ରାଜଧାନୀରେ ବଢିଛି କୁକୁର ବିଲେଇଙ୍କ ଦୌରାତ୍ମ୍ୟ, ହସ୍ପିଟାଲରେ ବଢୁଛନ୍ତି ଆକ୍ରାନ୍ତଙ୍କ ସଂଖ୍ୟା

Published By : Prameya-News7 Bureau | July 12, 2025 IST

ଭୁବନେଶ୍ୱର ୧୨/୦୭: ରାଜଧାନୀରେ ବଢୁଛି କୁକୁର ବିଲେଇଙ୍କ ଦୌରାତ୍ମ୍ୟ । ଦୈନିକ କ୍ୟାପିଟାଲ ହସ୍ପିଟାଲକୁ ଆସୁଛନ୍ତି ଏକାଧିକ ରୋଗୀ । ସହରର ମୁଖ୍ୟ ରାସ୍ତାରୁ ନେଇ ଛକ, ବଜାର ଓ ଗାଁରେ କୁକୁର, ବିଲେଇ କାମୁଡାର ଶିକାର ହେଉଛନ୍ତି ଲୋକେ । ଦିନ ଅପେକ୍ଷା ରାତିରେ ଏମାନେ ଅଧିକ ହିଂସ୍ର ହେଉଛନ୍ତି । କେବଳ ବୁଲା କୁକୁର ନୁହେଁ ପୋଷା କୁକୁର  ଓ ବିଲେଇମାନେ ମଧ୍ୟ କାମୁଡ଼ୁଛନ୍ତି । 

ଫଳରେ କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢୁଛି । ତଥ୍ୟ କହୁଛି, ଗତ ଚାରିମାସରେ ରାଜଧାନୀ ସମେତ ଉପକଣ୍ଠ ଅଞ୍ଚଳର ୪ହଜାର ଲୋକ ବୁଲା  କୁକୁର, ପୋଷା କୁକୁର ଓ ବିଲେଇଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ଏମାନେ ସମସ୍ତେ କ୍ୟାପିଟାଲ ହସ୍ପିଟାଲକୁ ଆସି ଆଣ୍ଟି-ରାବିଜ୍‌ ଟିକା ନେଇଛନ୍ତି । ଏହି ଚାରିମାସରେ ୧୭,୦୨୨ରୁ ଅଧିକ ଆଣ୍ଟି-ରାବିଜ୍‌  ଟିକା ଦିଆଗଲାଣି । କୁକୁର କାମୁଡ଼ାର ଶିକାର ହୋଇ ଏବେ ପ୍ରତିଦିନ ୩୦ରୁ ୩୫ଜଣ ରୋଗୀ ହସ୍ପିଟାଲକୁ ଆସି ଟିକା ନେଉଛନ୍ତି । ଯାହା ଏକ ଚିନ୍ତାର ବିଷୟ ପାଲଟିଛି । 

ହସ୍ପିଟାଲରେ ପର୍ଯ୍ୟାପ୍ତ ଭ୍ୟାକସିନ୍‌ ମହଜୁଦ  ରହିଥିବା କର୍ତ୍ତୃପକ୍ଷ କହିଛନ୍ତି । ସେପଟେ ସହରରେ  କୁକୁର କାମୁଡ଼ା, କୁକୁର ବନ୍ଧ୍ୟାକରଣ ଓ ଟିକାକରଣ  ସମ୍ପର୍କିତ ଅଭିଯୋଗ ପାଇଁ ଭୁବନେଶ୍ୱର ମହାନଗର  ନିଗମ(ବିଏମ୍‌ସି) ପକ୍ଷରୁ ୧୯୨୯ ଟୋଲଫ୍ରି ନମ୍ବର ଜାରି କରାଯାଇଛି । ହେଲେ ଅଧିକାଂଶ ସମୟରେ  ଏହି ନମ୍ବରରୁ କଲ୍‌ କଲେ କୌଣସି ଉତ୍ତର  ମିଳୁନଥିବା ଅଭିଯୋଗ ହୋଇଛି ।  

