ଜମ୍ମୁ-କାଶ୍ମୀରରେ ମିଳିତ ବାହିନୀର ଅପରେସନ ସଫଳ, ୩ ଆତଙ୍କବାଦୀ ନିହତ

NEWS7
dhamnagar-mla-reaction-on-exam

କିସ୍ତୱାଡ ୨୨।୨: ଜମ୍ମୁ-କାଶ୍ମୀର କିସ୍ତୱାଡ ଜିଲ୍ଲାର ଦୁର୍ଗମ ଜଙ୍ଗଲ ରବିବାର ସକାଳେ ଗୁଳି ଶବ୍ଦରେ କମ୍ପି ଉଠିଛି। ଭାରତୀୟ ସେନାର ହ୍ୱାଇଟ୍ ନାଇଟ୍ କର୍ପସ, କାଉଣ୍ଟର ଇଣ୍ଟେଲିଜେନ୍ସ ଫୋର୍ସ (ସିଆଇଏଫ), ଡେଲ୍ଟା, ଜମ୍ମୁ-କାଶ୍ମୀର ପୋଲିସ ଓ ସିଆରପିଏଫ ମିଳିତ ଅପରେସନ ତ୍ରୈସୀ-୧ ହାତକୁ ନେଇଥିଲେ। ଘନ ବରଫରେ ଆଚ୍ଛାଦିତ ଚତୁର୍ବନ କ୍ଷେତ୍ରରେ ସୁରକ୍ଷା ବଳ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ କହିଥିଲେ। ତେବେ ସେମାନେ ଗୁଳି ଚଳାଇ ଖସିଯିବାକୁ ଚେଷ୍ଟା କରିଥିଲେ। ଫଳରେ ମିଳିତ ବାହିନୀ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛନ୍ତି।

ଏହି ଏନକାଉଣ୍ଟର ପୂର୍ବାହ୍ନ ପାଖାପାଖି ୧୧ଟା ବେଳେ ଆରମ୍ଭ ହୋଇଥିଲା। ସର୍ଚ୍ଚ ଅଭିଯାନରେ ସାମିଲ ସୈନିକମାନେ ଏକ ପାହାଡ ତଳେ ଥିବା କଚ୍ଚାଘରକୁ ଘେରି ଯାଇ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ ବାଧ୍ୟ କରିଥିଲେ। ତେବେ ଆତଙ୍କବାଦୀ ଘେରିଯାଇଥିବା ଜାଣିବା ପରେ ଅନ୍ଧାଦୁନିଆ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ। ପ୍ରତିକୂଳ ପାଗ ଓ ବହଳ ବରଫରେ ମିଳିତ ବାହିନୀ ନିଜ ସ୍ଥିତିକୁ ମଜଭୁତ ରଖିଥିଲେ। ପ୍ରାରମ୍ଭିକ ଘଣ୍ଟାକ ମଧ୍ୟରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା। ପରେ ତୃତୀୟ ଆତଙ୍କବାଦାର ଶବ ଉଦ୍ଧାର ହୋଇଛି।

ଘଟଣାସ୍ଥଳରୁ ସୁରକ୍ଷା ବଳ ଏକେ-୪୭ ରାଇଫଲ ସମେତ ବିପୁଳ ପରିମାଣର ଗୋଳାବାରୁଦ ଜବତ କରିଛନ୍ତି। ସୈନ୍ୟ ସୂତ୍ର ଅନୁସାରେ ପ୍ରାଣ ହରାଇଥିବା ୩ ଆତଙ୍କବାଦୀ ପାକିସ୍ତାନସ୍ଥିତ ଜୈସ-ଏ-ମହମଦ ସହ ସମ୍ପର୍କିତ। ହୁଏତ ଏମାନେ ପାକିସ୍ତାନୀ ନାଗରିକ ବି ହୋଇଥାଇପାରନ୍ତି। ଏଥିରେ ଜଣେ ଆତଙ୍କବାଦୀକୁ ସୈଫୁଲ୍ଲା ନାମରେ ଚିହ୍ନଟ କରାଯାଇଛି। ତେବେ ଅଧିକାରୀକ ପରିଚୟ ପ୍ରକ୍ରିୟଆ ଏବେବି ଜାରି ରହିଛି।

କିସ୍ତୱାଡାର ଚତୁର ବେଲ୍ଟ ଗତ କିଛିସମୟ ହେଲା ସୁରକ୍ଷା ବଳଙ୍କ ରାଡାରରେ ରହିଛି। ଗତମାସରେ ଏହି କ୍ଷେତ୍ରରେ ପାଖାପାଖି ୬ ଥର ଏନକାଉଣ୍ଟର ପରିସ୍ଥିତି ସୃଷ୍ଟି ହୋଇଥିଲା। ରବିବାର ଏହି ମିସନ ଜମ୍ମୁରୁ ଜୈସ-ଏ-ମହମଦ ନେଟୱାର୍କ ସମାପ୍ତ କରିବା ପାଇଁ ଚଳାଯାଇଥିବା ଶୀତକାଳୀନ ଅଭିଯାନର ଅଂଶବିଶେଷ। ଚଳିତବର୍ଷ ସୁରକ୍ଷାବଳ ଏ ପର୍ଯ୍ୟନ୍ତ ଉଦ୍ଦମପୁର, କଠୁଆ, କିସ୍ତୱାଡ ଜୈସ ସମ୍ପର୍କିତ ମୋଟ ୭ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ସମ୍ପୂର୍ଣ୍ଣ ଅଞ୍ଚଳରେ ଏବେବି ତଲାସ ଅଭିଯାନ ଜାରି ରହିଛି।