ଚାଲିଯାଉଥିଲା ପିଲାର ଜୀବନ, ଦେଖୁଥିଲେ କିନ୍ତୁ କିଛି କରିପାରୁ ନଥିଲେ ବାପା-ମା’

NEWS7
diarrhoea-outbreak-in-nilagiriover-11-infected

ଭଦ୍ରକ ୨୮।୧: ବାପା-ମା’ଙ୍କ ଆଗରେ ଚାଲିଗଲା କଅଁଳ ଶିଶୁର ଜୀବନ । କୋଳରୁ ଛିଟିକି ପଡିଲା ରାସ୍ତା ଉପରେ କଚାଡ଼ି ହୋଇ ପ୍ରାଣବାୟୁ ଉଡ଼ିଗଲା । ଅଜଣା ଗାଡ଼ି ଧକ୍କା ଦେବାକୁ ଭାରସାମ୍ୟ ହରାଇ ଓଭରବ୍ରିଜ୍ ତଳକୁ ଖସିପଡ଼ିଲେ ପୁରା ପରିବାର । ଭଦ୍ରକ ଟାଉନ ଥାନା ଅଧିନସ୍ଥ ଡାହାଣୀ ଗଡିଆ ନିକଟରେ ଏଭଳି ଦୁଃଖଦ ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ୧୬ ନମ୍ବର ଜାତୀୟ ରାଜପଥରେ ବାଇକ୍ ଯୋଗେ ମୟୁରଭଞ୍ଜ ଜିଲ୍ଲା ନିଶିତପୁର ପଞ୍ଚାୟତ ମାଳତୀପାଟଣା ଗ୍ରାମର ରଜତ ଜେନା ନିଜ ସ୍ତ୍ରୀ ଓ ୩ ବର୍ଷର ପୁଅ ଆକାଶକୁ ନେଇ ଭୁବନେଶ୍ୱର ଯାଉଥିଲେ । ଯିବାବେଳେ ଏକ ଅଜଣା ଗାଡ଼ି ତାଙ୍କ ବାଇକ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ଫଳରେ ବାଇକ୍ଟି ଓଭରବ୍ରିଜ୍ ତଳକୁ ଖସି ପଡିଥିଲା । ଫଳରେ ବାପା-ମା’ ଜାତୀୟ ରାଜପଥ ତଳକୁ ଖସିପଡିଥିଲେ । ପୁଅ ଜାତୀୟ ରାଜପଥରେ ପଡିଯାଇଥିଲା । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପୁଅକୁ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ସ୍ୱାମୀ-ସ୍ତ୍ରୀ ଗୁରୁତର ଭାବେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଖବର ପାଇ ଭଦ୍ରକ ଟାଉନ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।