ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ୨୦% ଇଥାନଲ୍ ମିଶ୍ରଣ କରି ପ୍ରସ୍ତୁତ E20 ଇନ୍ଧନ ଗାଡ଼ିରେ ଭଲ ପିକଅପ୍ ଦେବା ସହ ଅଙ୍ଗାରକାମ୍ଲ ନିର୍ଗମନକୁ ୩୦% ହ୍ରାସ କରେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ବୟାନ ଏକ ସମୟରେ ଆସିଛି ଯେତେବେଳେ ଏହି ଇନ୍ଧନର ବ୍ୟବହାରକୁ ନେଇ ଭିନ୍ନ ଭିନ୍ନ ମହଲରେ ଚିନ୍ତା ପ୍ରକାଶ କରାଯାଉଛି ।
୨୦% ଇଥାନଲ୍-ମିଶ୍ରିତ ପେଟ୍ରୋଲ୍ (E20) ପ୍ରଚଳନକୁ ନେଇ ବଢ଼ୁଥିବା ସମାଲୋଚନା ମଧ୍ୟରେ, କେନ୍ଦ୍ର ସରକାର ମଙ୍ଗଳବାର ଏହାକୁ ଦୃଢ଼ ଭାବରେ ସମର୍ଥନ କରିଛନ୍ତି । ସରକାର ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏହି ପରିବର୍ତ୍ତନ କେବଳ ପ୍ରଦୂଷଣ ହ୍ରାସ କରିବ ନାହିଁ ଏବଂ ତୈଳ ଆମଦାନୀକୁ ବି ହ୍ରାସ କରିବ । E10 ଇନ୍ଧନ ତୁଳନାରେ ପ୍ରାୟ ୩୦% କମ୍ କାର୍ବନ ନିର୍ଗମନ କରିବ ।
ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ସ୍ୱୀକାର କରିଛି ଯେ କିଛି ଗାଡି ଚାଳକ ମାଇଲେଜ୍ କମିବା ଓ ଇଞ୍ଜିନକୁ କ୍ଷତି ପହଞ୍ଚାଇବା ନେଇ ଆଶଂକା ପ୍ରକାଶ କରୁଛନ୍ତି । ତେବେ ମନ୍ତ୍ରଣାଳୟ କହିଛି ୨୦୨୦ରେ ଏଭଳି ଚିନ୍ତା ଓ ଆଶଂକା ପ୍ରକାଶ ପାଇଥିଲା । ସରକାର ଓ ନୀତି ଆୟୋଗଙ୍କ ଆନ୍ତଃ ମନ୍ତ୍ରୀ ସ୍ତରୀୟ କମିଟି ଏହା ଉପରେ ବିସ୍ତୃତରେ ଯାଞ୍ଚ କରିଥିଲେ । ମନ୍ତ୍ରଣାଳୟ ଅନୁସାରେ, ମାଇଲେଜ୍ କେବଳ ଇନ୍ଧନର ପ୍ରକାର ଉପରେ ନୁହେଁ, ବରଂ ଅନ୍ୟ କାରଣ ଉପରେ ବି ନିର୍ଭର କରିଥାଏ-ଯେପରି କି ଡ୍ରାଇଭିଂ କରିବା ଶୈଳୀ, ଗାଡ଼ିର ରକ୍ଷଣାବେକ୍ଷଣ, ଟାୟାର ପ୍ରେସର, ଏଲାଇନ୍ମେଣ୍ଟ ଓ ଏୟାର କଣ୍ଡିସନିଂର ଲୋଡ୍ ।
ନୀତି ଆୟୋଗର ଏକ ଅଧ୍ୟୟନ ଅନୁଯାୟୀ, ଆଖୁରୁ ତିଆରି ଇଥାନଲ୍ ଗ୍ରୀନହାଉସ୍ ଗ୍ୟାସ୍ ନିର୍ଗମନକୁ ୬୫% ଏବଂ ମକାରୁ ତିଆରି ଇଥାନଲ୍ ୫୦% ହ୍ରାସ କରିଥାଏ । ସରକାର ଦାବି କରୁଛନ୍ତି ଯେ ଏହା ଦ୍ୱାରା ଗ୍ରାମୀଣ ଅର୍ଥନୀତି ଅଧିକ ଲାଭବାନ ହୋଇଛି । ଚାଷୀଙ୍କ ଆୟ ବୃଦ୍ଧି ପାଇଛି, ଯାହା ଆତ୍ମହତ୍ୟା ମାମଲାକୁ ହ୍ରାସ କରିଛି ।
୧୧ ବର୍ଷ ମଧ୍ୟରେ E20 ପେଟ୍ରୋଲରୁ କ’ଣ ଲାଭ ହୋଇଛି?
୧,୪୪.୦୮୭ କୋଟି ଟଙ୍କାର ବୈଦେଶିକ ମୁଦ୍ରା ସଞ୍ଚୟ
ଅଶୋଧିତ ତୈଳ ଆମଦାନୀ ୨୪୫ ଲକ୍ଷ ମେଟ୍ରିକ୍ ଟନ୍ ହ୍ରାସ ପାଇଛି
ଅଙ୍ଗାରକାମ୍ଳ ନିର୍ଗମନରେ ୭୩୬ ଲକ୍ଷ ମେଟ୍ରିକ୍ ଟନ୍ ହ୍ରାସ
୨୦୨୫ ମସିହାରେ ଚାଷୀମାନଙ୍କୁ ୪୦ ହଜାର କୋଟି ଟଙ୍କାର ପେମେଣ୍ଟ
୨୦୨୫ ମସିହାରେ ୪୩ ହଜାର କୋଟି ଟଙ୍କାର ବୈଦେଶିକ ମୁଦ୍ରା ସଞ୍ଚୟ
ବ୍ରାଜିଲରେ E27 ବ୍ୟବହାର କରାଯାଉଛି
ସରକାର କହିଛନ୍ତି ଯେ E20ର ଆକ୍ଟେନ୍ ସଂଖ୍ୟା (୧୦୮.୫) ପେଟ୍ରୋଲ୍ (୮୪.୪) ଅପେକ୍ଷା ଅଧିକ, ଯାହା ଯାନବାହନକୁ ଭଲ ପିକଅପ୍ ଏବଂ ଭଲ୍ୟୁମେଟ୍ରିକ୍ ଏଫିସିଏନ୍ସି ପ୍ରଦାନ କରେ । ବ୍ରାଜିଲର ଉଦାହରଣ ଦେଇ ସରକାର କହିଛନ୍ତି ଯେ ୨୭% ଇଥାନଲ୍ (E27) ଯୁକ୍ତ ଇନ୍ଧନ ସେଠାରେ ବହୁ ବର୍ଷ ଧରି ବିନା କୌଣସି ସମସ୍ୟାରେ ବ୍ୟବହାର କରାଯାଉଛି ଏବଂ ଭାରତ ପରି ଗାଡ଼ି କମ୍ପାନୀଗୁଡ଼ିକ ସେଠାରେ ବିକ୍ରି କରନ୍ତି ।