ଭାଇ ମାନସିକ ରୋଗୀକୁ ଭଉଣୀ ଦିବ୍ୟାଙ୍ଗ... ଝାଟି ମାଟି ନୂଆଣିଆ ଘରେ ଭାଇ ଭଉଣୀଙ୍କ ନିଆରା କହାଣୀ...

Published By : Prameya-News7 Bureau | August 09, 2025 IST

ମାର୍ଶାଘାଇ: ଝାଟିମାଟି ନୂଆଁଣିଆ ଘରଟିଏ । ଆଉ ଘର ଭିତରେ ଜରାଜୀର୍ଣ୍ଣ ଜୀବନର ଯାତ୍ରା କାହିଁ କେତେ ଦିନରୁ । ଘରକୁ ଭରସା ଛିଣ୍ଡା ପାଲଟିଏ । ଠିକ୍ ସେମିତି ତାରି ଭିତରେ ବେଡ଼ି ବନ୍ଧା ହୋଇପଡ଼ିଥିବା ମଣିଷର ଭରସା ପାଲଟିଛି ତା ଭଉଣୀ । ସ୍ବାର୍ଥପର ଦୁନିଆରେ ଯେତେବେଳେ ଭାଇ-ଭଉଣୀ ସମ୍ପର୍କରେ ସୁରକ୍ଷାର ସ୍ଥାନ ଶୂନ୍ୟ ହେଇଯାଇଛି, ଯେତେବେଳେ ପ୍ରତିଶୃତି ପାଣିର ଗାର ପାଲଟିଯାଉଛି, ସେତେବେଳେ ପ୍ରକୃତ ସମ୍ପର୍କର ଚିହ୍ନ ଦେଖିବାକୁ ମିଳିଛି ଏଇଠି । ଝୁମ୍ପୁଡିି କୁଡ଼ିଆ ଭିତରେ ଜୀବନ ଯନ୍ତ୍ରଣାର କଠୋର ପରିସ୍ଥିତିକୁ ଆବୋରି ନେଇଥିବା ଏ ଦୁଇ ଜଣ କିନ୍ତୁ ପ୍ରକୃତ ସମ୍ପର୍କର ସଂଜ୍ଞା ବୁଝାଇଦେଇଛନ୍ତି ଆଜିର ସ୍ବାର୍ଥପର ସମାଜକୁ । କଥାକଥାରେ ଭଉଣୀଙ୍କୁ ଆକଟ କରୁଥିବା ଏ ବ୍ୟକ୍ତି ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ସଂଗ୍ରାମପୁର- ଶାସନ ଗ୍ରାମର ୫୨ ବର୍ଷୀୟ ମହେଶ୍ବର ଦାସ । ଆଉ ଭାଇର ଦୟନୀୟ ପରିସ୍ଥିତିକୁ ନିଜେ ସଜ୍ୟ କରି ଆଜି ଯାଏଁ ହାତ ଛାଡ଼ିନଥିବା ଏ ସମ୍ପର୍କର ନାଁ ସଞ୍ଜୁତା । ଉଭୟେ ଭାଇ ଭଉଣୀ । ଶାରିରୀକ ଭାବରେ ଅକ୍ଷମ ସତ କିନ୍ତୁ ଅବାସ୍ତବ ସମ୍ପର୍କର ସମାଜରେ ଏମାନେ ବାସ୍ତବତାକୁ ଜାବୁଡ଼ି ଧରିଛନ୍ତି ଜନ୍ମରୁ ଆଜିଯାଏଁ । 

