ମଧ୍ୟପ୍ରଦେଶ: ଆଜି ଗୋଟେ ଖବର ପଢ଼ିଲି। ଇଚ୍ଛା ହେଲା କାହିଁ କେଜାଣି ସେହି ଖବରକୁ ଆପଣଙ୍କ ସହ ସେଆର୍ କରିବାକୁ । ଆପଣ ଭାଗ୍ୟ ଉପରେ ବିଶ୍ୱାସ କରନ୍ତି। ହୁଏତ ହଁ ହୁଏତ ନାଁ। ମୁଁ କିନ୍ତୁ କରେ । ଆପଣ ଯଦି ବିଶ୍ୱାସ କରନ୍ତି ତାହେଲେ ଠିକ୍ ଅଛି... ଯଦି ନ କରନ୍ତି ଏମିତି କିଛି ଘଟଣା ଘଟିଯାଏ ଯାହା ଆମକୁ ଭାଗ୍ୟ ଉପରେ ବିଶ୍ୱାସ କରିବାକୁ ବାଧ୍ୟ କରିଦିଏ। ଏକଥା ତ ଆପଣ ଭଲ ଭାବେ ଜାଣନ୍ତି ସମୟ କେତେବେଳେ କାହାକୁ ରଙ୍କରୁ ରାଜା କରିଦେବ ତାହା କହିହେବ ନାହିଁ । ଏକଥାଟି ସତ୍ୟ ପ୍ରମାଣିତ ହୋଇଛି ମଧ୍ୟପ୍ରଦେଶ ପନ୍ନା ଜିଲ୍ଲାରେ ଜଣେ ଶ୍ରମିକଙ୍କ କ୍ଷେତ୍ରରେ ।
ମଙ୍ଗଳବାର ମାଧବ ନାମକ ଜଣେ ଆଦିବାସୀ ଯୁବକ ପନ୍ନାର କୃଷ୍ଣା କଲ୍ୟାଣପୁରରେ ଏକ ହୀରା ଖଣିରେ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ । ତେବେ ପ୍ରଥମ ଦିନ ହିଁ ଭାଗ୍ୟଦେବୀ ତାଙ୍କ ଉପରେ ପ୍ରସନ୍ନ ହୋଇଥିଲେ । ଖଣି ଖୋଳିବା ସମୟରେ ତାଙ୍କୁ ୧୧ କ୍ୟାରେଟ୍ର ହୀରା ମିଳିଥିଲା । ନିୟମ ଅନୁସାରେ ମାଧବ ହୀରାକୁ ପନ୍ନାସ୍ଥିତ ହୀରା କାର୍ଯ୍ୟାଳୟରେ ଜମା କରାଇଛନ୍ତି । ତାକୁ ଆଗାମୀ ନିଲାମୀରେ ରଖାଯିବ । ନିଲାମୀ ବାବଦକୁ ଯେଉଁ ଟଙ୍କା ମିଳିବ ସେଥିରୁ ୧୨.୫ ପ୍ରତିଶତ ରୟାଲଟି ଆକାରରେ କଟାଯାଇ ବାକି ଟଙ୍କା ମାଧବଙ୍କୁ ଦିଆଯିବ । ଅଧିକାରୀ ରବି ପଟେଲଙ୍କ ଅନୁସାରେ, ମାଧବ ଯେଉଁ ହୀରା ପାଇଛନ୍ତି ତାହା ଏତେ ଉଜ୍ଜ୍ୱଳ ଯେ ତାର ଦାମ୍ ଆନୁମାନିକ ଭାବେ ୪୦ ଲକ୍ଷରୁ ଅଧିକ ହୋଇପାରେ ।
ସେହି ଗୁଣବତ୍ତାର ହୀରା ବି ବିରଳ ଶ୍ରେଣୀରେ ଆସିଥାଏ । ତେବେ ଏଠି କହି ରଖୁଛି ପନ୍ନା ଜିଲ୍ଲା ହୀରା ଖଣି ଲାଗି ପ୍ରସିଦ୍ଧ । ଏହା ଭାରତର ପ୍ରମୁଖ ହୀରା ଉତ୍ପାଦକ କ୍ଷେତ୍ର । ପନ୍ନାରେ ଅନେକ ସମୟରେ ମାତ୍ର କିଛି ଫୁଟ ଖୋଳିବା ପରେ ହୀରା ମିଳିଯାଏ । ସେହିପରି ପନ୍ନା ହୀରା ନିଜର ଉଚ୍ଚ ଗୁଣବତ୍ତା ଲାଗି ବି ପ୍ରସିଦ୍ଧ । ଏ କଥାଟି ଶୁଣିବା ପରେ ଆପଣଙ୍କୁ ବି ଆପଣଙ୍କ ଭାଗ୍ୟ ଉପରେ ବିସ୍ୱାସ କରିବାକୁ ଇଚ୍ଛା ହେବଣି.. ଠିକ୍ କହି ନା... କିନ୍ତୁ ଏକଥା ବି ମନେ ରଖିବାକୁ ପଡ଼ିବ ଯେ, ଭାଗ୍ୟ ସହ ଆମକୁ କର୍ମ ବି କରିବାକୁ ପଡ଼ିବ। କାହିଁକିନା କର୍ମ କଲେ ଫଳ ସୁନିଶ୍ଚିତ।