ଭାରତୀୟ ଅର୍ଥବ୍ୟବସ୍ଥା ନିମନ୍ତେ ଐତିହାସିକ ସାବ୍ୟସ୍ତ ହେଲା ୨୦୨୫ ବର୍ଷ, ଜାଣନ୍ତୁ କିପରି?

NEWS7
dog-wears-helmet-while-riding-in-tamil-nadu-video-goes-viral

ନୂଆଦିଲ୍ଲୀ ୨୭।୧୨: ବୈଶ୍ୱିକ ଚାପ ଓ ସାମରିକ ଉତ୍ତେଜନା ସତ୍ତ୍ୱେ ୨୦୨୫ ବର୍ଷ ଭାରତୀୟ ଅର୍ଥ ବ୍ୟବସ୍ଥା ନିମନ୍ତେ ଐତିହାସିକ ସାବ୍ୟସ୍ତ ହୋଇଛି। ବୈଶ୍ୱିକ ଆହ୍ୱାନ, ପଶ୍ଚିମ ସୀମାରେ ସାମରିକ ଉତ୍ତେଜନା ଓ ଆମେରିକା ଦ୍ୱାରା ୫୦% ପର୍ଯ୍ୟନ୍ତ ଆମଦାନୀ ଶୁଳ୍କ ଲାଗୁ କରାଯିବା ସତ୍ତ୍ୱେ ଦେଶର ଅର୍ଥ ବ୍ୟବସ୍ଥା ଦୃଢତାର ସହ ଆଗକୁ ବଢୁଥିବା ଦେଖାଯାଉଛି। ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷ କର ସୁଧାର, ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ଉତ୍ତମ ତାଳମେଳ ନିରନ୍ତର ନୀତିଗତ ନିଷ୍ପତ୍ତି ଯୋଗୁ ଆଜି ଭାରତର ଅଧିକାଂଶ ଆର୍ଥିକ ସଂକେତ ସକରାତ୍ମକ ସ୍ଥିତିରେ ରହିଛି।

୮% ବିକାଶ ହାର, ଦଶନ୍ଧୀର ସର୍ବନିମ୍ନ ସ୍ତରରେ ମୁଦ୍ରାସ୍ଫୀତି
ଗତ ୨ଟି ତ୍ରୈମାସିକରେ ଦେଶର ଆର୍ଥିକ ବୃଦ୍ଧି ହାର ହାରାହାରି ୮% ଆଖପାଖରେ ରହିଛି। ଏହି ସମୟରେ ଖୁଚୁରା ମୁଦ୍ରାସ୍ଫୀତି ଦଶନ୍ଧୀର ସର୍ବ ନିମ୍ନ ସ୍ତରକୁ ପହଞ୍ଚିଛି। ରିଜର୍ଭ ବ୍ୟାଙ୍କ ମଧ୍ୟ ଚଳିତବର୍ଷ ଲଗାତାର ନୀତିଗତ ସୁଧହାର ହ୍ରାସ କରି ବିକାଶକୁ ଗତି ଦେଇଛନ୍ତି। ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ସତ୍ତ୍ୱେ ଚାଲୁ ଖାତା ଘାଟା ( କରେଣ୍ଟ ଆକାଉଣ୍ଟ ଡେଫିସିଟ୍) ସୀମିତ ରହିଛି। ଏହା ଛଡା ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ବର୍ଷ ତମାମ ୭୦୦ ବିଲିୟନ ଡଲାର ଆଖପାଖରେ ଦୃଢ ରହିଛି।

ଭାରତ ପ୍ରତି ବଢିଛି ବୈଶ୍ୱିକ ଏଜେନ୍ସୀଙ୍କ ଭରସା
ବୈଶ୍ୱିକ ରେଟିଂ ଏଜେନ୍ସୀମାନେ ଭାରତର ଆର୍ଥିକ ସ୍ଥିତିରେ ସୁଧାରର ନିରନ୍ତରତାକୁ ରାଜକୋଷୀୟ-ମୌଦ୍ରିକ ନୀତିର ଉନ୍ନତ ସମନ୍ୱୟର ପରିଣାମ ବୋଲି କହିଛନ୍ତି। ଏଣୁ ଜାରି ଆର୍ଥିକ ବର୍ଷରେ ଭାରତର ବିଦେଶୀ ଋଣ ଆକାଉଣ୍ଟରେ ସୁଧାର ଦେଖାଯାଇଛି। ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତ ଅର୍ଥ ବ୍ୟବସ୍ଥାରେ ପରିଣତ ହୋଇଛି ଓ ଖୁବ୍ ଶୀଘ୍ର ତୃତୀୟ ବୃହତ୍ତ ଅର୍ଥବ୍ୟବସ୍ଥାରେ ପରିଣତ ହେବା ଲାଗି ଦ୍ରୁତ ଆଗକୁ ବଢୁଛି। ମେନୁଫେକ୍ଟରିଂ ଓ ସେବା କ୍ଷେତ୍ର କେତେ ମଜଭୁତ ହୋଇଛି ତାହା ପିଏମଆଇ ସୂଚକାଙ୍କରୁ ଜଣାପଡିଛି। ପିଏମଆଇ ସୂଚକାଙ୍କ ୫୦ ପଏଣ୍ଟରୁ ଉପରେ ରହିଛି। ଗତ ନଭେମ୍ବର ମାସରେ ମେନୁଫେକ୍ଟରିଂ ପିଏମଆଇ ୫୫.୭ ଓ ସେବା ପିଏମଆଇ ୫୯.୧ ପଏଣ୍ଟ ରେକର୍ଡ ହୋଇଛି।

