କଟକର ପୁରାତନ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ନିର୍ମାଣ ନିୟମାବଳୀ, ୪୩ ପୁରାତନ ଓ୍ବାର୍ଡରେ କାର୍ଯ୍ୟକାରୀ ହେବ ନିୟମ

NEWS7
earthquake-jolts-in-telangana

କଟକ: ଐତିହାସିକ କଟକ ସହରର କୋର୍ ଅଞ୍ଚଳ ବା ପୁରାତନ ବସ୍ତିଗୁଡ଼ିକର ବିକାଶ ପାଇଁ ଏକ ସ୍ୱତନ୍ତ୍ର ନିୟମାବଳୀ ବୁଧବାର ଠାରୁ କାର୍ଯ୍ୟକାରୀ ହୋଇଛି। କଟକ ଉନ୍ନୟନ କର୍ତ୍ତୃପକ୍ଷ (CDA) ପକ୍ଷରୁ 'ପ୍ଲାନିଂ ଆଣ୍ଡ ବିଲଡିଂ ଷ୍ଟାଣ୍ଡାର୍ଡ ରେଗୁଲେସନ ଫର୍ ଓଲ୍ଡ ଏରିଆଜ୍, ୨୦୨୬' ସମ୍ପର୍କିତ ଗେଜେଟ୍ ବିଜ୍ଞପ୍ତି ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି।

ଏହି ନୂତନ ନିୟମାବଳୀ କଟକର ୪୩ଟି ପୁରାତନ ୱାର୍ଡରେ ଏହି ନିୟମ କାର୍ଯ୍ୟକାରୀ ହେବ। ଏଥିରେ ପୁରାତନ ଅଞ୍ଚଳର ସଂକୀର୍ଣ୍ଣ ରାସ୍ତା ଓ ଛୋଟ ଜମିକୁ ଦୃଷ୍ଟିରେ ରଖି ଓଡ଼ିଶା ବିକାଶ କର୍ତ୍ତୃପକ୍ଷ (ODA) ନିୟମ-୨୦୨୦କୁ କୋହଳ କରାଯାଇଛି। କ୍ଷୁଦ୍ର ଆବାସିକ ପ୍ଲଟ୍ ପାଇଁ ସର୍ବନିମ୍ନ ରାସ୍ତାର ଓସାର ୪.୫ ମିଟରକୁ ହ୍ରାସ କରାଯାଇଛି। ଅଣ-ଉଚ୍ଚତା ବହୁଳ (Non-high-rise) କୋଠା ନିର୍ମାଣ କ୍ଷେତ୍ରରେ ସେଟବ୍ୟାକ୍ ନିୟମକୁ ଯୁକ୍ତିଯୁକ୍ତ କରାଯାଇଥିବା ବେଳେ 'ଫ୍ଲୋର୍ ଏରିଆ ରେସିଓ' (FAR)କୁ ମଧ୍ୟ ପୁନଃ ନିର୍ଦ୍ଧାରଣ କରାଯାଇଛି।

ତେବେ ଏହି ନିୟମାବଳୀ ଦ୍ଵାରା କଟକର ଐତିହ୍ୟକୁ ବଜାୟ ରଖିବା ସହିତ ଆଧୁନିକ ଜୀବନଶୈଳୀ ପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରାଯିବ। ବିଶେଷ କରି ଛୋଟ ଜମି ଉପରେ ଗୃହ ନିର୍ମାଣ କରୁଥିବା ବ୍ୟକ୍ତିମାନେ ଏହାଦ୍ୱାରା ଉପକୃତ ହେବେ।ଏହା ସହରର ଭିଡ଼ ନିୟନ୍ତ୍ରଣ କରିବା ସହ ପାର୍କିଂ ସମସ୍ୟାର ସମାଧାନ ଏବଂ ବେଆଇନ ନିର୍ମାଣକୁ ବୈଧ କରିବା ପ୍ରକ୍ରିୟାକୁ ସହଜ କରିବ।"କଟକର ସାଂସ୍କୃତିକ ପରିଚୟକୁ ସୁରକ୍ଷିତ ରଖିବା ସହ ବାସିନ୍ଦାଙ୍କୁ ଉତ୍ତମ ବାସସ୍ଥାନ ଯୋଗାଇଦେବା ଦିଗରେ ଏହି ଗେଜେଟ୍ ବିଜ୍ଞପ୍ତି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।"