ବେଙ୍ଗାଲୁରୁ: ଚିନ୍ନସ୍ୱାମୀ ଷ୍ଟାଡିୟମ ବାହାରେ ଦଳଚକଟା ମାମଲାରେ କର୍ଣ୍ଣାଟକ ସରକାର ନିଜ ଉପରୁ ସବୁ ଦୋଷ ଖସାଉଥିବା ପରି ନଜର ଆସୁଛି । ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ନିଜେ ସରକାରଙ୍କ ସୁରକ୍ଷାରେ ବାହାରିଛନ୍ତି । ଦୁର୍ଘଟଣା ଉପରେ ରବିବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ସେ ଏହି କାର୍ଯ୍ୟକ୍ରମରେ କେବଳ ଉପସ୍ଥିତ ଥିଲେ, କାରଣ ତାଙ୍କୁ ଏଥି ପାଇଁ ଆମନ୍ତ୍ରିତ କରାଯାଇଥିଲା । ରାଜ୍ୟପାଳ ବି ବିଜୟ ଉତ୍ସବରେ ସାମିଲ ହେବେ ବୋଲି ତାଙ୍କୁ କୁହାଯାଇଥିଲା ।
ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏହି ଘଟଣା ପାଇଁ ସରକାର ନୁହେଁ ବରଂ କାର୍ଯ୍ୟକ୍ରମ ଓ ସୁରକ୍ଷା ବ୍ୟବସ୍ଥାରେ ଥିବା ପୋଲିସ ଅଧିକାରୀମାନେ ଦାୟୀ । ମୁଖ୍ୟମନ୍ତ୍ରୀ ଏହି ମାମଲାରେ ସିଧାସଳଖ କର୍ଣ୍ଣାଟକ ରାଜ୍ୟ କ୍ରିକେଟ ଆସୋସିଏସନ (କେଏସସିଏ) ଏବଂ ପୋଲିସ ଅଧିକାରୀମାନଙ୍କୁ ଦାୟୀ କରି କହିଛନ୍ତି, "ମୁଁ କେବଳ ବିଧାନ ସୌଧ ପରିସରରେ କାର୍ଯ୍ୟକ୍ରମ ପାଇଁ ଅନୁମତି ଦେଇଥିଲି, ଷ୍ଟାଡିୟମରେ ନୁହେଁ।"
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, "KSCA ସଚିବ ଏବଂ କୋଷାଧ୍ୟକ୍ଷ ମୋ ପାଖକୁ ଆସିଥିଲେ ଏବଂ ମୋତେ କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରିଥିଲେ । କାର୍ଯ୍ୟକ୍ରମ ଆମେ ନୁହେଁ, KSCA ଦ୍ୱାରା ଆୟୋଜନ କରାଯାଇଥିଲା । ସେମାନେ ମୋତେ କହିଥିଲେ ଯେ ରାଜ୍ୟପାଳ ମଧ୍ୟ ଆସୁଛନ୍ତି, ତେଣୁ ମୁଁ ସେଠାକୁ ଯାଇଥିଲି । ଏହା ବ୍ୟତୀତ ଆଉ କିଛି ଜାଣିନାହିଁ । ଷ୍ଟାଡିୟମ ପାଇଁ ମୋତେ କୌଣସି ନିମନ୍ତ୍ରଣ ମିଳିନଥିଲା ।"
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଏହି କାର୍ଯ୍ୟକ୍ରମ ପାଇଁ ଡିପିଏଆର୍ ସଚିବ ଅନୁମତି ଦେଇଥିଲେ। "ସେ ମୋତେ କହିଲେ ଏବଂ ମୁଁ କହିଲି, ଠିକ୍ ଅଛି ଅନୁମତି ଦିଅ । କିନ୍ତୁ ଏହି କାର୍ଯ୍ୟକ୍ରମ ବିଧାନ ସୌଧ ପରିସରରେ ହେବାର ଥିଲା । ସେଠାରେ କିଛି ଘଟିଥିଲା କି ? ନା । ଯାହା ଘଟିଲା, ଷ୍ଟାଡିୟମରେ ଘଟିଥିଲା । ସେଠାରେ ସୁରକ୍ଷା ବ୍ୟବସ୍ଥା କରିବା କାହାର ଦାୟିତ୍ୱ ? ପୋଲିସର ।"
ସେ କହିଛନ୍ତି ଯେ ସଭାସ୍ଥଳରେ ପର୍ଯ୍ୟାପ୍ତ ପୋଲିସ ଫୋର୍ସ ନିୟୋଜିତ ନଥିଲେ । ଯେଉଁଥି ପାଇଁ ଭିଡ଼କୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼ିଥିଲା । ଏହି ଅବହେଳା ପାଇଁ ସରକାର ବେଙ୍ଗାଲୁରୁ ପୋଲିସ କମିଶନର ବି.ଦୟାନନ୍ଦ, ଅତିରିକ୍ତ କମିଶନର ବିକାଶ କୁମାର ଏବଂ ଡିସିପି (ସେଣ୍ଟ୍ରାଲ) ଏଚ୍.ଟି.ଶେଖରଙ୍କୁ ତତ୍କାଳ ପ୍ରଭାବରୁ ନିଲମ୍ବିତ କରିଛନ୍ତି । ଏହା ସହିତ, କ୍ୟୁବନ ପାର୍କ ପୋଲିସ ଷ୍ଟେସନର ଏସଏଚଓ ଏବଂ ଏସିପିଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି ।