ପାଟକୁରାକୁ ନେଇ ବିଜେଡି-ଅରବିନ୍ଦ ମୁହାଁମୁହିଁ, ଜାଣନ୍ତୁ ନବୀନଙ୍କୁ ଜବାବରେ କଣ କହିଲେ ବିଜୟଙ୍କ ପୁଅ

NEWS7
driver-police-face-to-one-sub-inspector-injured

ଭୁବନେଶ୍ଵର: ଦିନକ ତଳେ ନାଁ ନନେଇ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ କାହିଁକି ବିଜେଡିରୁ ବିଦା କରାଗଲା ତା’ର କାରଣ କହିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କହିଥିଲେ, ଯିଏ ପାଟକୁରା ଲୋକଙ୍କୁ ହଇରାଣ କରୁଥିଲେ, ତାଙ୍କୁ ଦଳରୁ ସସପେଣ୍ଡ କରାଯାଇଛି । ଆଜି ନବୀନଙ୍କ ଟାର୍ଗେଟର ଜବାବ୍ ରଖିବାକୁ ସାମ୍ନାକୁ ଆସିଥିଲେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର । କହିଥିଲେ ମୋ ଉପରେ ଦଳ ପକ୍ଷରୁ ଅଭିଯୋଗ ପରେ ଅଭିଯୋଗ ଲଗାଯାଉଛି । ହେଲେ ପ୍ରକୃତରେ କ’ଣ ପାଇଁ ମୋତେ ଦଳରୁ ନିଲମ୍ବନ କରାଗଲା ସେକଥା ସ୍ପଷ୍ଟ ହେଉନି । ପାଟକୁରାବାସୀଙ୍କ ସମର୍ଥନ ମୋ ସହିତ ଅଛି।

ନବୀନଙ୍କ ସ୍ପଷ୍ଟୀକରଣ ପରେ ସାମ୍ନାକୁ ଆସିଲେ ଅରବିନ୍ଦ । ବିଜେଡି ପକ୍ଷରୁ ତାଙ୍କ ଉପରେ ଲଗାଯାଇଥିବା ଆରୋପର ରଖିଲେ ଜବାବ୍ । ଗତ ୧୫ ତାରିଖରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଏବଂ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବନ କରିଥିଲା ବିଜେଡି । ଏହାକୁ ନେଇ ଦଳ ଭିତରେ ଓ ଦଳ ବାହାରେ ଅନେକ ବୟାନବାଜି ହୋଇଥିଲା । ଏସବୁ ଭିତରେ ଦିନକ ତଳେ ନାଁ ନେଇ ପାଟକୁରା ବିଧାୟକଙ୍କୁ ଦଳରୁ ସସପେଣ୍ଡ କରାଯାଇଥିବାର କାରଣ କହିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ନବୀନ କହିଥିଲେ ଯେ, ଯାହାଙ୍କୁ ମୁଁ ବିଶ୍ବାସ କରି ପାଟକୁରାର ଦାୟିତ୍ବ ଦେଇଥିଲି, ଯାହାଙ୍କୁ ଲୋକଙ୍କ ସେବା କରିବାର ସୁଯୋଗ ଦେଇଥିଲି, ହେଲେ ସେ ତାହା କଲେ ନାହିଁ । ଓଲଟା ପାଟକୁରାବାସୀଙ୍କୁ ହଇରାଣ କଲେ । ଯିଏ ଲୋକଙ୍କୁ ହଇରାଣ କରନ୍ତି ତାଙ୍କୁ ମୁଁ ଦଳରୁ କାଢ଼ିଦିଏ ବୋଲି କହିଥିଲେ ନବୀନ । ଏଥି ସହ ନବୀନ କହିଥିଲେ ଯେ, ବିଜେଡି ସବୁ ବେଳେ ଲୋକଙ୍କ ସେବାରେ ବିଶ୍ବାସ କରେ। ଲୋକଙ୍କ ସ୍ବାର୍ଥ ବିରୋଧରେ କାମ କରୁଥିବା ବ୍ୟକ୍ତି ଯେତେ ଶକ୍ତି ଶାଳୀ ହେଲେ ବି ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରାଯିବ ।

