ପୋଷା କୁକୁର ନୁହେଁ, ସେ ଆମ ସନ୍ତାନ...ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଭାରତରୁ 'ସ୍କାଏ'କୁ ଅଷ୍ଟ୍ରେଲିଆ ନେଲେ ଦମ୍ପତି

NEWS7
dharmendra-sahoo-hatya-ghatana

ନୂଆଦିଲ୍ଲୀ,୪|୦୨ : ପ୍ରତିବର୍ଷ ଦେଶ ଛାଡୁଛନ୍ତି ଶହ ଶହ ଭାରତୀୟ । ରୋଜଗାର ଆଶାରେ ହେଉ ବା ଶିକ୍ଷା ପାଇଁ, ଅନ୍ୟ ଦେଶରେ ଆରମ୍ଭ କରୁଛନ୍ତି ନୂଆ ଜୀବନ । ନୂଆ ନୂଆ ସ୍ୱପ୍ନ ନେଇ ସେମାନେ ପରଦେଶରେ ବାସିନ୍ଦା ହୋଇଯାଉଛନ୍ତି । ଏକା ଯିବା ଅପେକ୍ଷା ପରିବାର ସହ ବାହାର ଦେଶକୁ ଯିବା ପାଇଁ ପସନ୍ଦ କରୁଛନ୍ତି । ଯାହା ସାଧାରଣ କଥା । କିନ୍ତୁ ଅଷ୍ଟ୍ରେଲିଆ ଯାଇଥିବା ହାଇଦ୍ରାବାଦର ଏକ ଦମ୍ପତ୍ତି କିଛି ଏମିତି କରିଛନ୍ତି ଯାହାକୁ ନେଇ ସବୁଠି ଚର୍ଚ୍ଚା । 

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଏହାକୁ ନେଟିଜେନ୍ସ ଖୁବ୍ ପସନ୍ଦ କରିଛନ୍ତି ।ଏହି ଭିଡିଓରେ ଏମିତି କିଛି ଅଛି ଯାହା ସମସ୍ତଙ୍କୁ ଚକିତ କରିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଅଷ୍ଟ୍ରେଲିଆ ଯାଇଥିବା ଭାରତୀୟ ଦମ୍ପତି ନିଜ ଯାତ୍ରା ବାବଦରେ କହୁଛନ୍ତି । ସେମାନେ କହୁଛନ୍ତି ଯେ, ହାଇଦ୍ରାବାଦରୁ ଅଷ୍ଟ୍ରେଲିଆ ଯିବା ପାଇଁ ସବୁ ପ୍ରସ୍ତୁତି ସରିଥିଲା । ଏହି ସମୟରେ ସେମାନେ କିଛି ନିୟମ ବାବଦରେ ଜାଣିବାକୁ ପାଇଥିଲେ । ନିଜ ପୋଷା କୁକୁରକୁ ସେମାନେ ଅଷ୍ଟ୍ରେଲିଆ ନେଇପାରିବେ ନାହିଁ ବୋଲି ନିୟମ ରହିଥିଲା । ଏଥିପାଇଁ କୁକୁରକୁ ୬ ମାସ ପାଇଁ କୌଣସି ରାବିଜ୍ ମୁକ୍ତ ଦେଶରେ ରଖିବାକୁ ହେବ । ତେଣୁ ସେମାନେ ଦୁବାଇକୁ ବାଛିଥିଲେ । ସେଠାରେ ନିଜ ପୋଷା କୁକୁରର ସବୁ ସୁବିଧା କରାଇଥିଲେ । ପ୍ରଥମେ ସେମାନେ ନିଜେ ଗୋଟିଏ ମାସ ପୋଷା କୁକୁର 'ସ୍କାଏ' ସହ ଦୁବାଇରେ ରହିଥିଲେ ।

ଏହାପରେ ସେମାନେ ସ୍କାଏକୁ ଛାଡି ଅଷ୍ଟ୍ରେଲିଆ ଆସିଥିଲେ । ଯାହା ଖୁବ୍ କଷ୍ଟଦାୟକ ଥିଲା । ଲଗାତାର ସେମାନେ କୁକୁର ସହ ଭିଡିଓ କଲରେ କଥା ହେଉଥିଲେ । ଏବେ ୬ ମାସ ପରେ ସ୍କାଏ ଅଷ୍ଟ୍ରେଲିଆରେ ପହଁଚିଛି । ଯାହାଦ୍ୱାରା ସେମାନଙ୍କୁ ଖୁବ୍ ଖୁସି ଲାଗୁଛି । ଏଥିପାଇଁ ପ୍ରାୟ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା । ଟଙ୍କା ଆଉ ଥରେ ରୋଜଗାର କରିହେବ । କିନ୍ତୁ ଭଲପାଇବାର କିଛି ବିକଳ୍ପ ନାହିଁ । ଏହା କେବଳ ଖାଲି ପୋଷା କୁକୁର ନୁହେଁ ସେମାନଙ୍କ ସନ୍ତାନ ଭଳି ।

ପ୍ରଶଂସା କରୁଛନ୍ତି ନେଟିଜେନ୍ସ

ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେଲା ରରେ ଏହାକୁ ଲକ୍ଷ ଲକ୍ଷ ୟୁଜର ଭ୍ୟୁ କରିଛନ୍ତି । ସମସ୍ତେ ଦମ୍ପତିଙ୍କ ଏପରି ଭଲପାଇବାକୁ ପ୍ରଶଂସା କରୁଛନ୍ତି । ଅନେକ ସମୟରେ ଲୋକେ ନିଜ ପୋଷା ଜୀବଜନ୍ତୁଙ୍କୁ ଛାଡି ଚାଲିଯାଆନ୍ତି । ହେଲେ ଆପଣମାନେ ଏପରି କରିନଥିବା କିଛି ୟୁଜର କମେଣ୍ଟ୍ କରୁଛନ୍ତି ।