ସୁପ୍ରିମକୋର୍ଟକୁ ପହଞ୍ଚିଲା ନିର୍ବାଚନ ଆୟୋଗଙ୍କ ବିହାର ଭୋଟର ସୂଚୀ ପୁନରୀକ୍ଷଣ ମାମଲା, ତତ୍କାଳ ରୋକ ଲଗାଇବାକୁ ଦାବି

Published By : Prameya-News7 Bureau | July 05, 2025 IST

ନୂଆଦିଲ୍ଲୀ ୫।୭: ଆସୋସିଏସନ ଅଫ ଡେମୋକ୍ରାଟିକ୍ ରିଫର୍ମ (ଏଡିଆର) ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ବିହାର ଭୋଟର ଲିଷ୍ଟର ବିଶେଷ ଗହନ ପୁନରୀକ୍ଷଣ (ଏସଆଇଆର) ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି। ସମ୍ବିଧାନର ଅନୁଚ୍ଛେଦ ୩୨ ଅନୁସାରେ ରୁଜୁ ଜନସ୍ୱାର୍ଥ ମାମଲାରେ ଇସିଆଇଙ୍କ ଏସଆଇଆର ନିଷ୍ପତ୍ତି ଉପରେ ତୁରନ୍ତ ରୋକ ଲଗାଇବାକୁ ଦାବି କରାଯାଇଛି।   

ଆବେଦନରେ କୁହାଯାଇଛି ଯେ ନିର୍ବାଚନ ଆୟୋଗ ନାଗରିକତା ସାବ୍ୟସ୍ତ କରିବା ପାଇଁ ଏପରି ନଥିପତ୍ର ଚାହୁଁଛନ୍ତି, ଯେଉଁଥି ପାଇଁ ଅନୋକ ଭୋଟର ଭୋଟଦାନରୁ ବଞ୍ଚିତ ହୋଇପାରନ୍ତି। ଏହା ସହିତ ଆୟୋଗଙ୍କ ନିଷ୍ପତ୍ତି ସମ୍ବିଧାନର ଅନୁଚ୍ଛେଦ ୧୪, ୧୯, ୨୧, ୩୨୫ ଓ ୩୨୬ର ଉଲ୍ଲଂଘନ କରୁଛି । କେବଳ ଏତିକି ନୁହେଁ ଆୟୋଗଙ୍କ ନିଷ୍ପତ୍ତି ଜନ ପ୍ରତିନିଧି ଆଇନ ୧୯୫୦ର ଧାରା ୨୧(ଏ) ଓ ଭୋଟର ପଞ୍ଜିକରଣ ଆଇନ ୧୯୬୦ର ବିରୋଧାଚରଣ କରୁଛି। ଯେଉଁଥିରେ ପୂର୍ବରୁ ଥିବା ଭୋଟରଙ୍କୁ ଏବେ ନାଗରିକତାର ପ୍ରମାଣ ଦେବାକୁ ପଡୁଛି। 

ତେବେ ସବୁଠୁ ଚିନ୍ତାର କାରଣ ଯାହା ତାହା ହେଉଛି ଆୟୋଗ ଆଧାରକାର୍ଡ, ରେସନ କାର୍ଡ ଓ ଅନ୍ୟ ନଥିପତ୍ରକୁ ପ୍ରମାଣ ଭାବେ ଗ୍ରହଣ ନକରିବା । ଇସିଆଇଙ୍କ ଏହି ନିଷ୍ପତ୍ତି କାରଣରୁ ରାଜ୍ୟର କୋଟି କୋଟି ଗରିବ ଲୋକେ ଭୋଟ ଦାନରୁ ବଞ୍ଚିତ ହେବେ। ଏଡିଆର ପକ୍ଷରୁ କରାଯାଇଥିବା ନିବେଦନରେ କୁହାଯାଇଛି ଯେ ଭୋଟର ସୂଚୀର ବିଶେଷ ଗହନ ପୁନରୀକ୍ଷଣ କରିବା ପାଇଁ ନିଷ୍ପତ୍ତିର ଦୃଢ କାରଣ ମଧ୍ୟ ଜଣାଇ ନାହାନ୍ତି। 

ଜନପ୍ରତିନିଧିତ୍ୱ ଆଇନ ୧୯୫୦ର ଧାରା ୨୧(୩) ଅନୁସାରେ ନିର୍ବାଚନ ଆୟୋଗଙ୍କୁ ମଜଭୁତ କାରଣ ଆଧାରରେ ବିଶେଷ ପୁନରୀକ୍ଷଣ କରିବାର ଅଧିକାର ରହିଛି। ହେଲେ ବିହାର ବିଧାନସଭା ନିର୍ବାଚନ ପାଇଁ ଆୟୋଗ କୌଣସି ମଜଭୁତ କାରଣ ଦର୍ଶାଇ ନାହାନ୍ତି। ଆବେଦନରେ କୁହାଯାଇଛି ଯେ ନିର୍ବାଚନ ଆୟୋଗ ଅକ୍ଟୋବର ୨୦୨୪ରୁ ଜାନୁୟାରୀ ୨୦୨୫ ପର୍ଯ୍ୟନ୍ତ ଭୋଟର ସୂଚୀର ଆଂଶିକ ସମୀକ୍ଷା କରିଥିଲେ ଓ ଏଥିରେ ସେପରି ବଡ଼ ଧରଣର ତ୍ରୁଟି ବିଚ୍ୟୁତି ସାମ୍ନାକୁ ଆସିନଥିଲା। 

ଏଣୁ ବିହାର ବିଧାନସଭା ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ବିଶେଷ ଅଭିଯାନ ଚଳାଇବାର ନିଷ୍ପତ୍ତି ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆବେଦନରେ କୁହାଯାଇଛି ଯେ ବିହାର ଭଳି ରାଜ୍ୟରେ ଏତେ କମ ସମୟରେ ଭୋଟର ଲିଷ୍ଟର ଗହନ ପୁନରୀକ୍ଷଣ କରିବା ସମ୍ଭବ ନୁହେଁ। ଏହା ଛଡା ଏପରି ନିଷ୍ପତ୍ତି ଯୋଗୁ ଅନେକ ଭୋଟର ଭୋଟଦାନରୁ ବଞ୍ଚିତ ହୋଇ ପାରନ୍ତି। ଏଣୁ ଆବେଦନରେ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ଉପରେ ତୁରନ୍ତ ରୋକ ଲଗାଇବାକୁ ନିବେଦନ କରାଯାଇଛି। 

ବିହାରରେ ଦାରିଦ୍ର୍ୟତା ଓ ପ୍ରବାସୀ ଶ୍ରମିକ ଏକ ବଡ଼ ପ୍ରସଙ୍ଗ। ଏହା ଛଡା ରାଜ୍ୟର ଏକ ବିଶାଳ ଜନସଂଖ୍ୟା ପାଖରେ ଜନ୍ମ ପ୍ରମାଣ ପତ୍ର ଅଥବା ନିଜ ମାତା-ପିତାଙ୍କ ରେକର୍ଡ ଭଳି ଆବଶ୍ୟକ କାଗଜପତ୍ର ନାହିଁ। ଏଣୁ ଶୀର୍ଷ ନ୍ୟାୟାଳୟଙ୍କୁ ତତ୍କାଳ ଏହି ମାମଲାରେ ଦଖଲ ଦେବା ସହ ଆୟୋଗଙ୍କ ନିଷ୍ପତ୍ତି ଉପରୋ ରୋକ ଲଗାଇବାକୁ ନିବେଦନ କରାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.