ସୋଆ ଭେଟେରନାରୀ ମହାବିଦ୍ୟାଳୟର  ବରିଷ୍ଠ ପ୍ରଫେସର ଡ. ବୀରକିଶୋର ପରିଡ଼ା  କହିଛନ୍ତି, ସ୍ୱାଭାବିକ ଭାବରେ ବର୍ଷା ଋତୁରୁ  ଶୀତ ପର୍ଯ୍ୟନ୍ତ କୁକୁର କାମୁଡ଼ାର ପରିମାଣ  ବଢିଥାଏ । ଏବେ କୁକୁରମାନଙ୍କ ବ୍ରିଡିଂ ସମୟ । ଏହି ସମୟରେ ସେମାନଙ୍କ  ସେକ୍ସୁଆଲ ଆନ୍‌ଞ୍ଜାଇଟି ରହିଥାଏ । ହଠାତ୍‌ କିଛି  ବିପଦର ଆଶଙ୍କା ପାଇଲେ କୁକୁରମାନେ ହିଂସ୍ର  ହୋଇଯାଆନ୍ତି । ଶୀତଦିନରେ କୁକୁର ଛୁଆ ଜନ୍ମ ନିଅନ୍ତି । ସେ ସମୟରେ ମଧ୍ୟ ଜଗିରଖି ଚଳିବାକୁ  ପଡ଼ିବ । କାରଣ ମା’ କୁକୁର ମଧ୍ୟ କାମୁଡିବାକୁ  ଗୋଡାଏ । 

ଏହି ସମୟରେ ଯଦି କୁକୁର କାମୁଡେ ତେବେ ୯୦ରୁ ୯୫% ଜଳାନ୍ତକ ହେବାର ଆଶଙ୍କା  ରହିଥାଏ । ତେଣୁ ଏଥିପ୍ରତି  ସଚେତନ ହେବା ସହ ଘରେ  ଥିବା ପୋଷା କୁକୁର ଓ ବିଲେଇଙ୍କୁ ଧାର୍ଯ୍ୟ ସମୟରେ ଟିକାକରଣ  କରିବା ଆବଶ୍ୟକ ବୋଲି ସେ  କହିଛନ୍ତି । କ୍ୟାପିଟାଲ ହସ୍ପିଟାଲ  ନିର୍ଦ୍ଦେଶକ ଡା. ରୁପଭାନୁ  ମିଶ୍ର କହିଛନ୍ତି, କେବଳ  ବୁଲା କୁକୁର କାମୁଡୁଥିବା  ଲୋକେ ଆସି ଟିକା ନେଉଛନ୍ତି  ତାହା ନୁହେଁ । ସେମାନଙ୍କ ମଧ୍ୟରେ ବିଲେଇ  ଓ ପୋଷା କୁକୁର କାମୁଡ଼ା ଓ ଆଞ୍ଚୁଡା ଜନିତ  ସଂଖ୍ୟା ରହିଥାଏ । 

ପ୍ରକାଶ ଥାଉକି, ରାଜ୍ୟରେ  କୁକୁର କାମୁଡ଼ା ମାମଲା ଗତ ୪ବର୍ଷରେ ସଙ୍ଗୀନ  ରହିଛି । ବିଧାନସଭା ତଥ୍ୟ କହୁଛି, ୨୦୨୧ରେ  ୫୯୦୮୫, ୨୦୨୨ରେ ୬୪୬୪୨, ୨୦୨୩ରେ  ୨ଲକ୍ଷ ୬୦ହଜାର ଓ ୨୦୨୪ରେ ୨ଲକ୍ଷ  ୪୩ହଜାର ବ୍ୟକ୍ତିଙ୍କୁ କୁକୁର  କାମୁଡ଼ିଛି । ୨୦୨୩ରେ  ସର୍ବାଧିକ କୁକୁର କାମୁଡ଼ା ମାମଲାରେ ଦେଶର  ୧୦ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି । ଏବେ ଆଣ୍ଟିରାବିଜ୍‌ ଟିକା ସମସ୍ତ ୟୁପିଏଚସି, ୟୁସିଏଚସି,  ପିଏଚ୍‌ସି, ସିଏଚ୍‌ସି, ଏସଡିଏଚ, ଡିଏଚ୍‌ଏଚ  ଓ ମେଡିକାଲ କଲେଜ ହସ୍ପିଟାଲରେ ଉପଲବ୍ଧ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.