ଜିଏସଟି ସଂଶୋଧନ ଯୋଗୁ ବଢିଛି ଘରୋଇ ଚାହିଦା
ସରକାର ଘରୋଇ ଚାହିଦା ବୃଦ୍ଧି ନିମନ୍ତେ ଗତ ସେପ୍ଟେମ୍ବର ମାସରେ ଜିଏସଟି ସଂଶୋଧନ କରିଥିଲେ। ଜିଏସଟି ପରିଷଦ ୪ ଥାକିଆ ବ୍ୟବସ୍ଥାକୁ କୋହଳ କରି ୨ ଥାକିଆ ବ୍ୟବସ୍ଥା ଲାଗୁ କରିଛନ୍ତି। ଏଣୁ ୯୦%ରୁ ଅଧିକ ସାମଗ୍ରୀ ଶସ୍ତା ହୋଇଯାଇଛି। ଜିଏସଟି ସଂଶୋଧନ ପରେ ଖୁଚୁରା ମୁଦ୍ରାସ୍ପିତି ଅକ୍ଟୋବରରେ ୦.୨୫ ଓ ନଭେମ୍ବରରେ ୦.୭୧%କୁ ପହଞ୍ଚିଛି। ଏଣୁ ନିବେଶ ଓ ଉପଭୋକ୍ତା ଚାହିଦା ବଢିଛି। କର ହ୍ରାସ ଯୋଗୁ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ରେକର୍ଡ କିଣାବିକା ହୋଇଛି। ଏହା ସତ୍ତ୍ୱେ ନଭେମ୍ବରରେ ଜିଏସଟି ସଂଗ୍ରହ ବଢି ୧.୭୦ଲକ୍ଷ କୋଟି ଟଙ୍କାକୁ ପହଞ୍ଚିଛି।

୧୨ ଲକ୍ଷ ପର୍ଯ୍ୟନ୍ତ ଆୟ କରମୁକ୍ତ
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ମାସରେ ବଜେଟ୍ ଉପସ୍ଥାପନ କରିଥିଲେ। ଏଥିରେ ସେ ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ କରମୁକ୍ତ କରିଥିଲେ। ଏହାକୁ ମଧ୍ୟମ ଆୟକାରୀ ବର୍ଗଙ୍କ ଲାଗି ଏ ପର୍ଯ୍ୟନ୍ତର ସବୁଠୁ ବଡ଼ ଆର୍ଥିକ ଆଶ୍ୱସ୍ତି ମନେ କରାଯାଉଛି। ନୂଆ ଆୟକର ଅଧିନିୟମ ସଂସଦରେ ଗୃହୀତ ହୋଇ ସାରିଛି। ଏହା ଏପ୍ରିଲ ୨୦୨୬ରୁ ଦେଶରେ କାର୍ଯ୍ୟକାରୀ ହେବ। ଏହାର ଉଦ୍ଦେଶ୍ୟ ଦେଶର କର ପ୍ରଣାଳୀକୁ ଶରଳ ଓ ପାରଦର୍ଶୀ କରିବା।

ରପ୍ତାନୀ ମଜଭୁତ, ସେବା ପାଲଟିଛି ବିକାଶର ମେରୁଦଣ୍ଡ
ଅପ୍ରେଲ-ନଭେମ୍ବର ୨୦୨୫ରେ ବସ୍ତୁ ଓ ସେବା ରପ୍ତାନୀ ୫୬୨ ବିଲିୟନ ଡଲାର ପର୍ଯ୍ୟନ୍ତ ପହଞ୍ଚିଛି। ଏଥିରେ ସେବା ରପ୍ତାନୀରେ ସବୁଠୁ ଦ୍ରୁତ ବୃଦ୍ଧି ହୋଇଛି। ଏଥିରୁ ଏପ୍ରିଲ-ସେପ୍ଟେମ୍ବର ତ୍ରୈମାସିକରେ ଦେଶକୁ ୫୦.୩୬ ବିଲିୟନ ଡଲାରର ପ୍ରତ୍ୟକ୍ଷ ବିଦେଶୀ ନିବେଶ ଆସିଛି। ଏହା ଏପର୍ଯ୍ୟନ୍ତର ସର୍ବାଧିକ ଅର୍ଦ୍ଧବାର୍ଷିକ ତଥ୍ୟ। ଏହା ଛଡା ସରକାର ଶ୍ରମ ଆଇନ, ବୀମା କ୍ଷେତ୍ରକୁ ୧୦୦% ପର୍ଯ୍ୟନ୍ତ ଏଫଡିଆଇ, ପରମାଣୁ ଶକ୍ତି କ୍ଷେତ୍ରରେ ଘରୋଇ ନିବେଶ ଅନୁମତି ଦେଇ ବଡ଼ ଧରଣର ସଂରଚନାତ୍ମକ ସୁଧାର କରିଛନ୍ତି। ବୈଶ୍ୱିକ ଅନିଶ୍ଚିତତା ମଧ୍ୟରେ ଭାରତ ଏହା ସ୍ପଷ୍ଟ କରିଦେଇଛି ଯେ ନିରନ୍ତର ସୁଧାର ଓ ଦୃଢ ନୀତି ମାଧ୍ୟମରେ ଅର୍ଥ ବ୍ୟବସ୍ଥା ବିକାଶ ରାସ୍ତାରେ ଦୃଢତାର ସହ ଆଗକୁ ବଢୁଛି।