ଦିଗପହଣ୍ଡି ୦୬/୦୭: ପୁଣି ଡରାଇଲାଣି ହଇଜା । ଦିଗପହଣ୍ଡିରୁ ଆସିଛି ଚିନ୍ତାଜନକ ଖବର । ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡା ଗ୍ରାମପଞ୍ଚାୟତ ଉସ୍ତପଲ୍ଲୀ ଗାଁରେ ଝାଡାବାନ୍ତିରେ ଜଣଙ୍କର ଜୀବନ ଯାଇଥିବା ସୂଚନା ମିଳିଛି । ୨୦ ଜଣ ଆକ୍ରାନ୍ତ ହୋଇ ଦିଗପହଣ୍ଡି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ମେଡିକାଲକୁ ପଠାଯାଇଛି । ଝାଡାବାନ୍ତି ବ୍ୟାପୁଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଝାଡାବାନ୍ତି ବ୍ୟାପିବାର କାରଣ ସ୍ପଷ୍ଟ ହୋଇନି । ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।
ଗତ କିଛି ଦିନ ଧରି ରାଜ୍ୟରେ ବେକାବୁ ହୋଇ ମାଡି ଚାଲିଥିଲା ଡାଇରିଆ । ପ୍ରତିଦିନ ବିଭିନ୍ନ ଜିଲ୍ଲାରୁ ନୂଆ ନୂଆ ରୋଗୀ ଚିହ୍ନଟ ହେଉଥିଲେ । ଯାଜପୁର ଜିଲ୍ଲାରେ ସ୍ଥିତି ସଂଗୀନ ହୋଇପଡିଥିଲା । ରାଜଧାନୀକୁ ମଧ୍ୟ କବଳିତ କରିଥିଲା ଝାଡାବାନ୍ତି । ସ୍ଥିତି ସଂଗୀନ ହେଉଥିବା ଦେଖି ଆକ୍ସନ ମୋଡକୁ ଆସିଥିଲେ ସରକାର । ନିଜେ ମୁଖ୍ୟମନ୍ତ୍ରୀ ଡାଇରିଆ ସ୍ଥିତିର ସମୀକ୍ଷା କରିଥିଲେ । ଲୋକଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେଇଥିଲେ । ଡାଇରିଆ ନିୟନ୍ତ୍ରଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଥିଲା । କେନ୍ଦ୍ରୀୟ ଟିମ୍ ଆସି ଡାଇରିଆ ବ୍ୟାପିବା ପଛର କାରଣ ତନାଘନା କରିଥିଲେ । ତମାମ ସରକାରୀ ପଦକ୍ଷେପ ଓ ସତେଚନତା, ଡାକ୍ତରୀ ଟିମ୍ଙ୍କ ଗସ୍ତ ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ଗତ କିଛି ଦିନ ଧରି ରାଜ୍ୟରେ କୌଣସି ସ୍ଥାନରୁ ନୂଆ ରୋଗୀ ଚିହ୍ନଟ ହୋଇନଥିଲେ । ଏବେ ପୁଣି ଦିଗପହଣ୍ଡିରେ ଝାଡାବାନ୍ତିରେ ଜଣଙ୍କ ମୃତ୍ୟୁ ଭୟ ବଢାଇଛି ।