ଇତିହାସ ରଚିଲେ ଦିବ୍ୟା ଦେଶମୁଖ, ଚେସ୍ ବିଶ୍ୱକପ୍ ଜିତିବାରେ ପ୍ରଥମ ଭାରତୀୟ ମହିଳା, ଅର୍ଜନ କଲେ ଗ୍ରାଣ୍ଡମାଷ୍ଟର ମାନ୍ୟତା

Published By : Prameya-News7 Bureau | July 28, 2025 IST

ନୂଆଦିଲ୍ଲୀ: ଭାରତୀୟ ଚେସ୍ ପାଇଁ ଐତିହାସିକ ସଫଳତା । ୧୯ ବର୍ଷୀୟା ଦିବ୍ୟା ଦେଶମୁଖ ଫିଡେ୍ ମହିଳା ବିଶ୍ୱକପ ଚାମ୍ପିଅନ ହୋଇଛନ୍ତି । ଜର୍ଜିଆର ବାଟୁମିରେ ସୋମବାର ସେ ଫାଇନାଲ୍ ଜିତିଛନ୍ତି । ରାପିଡ୍ ଟାଇ୍ ବ୍ରେକରରେ ସେ ଭାରତର ଏକ ନମ୍ୱର ଖେଳାଳି ତଥା ୱାଲର୍ଡ ରାପିଡ୍ ଚାମ୍ପିଅନ କୋନେରୁ ହମ୍ପିଙ୍କୁ ହରାଇ ଟାଇଟଲ୍ ଜିତିଛନ୍ତି । ଏହା ସହ ଫିଡେ ମହିଳା ଚେସ୍ ବିଶ୍ୱକପ ବିଜୟୀ ହେବାରେ ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି । କୋନେରୁ ହମ୍ପଙ୍କ ପାଖରେ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିବାର ଗୋଟିଏ ସୁଯୋଗ ଥିଲା, କିନ୍ତୁ ସେ ତାର ଲାଭ ଉଠାଇ ପାରିଲେ ନାହିଁ । ଦିବ୍ୟା କଳା ଗୋଟିରେ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ ।

୧୫ତମ ସିଡ୍ ଭାବେ ଟୁର୍ଣ୍ଣାମେଣ୍ଟରେ ପ୍ରବେଶ କରିଥିବା ଦିବ୍ୟାଙ୍କ ଟୁର୍ଣ୍ଣାମେଣ୍ଟ ଯାତ୍ରା ଅତୁଳନୀୟ ଥିଲା । ବିଶ୍ୱ ଚେସ୍‌ର ଅନେକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀଙ୍କୁ ମାତ୍ ଦେଇ ଫାଇନାଲରେ ନିଜ ସ୍ଥାନ ପକ୍କା କରିଥିଲେ । ଟାଇଟଲ୍ ମୁକାବିଲାରେ ଅନ୍ତର୍ଜାତୀୟ ମାଷ୍ଟର ଦିବ୍ୟା ଦେଶମୁଖ ନିଜଠାରୁ ଉଚ୍ଚ ରାଙ୍କର ଗ୍ରାଣ୍ଡମାଷ୍ଟର ତଥା ନିଜର ଦେଶର କୋନେରୁ ହମ୍ପିଙ୍କୁ ଭେଟିଥିଲେ । ପ୍ରଥମ ଓ ଦ୍ୱିତୀୟ ଗେମରେ କୌଣସି ସୁଯୋଗ ନଦେଇ ହମ୍ପିଙ୍କୁ ଡ୍ର’ ଖେଳିବା ପାଇଁ ବାଧ୍ୟ କରିଥିଲେ । ଫଳରେ ମ୍ୟାଚ୍ ଟ୍ରାଇବ୍ରେକରରେ ପହଞ୍ଚିଥିଲା ।

ଦୁଇଟି ଡ୍ର କ୍ଲାସିକାଲ ଖେଳ ପରେ ମ୍ୟାଚ୍ ରାପିଡ୍ ଟାଇବ୍ରେକରେ ପରିଣତ ହେଲା । ପ୍ରଥମ ରାପିଡ୍ ଖେଳରେ ଦିବ୍ୟା ଧଳା ଗୋଟିରେ ଖେଳିଥିଲେ, ଯାହା ଡ୍ର’ରେ ଶେଷ ହେଲା । କିନ୍ତୁ ରିଭର୍ସ ଖେଳରେ, ଦିବ୍ୟା କଳା ଗୋଟି ପାଇଥିଲେ ଏବଂ ଧୈର୍ଯ୍ୟର ସହ ଖେଳି ଦୁଇଥର ବିଶ୍ୱ ରାପିଡ୍ ଚାମ୍ପିଅନଙ୍କୁ ୨.୫-୧.୫ରେ ପରାସ୍ତ କରିବାରେ ସଫଳ ହୋଇଥିଲେ ।

ଅନ୍ୟପଟେ ୩୮ ବର୍ଷୀୟା ହମ୍ପି ଚାପରେ ଖେଳି ଅନେକ ତ୍ରୁଟି କରିଥିଲେ, ଯାହାର ଲାଭ ନେଇଥିଲେ ତାଙ୍କ ଜୁନିୟର । ଏହି ବିଜୟ ସହିତ ଦିବ୍ୟା କେବଳ ଫିଡେ ମହିଳା ବିଶ୍ୱକପ୍ ଚାମ୍ପିଅନ୍ ହୋଇନାହାନ୍ତି ବରଂ ସେ ଗ୍ରାଣ୍ଡମାଷ୍ଟର ଟାଇଟଲ୍ ଅର୍ଜନ କରିଛନ୍ତି । ଦିବ୍ୟା ପ୍ରତିଷ୍ଠିତ ଗ୍ରାଣ୍ଡମାଷ୍ଟର ଟାଇଟଲ୍ ଅର୍ଜନ କରିବାରେ ଚତୁର୍ଥ ଭାରତୀୟ ମହିଳା ଏବଂ ମୋଟ ଉପରେ ୮୮ତମ ଭାରତୀୟ ।

ଦିବ୍ୟାଙ୍କ ଯାତ୍ରା ପ୍ରେରଣାଦାୟକ, କାରଣ ସେ ଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରେ ନରହି ଟୁର୍ଣ୍ଣାମେଣ୍ଟରେ ପ୍ରବେଶ କରିଥିଲେ । କିନ୍ତୁ ତାଙ୍କ ନିର୍ଭୀକ ଓ ଆକ୍ରମଣାତ୍ମକ ଖେଳରେ ଉଚ୍ଚ ରାଙ୍କିଂର ପ୍ରତିଦ୍ୱନ୍ଦ୍ୱୀ ମାଟି କାମୁଡ଼ିଥିଲେ । ଦିବ୍ୟାଙ୍କ ସଫଳତା ଭାରତୀୟ ଚେସ୍ ପ୍ରତିଭାର ଏକ ନୂତନ ପିଢ଼ିକୁ ପ୍ରତିଫଳିତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.