ଭାରତରେ ପ୍ରଥମ ଥର ମୋବାଇଲ ଦ୍ୱାରା ହେଲା E-Voting, ଜାଣନ୍ତୁ କିଏ ଦେଲେ ପ୍ରଥମ ଭୋଟ ?

Published By : Prameya-News7 Bureau | June 29, 2025 IST

ପାଟନା ୨୯।୬: ବିଧାନସଭା ନିର୍ବାଚନ ପୂର୍ବରୁ ବିହାରରେ ମତଦାନର ପ୍ରକାର ବଦଳି ଯାଇଛି। ବିହାର ଏକ ଐତିହାସିକ ପଦକ୍ଷେପ ନେଇ ଭାରତରେ ପ୍ରଥମ ଥର ପାଳିକା ନିର୍ବାଚନରେ ମୋବାଇଲ ଫୋନ ଆଧାରିତ ଇ-ଭୋଟିଂ ସୁବିଧା ଆରମ୍ଭ କରିଛି। ୨୮ ଜୁନ ଶନିବାର ହୋଇଥିବା ଏହି ଉପ ନିର୍ବାଚନରେ ପୂର୍ବ ଚମ୍ପାରଣ ଜିଲ୍ଲାର ବିଭା କୁମାରୀ ମୋବାଇଲ ଫୋନ ମାଧ୍ୟମରେ ଭୋଟ ଦେବାରେ ଦେଶର ପ୍ରଥମ ମହିଳା ଭୋଟର ପାଲଟିଛନ୍ତି। 

ଏହି ଉପଲବ୍ଧିକୁ ରାଜ୍ୟ ନିର୍ବାଚନ ଆୟୋଗ ସୋସିଆଲ ମିଡିଆ ଏକ୍ସ ରେ ସେୟାର କରି ଏହାକୁ ‘ସୁବିଧା, ସୁରକ୍ଷା ସଶକ୍ତ ଭାଗିଦାରୀ’ର ପ୍ରତୀକ ବୋଲି କହିଛନ୍ତି। ରାଜ୍ୟ ନିର୍ବାଚନ କମିଶନ ଦୀପକ ପ୍ରସାଦ ସୂଚନା ଦେଇ କହିଛନ୍ତି ଯେ ମୋବାଇଲ ଆଧାରିତ ଇ-ଭୋଟିଂ ନିମନ୍ତେ ପାତ୍ର ଭୋଟରଙ୍କ ମଧ୍ୟରୁ ୭୦.୨୦% ଏହି ନୂଆ ପ୍ରଣାଳୀ ମାଧ୍ୟମରେ ଭୋଟ ଦେଇଛନ୍ତି। ଏହି ସମୟରେ ୫୪.୬୩% ଭୋଟର ପାରମ୍ପରିକ ମତଦାନ ପ୍ରକ୍ରିୟାରେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। 

ସେ କହିଛନ୍ତି ଇ-ଭୋଟିଂ ବିଶେଷ କରି ସେହି ଭୋଟରଙ୍କ ନିମନ୍ତେ ଲାଭଜନକ ଯେଉଁମାନେ କୌଣସି କାରଣରୁ ଭୋଟ ଦାନ କେନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚି ପାରିବେ ନାହିଁ। ଯେପରିକି ବୟଷ୍କ, ଦିବ୍ୟାଙ୍ଗ, ଗର୍ଭବତୀ ଓ ପ୍ରବାସୀ ତେବେ ଏହି ସୁବିଧା କେବଳ ସେହି ଭୋଟରଙ୍କୁ ଦିଆଯାଇଛି ଯେଉଁମାନଙ୍କ ନାମ ପ୍ରଥମରୁ ଭୋଟର ଲିଷ୍ଟରେ ଥିଲା। ୬ଟି ପଞ୍ଚାୟତ ଓ ନଗର ପାଳିକାରେ ହୋଇଥିବା ଉପନିର୍ବାଚନରେ ମୋଟ ୬୨.୪୧% ମତଦାନ ହୋଇଛି। ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମୋଟ ୪୮୯ଟି ଭୋଟ ଗ୍ରହଣ କେନ୍ଦ୍ରରେ ଏହି ନିର୍ବାଚନ ସମ୍ପନ୍ନ ହୋଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.