମାନେ ସମସ୍ତ ସୀମା ଅତିକ୍ରମ କରୁଛନ୍ତି।"

ସୁପ୍ରିମ କୋର୍ଟକୁ କୁହାଯାଇଥିଲା ଯେ ବରିଷ୍ଠ ଓକିଲ ଅରବିନ୍ଦ ଦାତାରଙ୍କ ଭଳି ବଡ଼ ନାମଙ୍କୁ ED ନୋଟିସ୍ ଜାରି କରିଛି। ଏହା ଆଇନଗତ ବୃତ୍ତି ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ଏ ସମ୍ପର୍କରେ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯିବା ଉଚିତ।"

ଆଟର୍ଣ୍ଣି ଜେନେରାଲ ଆର. ଭେଙ୍କଟରମଣି ଏବଂ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ଏହି ପ୍ରସଙ୍ଗକୁ ସର୍ବୋଚ୍ଚ ସ୍ତରରେ ଉଠାଯାଇଛି ଏବଂ ତଦନ୍ତକାରୀ ସଂସ୍ଥାକୁ ଆଇନଗତ ପରାମର୍ଶ ଦେବା ପାଇଁ ଓକିଲମାନଙ୍କୁ ନୋଟିସ୍ ଜାରି ନକରିବାକୁ କୁହାଯାଇଛି। ସଲିସିଟର ଜେନେରାଲ କହିଛନ୍ତି, "ଆଇନଗତ ପରାମର୍ଶ ଦେବା ପାଇଁ ଓକିଲମାନଙ୍କୁ ସମନ କରାଯାଇପାରିବ ନାହିଁ।" ତଥାପି, ସେ କହିଛନ୍ତି ଯେ ମିଥ୍ୟା କାହାଣୀ ତିଆରି କରି ପ୍ରତିଷ୍ଠାନଗୁଡ଼ିକୁ ବଦନାମ କରିବାର ପ୍ରୟାସ କରାଯାଉଛି।

ଓକିଲମାନେ ଦୃଢ଼ ଭାବରେ କହିଛନ୍ତି ଯେ ଓକିଲମାନଙ୍କୁ ସମନ କରିବା, ବିଶେଷକରି ଆଇନଗତ ପରାମର୍ଶ ଦେବା ପାଇଁ ଏକ ବିପଦପୂର୍ଣ୍ଣ ଉଦାହରଣ ସୃଷ୍ଟି କରୁଛି। ଯଦି ଏହା ଜାରି ରହେ, ତେବେ ଏହା ଓକିଲମାନଙ୍କୁ ସଚ୍ଚୋଟ ଏବଂ ସ୍ୱାଧୀନ ପରାମର୍ଶ ଦେବାରୁ ନିବୃତ୍ତ କରିବ। ଜଣେ ଓକିଲ କହିଛନ୍ତି। ସେ କହିଛନ୍ତି ଯେ ଜିଲ୍ଲା କୋର୍ଟରେ ମଧ୍ୟ ଓକିଲମାନଙ୍କୁ ଅଯଥା ହଇରାଣ କରାଯାଉଛି। ଆଟର୍ଣ୍ଣି ଜେନେରାଲ ଏହାକୁ ସ୍ୱୀକାର କରିଛନ୍ତି। କହିଛନ୍ତି, "ଯାହା ଘଟୁଛି ତାହା ନିଶ୍ଚିତ ଭାବରେ ଭୁଲ।" 

ପ୍ରଧାନ ବିଚାରପତି କହିଛନ୍ତି ଯେ ଏପରି ରିପୋର୍ଟ ଦ୍ୱାରା କୋର୍ଟ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି। ତଥାପି, ସଲିସିଟର ଜେନେରାଲ ଗଣମାଧ୍ୟମ ରିପୋର୍ଟ ଉପରେ ଆଧାରିତ ମତାମତ ଉପରେ ସତର୍କ କରାଇଛନ୍ତି। ପ୍ରତିଷ୍ଠାଗୁଡ଼ିକୁ ଟାର୍ଗେଟ କରିବା ପାଇଁ ଏକ ସୁଚିନ୍ତିତ ପ୍ରୟାସ କରାଯାଉଛି ଆଇନ ଅଧିକାରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.