ଭାଇ ମହେଶ୍ୱର ଦାସ ମାନସିକ ରୋଗ କାରଣରୁ ୩୦ ବର୍ଷ ହେବ ହାତ ଗୋଡ଼ରେ ଲୁହାର ଶିକୁଳିରେ ବନ୍ଧା ହୋଇଛି । ଭଉଣୀ ସଞ୍ଜୁତା ଛୋଟ ବେଳୁ ଦିବ୍ୟାଙ୍ଗ । ଭାଇ ମହେଶ୍ୱର କମ୍ ବୟସରୁ ବିବାହ କରିଥିଲେ ସୁଦ୍ଧା ମାନସିକ ରୋଗ କାରଣରୁ ପତ୍ନୀ ମଧ୍ୟ ଛାଡି ଚାଲିଗଲେ । କିନ୍ତୁ ଭଉଣୀ କ'ଣ କେବେ ଭାଇକୁ ଛାଡି ପାରିବ । ଭାଇର ଏଭଳି ଅବସ୍ଥା ଦେଖି  ଭଉଣୀ ବିନା କୌଣସି ଦ୍ୱିଧାରେ ବିବାହ ନ କରିବାର ନିଷ୍ପତ୍ତି ନେଲେ । ପ୍ରତିଦିନ ଭାଇର ସବୁ କାମ ଏହି ଦିବ୍ୟାଙ୍ଗ ଭଉଣୀଙ୍କୁ ହିଁ କରିବାକୁ ପଡେ । ଭାଇର ଦାନା ଗଣ୍ଡାକ ଯୋଗାଡ଼ କରିବା ପାଇଁ ଭଉଣୀ ଗାଁ ଛକ ମୁଣ୍ଡରେ ଛୋଟ ପାନ ଦୋକାନଟିଏ ଖୋଲିଛନ୍ତି । ସେଥିରୁ  ଯାହା ରୋଜଗାର ହୁଏ ସେଥିରେ ଦୁଇ ଜଣ କୁଡ଼ିଆରେ କଷ୍ଟେମଷ୍ଟେ ଚଳି ଯାଆନ୍ତି । କିନ୍ତୁ ଭାଇ-ଭଉଣୀଙ୍କ ପାଇଁ ରକ୍ଷାବନ୍ଧନ ସବୁଠୁ ବଡ଼ ଉତ୍ସବ । ରାକ୍ଷୀ ପୂର୍ଣ୍ଣମୀ ଅବସରରେ ମାନସିକ ରୋଗୀ ଭାଇ ହାତରେ ରାକ୍ଷୀ ବାନ୍ଧିଛି ଭଉଣୀ । ଭାଇ ବି ଓଜାଡ଼ି ଦେଇଛି ସେହ୍ନ, ମମତା ଓ ଭଲପାଇବା । 

ଥରେ ଭାବିଲେ ଆଜିର ସମାଜରେ କିଏ କାହା ପାଇଁ କ'ଣ ଏତେ ତ୍ୟାଗ କରିପାରିବ । କିନ୍ତୁ ବିନା ସ୍ୱାର୍ଥରେ ନିଜର ସର୍ବସ୍ବ ତ୍ୟାଗ କରିବା ପରେ ବି ଭଉଣୀ ସଞ୍ଜୁତା ଏବେ ବି ଭାଇର ସାହାରା ହୋଇ ରହିଛନ୍ତି । ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା ନମାଗି ଭଉଣୀ ନିଜେ ଭାଇର ସୁରକ୍ଷା କବଚ ପାଲଟିଛି । ଯେତେବେଳେ ସମାଜ ନିଜର ରକ୍ତର ସଂପର୍କକୁ ଅଣଦେଖା କରୁଛି, ସେତେବେଳେ ଜଣେ ଦିବ୍ୟାଙ୍ଗ ହୋଇ ମଧ୍ୟ ସଂପର୍କର ସଠିକ୍ ମୂଲ୍ୟ ବୁଝିଛି । ତେବେ ଆମେ ଏଠି କହିପାରିବା ଯେ... ବାସ୍ତବିକ ଏ ଦୃଶ୍ୟ ସମାଜ ପାଇଁ ସେବା ଓ ତ୍ୟାଗର ନିଚ୍ଛକ ଉଦାହରଣଟିଏ ।



 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.