ଆମେରିକା ବଜାରକୁ ଡିପ୍‌ସିକ୍ ଝଟ୍‌କା, କାଢିନେଲେ ଲକ୍ଷେ କୋଟି ଡଲାର

Published By : Prameya-News7 Bureau | January 29, 2025 IST

ନୂଆଦିଲ୍ଲୀ ୨୯/୦୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ନିଜ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ ଯାଇ ଅନ୍ୟ ଦେଶଗୁଡ଼ିକ ପ୍ରତି କଠୋର ଆଭିମୁଖ୍ୟ ଆପଣାଇଛନ୍ତି । କହିଛନ୍ତି, ନିଜ ଦେଶବାସୀଙ୍କୁ ଆମେ ଧନୀ ବନାଇବୁ ଏବଂ ଅନ୍ୟ ଦେଶ ଉପରେ ଟାରିଫ୍‌ କଷିବୁ । ଆମେରିକାର ଫ୍ଲୋରିଡା ପ୍ରଦେଶରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଟ୍ରମ୍ପ୍‌ କହିଛନ୍ତି, ଭାରତ, ଚୀନ୍‌ ଓ ବ୍ରାଜିଲ ଭଳି ଦେଶଗୁଡ଼ିକ ଉପରେ ମୋଟା ଅଙ୍କର ଟାରିଫ୍‌ ଲଗାଇବୁ । 

ସେମାନେ ଆମ ଉତ୍ପାଦ ଉପରେ ଅଧିକ ଟିକସ ନେଉଛନ୍ତି । ଏବେ ଆମେ ସେମାନଙ୍କଠାରୁ ଅଧିକ ଟିକସ ଅସୁଲ କରିବୁ । ଟ୍ରମ୍ପ୍‌ କହିଛନ୍ତି, ଯେଉଁମାନେ ଆମେରିକାକୁ କ୍ଷତି ପହଞ୍ଚାଉଛନ୍ତି, ଆମେ ସେମାନଙ୍କ ପ୍ରତି କଠୋର ନୀତି ଆପଣାଇବୁ । ଆମ ପାଇଁ ଅନ୍ୟ ଦେଶଗୁଡ଼ିକ କ’ଣ କରୁଛନ୍ତି, ତାହା ସାରା ବିଶ୍ୱ ଦେଖୁଛି । ଚୀନ୍‌ ଆମ ଉତ୍ପାଦ ଉପରେ ଅତ୍ୟଧିକ ଟିକସ ଲଗାଉଛି । ସେହିଭଳି ଭାରତ, ବ୍ରାଜିଲ ଓ ଅନ୍ୟ ଦେଶଗୁଡ଼ିକ ମଧ୍ୟ ଏଭଳି କରୁଛନ୍ତି । 

ଆମେ ଆଉ ତାହା କରାଇଦେବୁ ନାହିଁ । କାରଣ ଆମେ ଆମେରିକାକୁ ସବୁଠୁ ଆଗରେ ରଖିବାକୁ ଚାହୁଁଛୁ । ଆମେରିକା ଏଣିକି ସଚ୍ଚୋଟ ବ୍ୟବସ୍ଥା ସ୍ଥିର କରିବ । ଏହାଦ୍ୱାରା ଆମ ରାଜକୋଷକୁ ଅର୍ଥ ଆସିବ । ଫଳରେ ଆମେରିକା ପୁଣିଥରେ ବହୁତ ଧନୀ ହୋଇଯିବ । ଏହାସବୁ ଖୁବଶୀଘ୍ର ହେବାକୁ ଯାଉଛି ବୋଲି ଟ୍ରମ୍ପ୍‌ କହିଛନ୍ତି । ଉଲ୍ଲେଖଯୋଗ୍ୟ, ଟାରିଫ୍‌ ହେଉଛି ସୀମା ଶୁଳ୍କ ବା ଟିକସ । 

ବିଦେଶରୁ ଆସୁଥିବା ସାମଗ୍ରୀ ଉପରେ ଏହି ଟିକସ ଲାଗୁ ହୋଇଥାଏ । ଅଧିକ ଟିକସ ଲାଗୁ ହେବା ଦ୍ୱାରା ଘରୋଇ ବଜାରରେ ଏହି ସାମଗ୍ରୀଗୁଡ଼ିକ ମହଙ୍ଗା ହୁଏ । ତେବେ ଟାରିଫ୍‌ ଦ୍ୱାରା ସରକାରଙ୍କ ଆୟ ବି ବୃଦ୍ଧି ପାଇଥାଏ । ଅଧିକ ଟାରିଫ୍‌ର ଆଉ ଏକ ଫାଇଦା ହେଲା ଘରୋଇ କ୍ଷେତ୍ରର ଉତ୍ପାଦନକୁ ପ୍ରୋତ୍ସାହନ ମିଳିଥାଏ । ଦେଶୀ ଉଦ୍ୟୋଗଗୁଡ଼ିକ ଅଧିକ ଫାଇଦା ପାଇଥାନ୍ତି ।

