କନିଷ୍ଠ ଯନ୍ତ୍ରୀଙ୍କ ୪ ଠିକଣାରେ ଭିଜିଲାନ୍ସ ଚଢ଼ାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍

NEWS7
do-you-keep-notes-behind-the-phone-cover

ମାଲକାନଗିରି ୨୬।୧୨: କନିଷ୍ଠ ଯନ୍ତ୍ରୀଙ୍କ ଘରେ ପସିଲା ଭିଜିଲାନ୍ସ । ମାଲକାନଗିରି ସଦର ବ୍ଲକର କନିଷ୍ଠ ଯନ୍ତ୍ରୀ ନିହାର ରଞ୍ଜନ ସରକାରଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି । ଏକକାଳୀନ ୪ଟି ସ୍ଥାନରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ ।

ଅଭିଯୋଗ ଆସିବା ପରେ ଜୟପୁର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ସର୍ଚ୍ଚ ଓ୍ବାରେଣ୍ଟ ବଳରେ ଚଢାଉ କରିଛି ଭିଜିଲାନ୍ସ । ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାରେ ଥିବା କନିଷ୍ଠ ଯନ୍ତ୍ରୀଙ୍କ ୪ ଠିକଣାରେ ଏକକାଳୀନ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍ । ମାଲକାନଗିରି ଟାଉନ ସ୍ଥିତ ଜୟନଗରରେ ଥିବା ୩ ମହଲା କୋଠା, କାଲିମେଳା ଥାନା ଅନ୍ତର୍ଗତ ଏମପିଭି-୧୦ ସ୍ଥିତ ପୈତୃକ ଘର, ନବରଙ୍ଗପୁର ରାଇଘର ସ୍ଥିତ ସମ୍ପର୍କୀୟଙ୍କ ଘର, ମାଲକାନଗିରି ବିଡିଓଙ୍କ କାର୍ଯ୍ୟାଳୟରେ ଥିବା ତାଙ୍କ ଚାମ୍ବରରେ ଏକକାଳୀନ ଚଢାଉ ଚାଲିଛି ।

ଚଢାଉ ବେଳେ ତାଙ୍କ ଘରୁ ନଗଦ ଟଙ୍କା ସହ ସୁନା ଗହଣା ମିଳିଥିବା ସୂଚନା ମିଳିଛି । ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ ହୋଇଛି । ଚଢାଉରେ ଓଡ଼ିଶା ଭିଜିଲାନ୍ସରେ ୪ ଜଣ ଡିଏସ୍ପି, ୭ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଅଛନ୍ତି ।