ନବୀନଙ୍କ ସ୍ପଷ୍ଟୀକରଣର ଦିନକ ପରେ ଅର୍ଥାତ୍ ଆଜି ସାମ୍ନାକୁ ଆସିଥିଲେ ପାଟକୁରା ବିଧାୟକ ତଥା ବରିଷ୍ଠ ରାଜନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର । ଅରବିନ୍ଦ କହିଛନ୍ତି ଯେ, ମୁଁ ଆଶ୍ଚର୍ଯ୍ୟ । ଜାନୁଆରୀ ୧୫ ସନ୍ଧ୍ୟାରେ ମୋତେ ନିଲମ୍ବନ କରାଗଲା । କାରଣ ଦର୍ଶାଗଲା ଦଳ ବିରୋଧୀ କାର୍ଯ୍ୟ ପାଇଁ । ତା’ପରେ କୁହାଗଲା ବିଶ୍ବାସଘାତକତା କରିଛି। ତାପରେ ମିଡ ଡେ’ ଅପରେସନ କଥା କୁହାଗଲା । କାଲି କୁହାଗଲା ପାଟକୁରାବାସୀଙ୍କୁ ହଇରାଣ କରୁଥିଲି। ଅଭିଯୋଗ ଏତିକି ନା ଆଉ କିଛି ଅଛି ?

ଅରବିନ୍ଦ କହିଛନ୍ତି, ପାଟକୁରାବାସୀଙ୍କ ସମର୍ଥନ ମୋ ସହିତ ଅଛି। ନବୀନ ବାବୁଙ୍କୁ ଏ ତଥ୍ୟ କିଏ ଦେଉଛି ? କେଉଁ କେଉଁ ବିଧାୟକଙ୍କୁ ନେଇ ଗ୍ରୁପିଜିମ୍ କରିଥିଲି କୁହନ୍ତୁ । ବିଜୟ ମହାପାତ୍ରଙ୍କୁ ଘଟଣାରେ ଟଣା ନଯାଉ। ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ ପାଇଁ ମୁଁ କେବେ ଯୋଜନା କରିନାହିଁ। ଏହା ମିଛ କଥା। ନବୀନ ବାବୁଙ୍କୁ ଗତ ଡିସେମ୍ବରରେ ଭେଟିଥିଲି। ନବୀନ ବାବୁ ମତେ ପଚାରିଥିଲେ ଯେ, ହାଓ ଇଜ୍ ୟୋର୍ ଫାଦର ? ସେତେବେଳେ କାହିଁକି ନବୀନ ବାବୁ ମତେ କହିଲେନି। ସାମ୍ନା ସାମ୍ନି ଆସି କ୍ୟାମେରା ଆଗରେ ଆଲୋଚନା କରିବାକୁ ଆହ୍ଵାନ ଦେଉଛି। ମୋ ବିରୋଧରେ ଯେତିକି ବି ଅଭିଯୋଗ କରୁଛନ୍ତି ସେ ସବୁ ପ୍ରମାଣିତ କରନ୍ତୁ ବୋଲି କହିଛନ୍ତି ଅରବିନ୍ଦ ମହାପାତ୍ର

ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିଜେଡିର ଦୁଇ ବିଧାୟକଙ୍କୁ ଦଳରୁ ନିଲମ୍ବନକୁ ନେଇ ଚର୍ଚ୍ଚା ଥମୁନଥିବା ବେଳେ ପାଟକୁରା ନିର୍ବାଚନ ମଣ୍ଡଳୀକୁ ନେଇ ବିଜେଡି ଓ ଅରବିନ୍ଦ ମୁହାଁମୁହିଁ ହୋଇଛନ୍ତି । ସେପଟେ ପାଟକୁରାରେ ମଧ୍ୟ ବିଜେଡି ଦୁଇ ଫାଳ ହୋଇଥିବା ଚର୍ଚ୍ଚା ହେଉଛି ।