 ଟ୍ରମ୍ପ୍‌ କହିଛନ୍ତି, ଅନ୍ୟ ଦେଶଗୁଡ଼ିକୁ ଧନୀ ବନାଇବା ପାଇଁ ଆମେ ନିଜ ଲୋକଙ୍କ ଉପରେ ଦରଦାମ ବୃଦ୍ଧି କଷିପାରିବୁ ନାହିଁ । ବରଂ ଆମ ଲୋକଙ୍କୁ ଧନୀ ବନାଇବା ଲାଗି ଅନ୍ୟ ଦେଶଗୁଡ଼ିକ ଉପରେ ଅଧିକ ଟିକସ ଲାଗୁ କରିବୁ । ଆବଶ୍ୟକ ପଡ଼ିଲେ ନିଜ ଲୋକଙ୍କୁ ଧନୀ କରିବା ପାଇଁ ଆୟକର ଟିକସ ଉଚ୍ଛେଦ କରିବୁ । 

ଅଧିକ ଟିକସକୁ ଭୟ କରୁଥିବା ବିଦେଶୀ କମ୍ପାନିଗୁଡ଼ିକ ଆମେରିକାରେ ନିଜ ଉତ୍ପାଦନ ୟୁନିଟ୍‌ ବସାନ୍ତୁ । ସେମାନଙ୍କୁ ଏଥିପାଇଁ ସବୁ ପ୍ରକାର ସହଯୋଗ କରାଯିବ । ‘ଆମେରିକା ଫାର୍ଷ୍ଟ’ ସ୍ଲୋଗାନକୁ ଦୋହରାଇ ଟ୍ରମ୍ପ୍‌ କହିଛନ୍ତି, ଅନ୍ୟ ଦେଶ ପାଇଁ ଟାରିଫ୍‌ ବଢ଼ିଲେ ଆମେରିକୀୟ କର୍ମଚାରୀ ଓ ଶିଳ୍ପ ଉପରେ ଟିକସ ମାତ୍ରା ହ୍ରାସ ପାଇବ । ଏହାଯୋଗୁ ଦେଶରେ ବୃହତ ମାତ୍ରାରେ ରୋଜଗାର ସୃଷ୍ଟି ହେବ । 

ଏହାବ୍ୟତୀତ ଚୀନ୍‌ର ଏଆଇ ମଡେଲ ‘ଡିପ୍‌ସିକ୍‌’କୁ ନେଇ ଟ୍ରମ୍ପ୍‌ ଆମେରିକୀୟ ଶିଳ୍ପକୁ ସତର୍କ କରାଇଛନ୍ତି । ସେ କହିଛନ୍ତି, ଏହି ସଂଘର୍ଷରେ ଜିତିବା ଲାଗି ଆମକୁ ଭଲ ଭାବେ ପ୍ରସ୍ତୁତ ରହିବାକୁ ହେବ । ସିଲିକନ୍‌ ଭ୍ୟାଲି ପାଇଁ ଏହି ଝଟ୍‌କା ସକାରାତ୍ମକ ହୋଇପାରେ । କାରଣ ଏହାଦ୍ୱାରା ସ୍ୱଳ୍ପ ଖର୍ଚ୍ଚରେ ନବସୃଜନ ଲାଗି ବାଧ୍ୟ ହେବାକୁ ପଡ଼ିବ । 

‘ଡିପ୍‌ସିକ୍‌’ ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ହଇଚଇ ସୃଷ୍ଟି କରୁଛି । ଏହାଯୋଗୁ ଆମେରିକା ଷ୍ଟକ ବଜାରକୁ ୧ ଲକ୍ଷ କୋଟି ଡଲାର କ୍ଷତି ହେଲାଣି । ଚୀନ୍‌ର ଷ୍ଟାର୍ଟଅପ୍‌ ‘ଡିପ୍‌ସିକ୍‌’ ଏକ ମାଗଣା ଏଆଇ ଆସିଷ୍ଟାଣ୍ଟ ଆଣିଛି । ଏହା ସବୁଠୁ ଶସ୍ତା ଚିପ୍‌ସ ଓ କମ୍‌ ଡାଟା ବ୍ୟବହାର କରୁଛି । ଆମେରିକାର ଓପନ୍‌ଏଆଇ, ଗୁଗୁଲ୍‌, ମେଟା ଭଳି ଟେକ୍‌ କମ୍ପାନି ଦ୍ୱାରା ଏଆଇ ବାବଦରେ ହେଉଥିବା ଖର୍ଚ୍ଚ ତୁଳନାରେ ଏହା ନଗଣ୍ୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.