ନୂଆଦିଲ୍ଲୀ: ଆମେରିକାର ୪୭ତମ ରାଷ୍ଟ୍ରପତି ହେବା ପରେ ଡୋନାଲ୍ଡ ଟ୍ରମ୍ପ ଆକ୍ସନ ମୋଡ୍କୁ ଆସିଛନ୍ତି । ସୀମା ସୁରକ୍ଷା ଏବଂ ଅବୈଧ ପ୍ରବାସୀ ପରେ ଟ୍ରମ୍ପଙ୍କ ଟାର୍ଗେଟରେ କଲମ୍ବିଆ ରହିଛି । ପ୍ରବାସୀଙ୍କ ଦୁଇଟି ଫ୍ଲାଇଟ୍ ଅବତରଣ ପାଇଁ ମନା କରିବାରୁ ଦେଶ ଉପରେ ଏର୍ମଜେନ୍ସି ଟାରିଫ୍ ଲଗାଇଛି ଆମେରିକା । ଏହାର ଜବାବରେ କଲମ୍ବିଆ ମଧ୍ୟ ଆମେରିକା ଉପରେ ଟାରିଫ୍ ଲଗାଇଥିଲା, ମାତ୍ର କିଛି ଘଣ୍ଟା ମଧ୍ୟରେ ଏହାକୁ ହଟାଇ ଦେଇଛି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୂଚନା ମୁତାବକ, କଲମ୍ବିଆ ସରକାର ଆମେରିକାର ବେଆଇନ ପ୍ରବାସୀ ଭର୍ତ୍ତି ଦୁଇଟି ଫ୍ଲାଇଟକୁ ନିଜ ଦେଶରେ ଅବତରଣ କରିବାକୁ ଅନୁମତି ଦେଇନଥିଲା ଏବଂ ଏହାକୁ ଫେରାଇ ଦେଇଛି । ଯାହାପରେ ଆମେରିକା ସରକାର ଆକ୍ସନ ନେଇଛନ୍ତି । ଏର୍ମଜେନ୍ସି ଟାରିଫ୍ ଲାଗିବା ସହିତ ଭିସା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, କଲମ୍ବିଆ ରାଷ୍ଟ୍ର ମୁଖ୍ୟଙ୍କ ଏହି ନିଷ୍ପତ୍ତିରେ ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ବାଧାପ୍ରାପ୍ତ ହୋଇଛି । ତେଣୁ ଆମେରିକା ବଜାରରେ କଲମ୍ବିଆର ସମସ୍ତ ଉତ୍ପାଦ ଉପରେ ୨୫ ପ୍ରତିଶତ ଏର୍ମଜେନ୍ସି ଟାରିଫ୍ ଲଗାଇଛନ୍ତି । ଯାହା ଗୋଟିଏ ସପ୍ତାହ ମଧ୍ୟରେ ୫୦ ପ୍ରତିଶତ ହୋଇପାରେ । ଏହାଛଡ଼ା କଲମ୍ବିଆ ସରକାରଙ୍କ ଅଧିକାରୀ ଏବଂ ସହଯୋଗୀମାନଙ୍କ ଉପରେ ଭିସା ପ୍ରତିବନ୍ଧକ ଲଗାଇଛି ଆମେରିକା । ଏହା ଆରମ୍ଭ ମାତ୍ର, ଆମେ କଲମ୍ବିଆ ସରକାରଙ୍କୁ ମନମାନି କରିବାକୁ ଦେବୁ ନାହିଁ । ଯେଉଁ ଅପରାଧିମାନଙ୍କୁ ସେମାନେ ଆମେରକା ପଠାଇଛନ୍ତି, କଲମ୍ବିଆ ସରକାର ଏହାକୁ ଫେରାଇ ନେବା ଦରକାର ବୋଲି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ।