'ବିରାଟ୍ ଫ୍ଲପ୍ କ୍ୟାପ୍ଟେନ୍, ନିରାଶ କରିଛନ୍ତି ରନ୍ ମେସିନ'- ପୂର୍ବତନ କ୍ରିକେଟରଙ୍କ ଟାର୍ଗେଟରେ ରନ୍ ମେସିନ୍

NEWS7
dgps-of-7-states-meet-in-city-plan-to-contain-maoists

ନୂଆଦିଲ୍ଲୀ, ୨୪/୧୨: ଭାରତୀୟ କ୍ରିକେଟର ରନ୍ ମେସିନ ବିରାଟ କୋହଲି । ଖାତାରେ ଅନେକ ରେକର୍ଡ । ଅନେକ ମାଇଲଷ୍ଟୋନ୍ । ଟେଷ୍ଟ୍ ଟିମରେ ସେ କ୍ୟାପ୍ଟେନ୍ ଥିବା ବେଳେ ରାଜୁତି କରୁଥିଲା ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଭଳି ଦଳ ଭୟରେ ରହୁଥିଲେ । ଦିନିକିଆ ଏବଂ ଟି୨୦ରେ ମଧ୍ୟ ଆକ୍ରମଣାତ୍ମକ ଖେଳୁଥିଲା ଭାରତ । ହେଲେ ତାଙ୍କ ନେତୃତ୍ୱକୁ ନିରାଶଜନକ କହିଛନ୍ତି ପୂର୍ବତନ ସ୍ପିନର ହରଭଜନ ସିଂ ।ଏହାସହ ବିରାଟ ଆଉ କିଛି ଟ୍ରଫି ଜିତିପାରିଥାନ୍ତେ ବୋଲି ସେ କହିଛନ୍ତି । ହରଭଜନଙ୍କ କଥାକୁ ଅଷ୍ଟ୍ରେଲିଆ ଦଳର ପୂର୍ବତନ କ୍ରିକେଟର ଟମ୍ ମୁଡି ମଧ୍ୟ ସମର୍ଥନ କରିଛନ୍ତି ।

ସୂଚନାନୁସାରେ, ଜିଓ ହଟଷ୍ଟାରରେ ଟି୨୦ ବିଶ୍ୱକପ୍ ପୂର୍ବରୁ ଏକ କାର୍ଯ୍ୟକ୍ରମ ହେଉଥିଲା । ଏଥିରେ ହରଭଜନଙ୍କ ସହ ଟିମ୍ ମୁଡି ଏବଂ ଆରୋନ ଫିଞ୍ଚ୍ ସାମିଲ ଥିଲେ । କାର୍ଯ୍ୟକ୍ରମରେ ବିରାଟଙ୍କ କପ୍ତାନୀ ନେଇ ଆଲୋଚନା ହେଉଥିଲା । ଏଥିରେ ୨୦୨୧ ଅଷ୍ଟ୍ରେଲିଆ ଦଳର ଟି୨୦ ଚାମ୍ପିଅନ୍ ଟିମର ଅଧିନାୟକ ଫିଞ୍ଚ୍ କହିଛନ୍ତି ଯେ, ଭାରତୀୟ ଟିମ ଉପରେ ଅନେକ ଆଶା ରହିଥାଏ । ଫ୍ୟାନ୍ସମାନେ ଭାରତ ଜିତୁ ବୋଲି ଆଶା କରିଥାନ୍ତି ।

ହରଭଜନ କହିଛନ୍ତି ଯେ, ଟେଷ୍ଟରେ ବିରାଟ ସଫଳ ହୋଇଛନ୍ତି । କିନ୍ତୁ ସେ ଟି20 ଏବଂ ଦିନିକିଆର ଅଧିନାୟକ ଥିବା ବେଳେ ଭାରତ କୌଣସି ଟ୍ରଫି ଜିତିନାହିଁ । ଏପରିକି୨୦୧୭ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଦଳ ପାକିସ୍ତାନଠୁ ୧୮୦ ରନରେ ପରାସ୍ତ ହୋଇଥିଲା । ୨୦୧୯ ଆଇସିସି ବିଶ୍ୱକପ୍ ସେମିରେ ନ୍ୟୁଜିଲାଣ୍ଡଠୁ ମଧ୍ୟ ପରାସ୍ତ ହୋଇଛି । ଏପରିକି ୨୦୨୧ ବିଶ୍ୱକପରେ ଦଳ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡଠୁ ଗ୍ରୁପ୍ ପର୍ଯ୍ୟାୟରେ ପରାସ୍ତ ହୋଇଥିଲା । ବିରାଟଙ୍କ ପାଖରେ ଯେଉଁ ଟିମ୍ ଥିଲା ତାହା ସହଜରେ ତିନି ଚାରୋଟି ଟ୍ରଫି ଜିତିପାରିଥାନ୍ତା । ହରଭଜନଙ୍କ ଏହି କଥାକୁ ମୁଡି ବିରାଟଙ୍କ ନିରାଶଜନକ ପ୍ରଦର୍ଶନ ବୋଲି କହିଥିଲେ । ଦର୍ଶକ ଅନେକ ଆଶା ରଖିଥିଲେ ବି ବିରାଟଙ୍କ ଯୁଗ ନିରାଶାରେ ଭରି ରହିଥିଲା ।

ଅନ୍ୟ ଦିଗରେ ସଞ୍ଜୟ ମାଞ୍ଜରେକର କହିଛନ୍ତି ଯେ, କୋହଲି ଏବଂ ଶାସ୍ତ୍ରୀ ଯୁଗରେ ଦଳ ଚୟନ ସଦାବେଳେ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା । ସେ ନିଜେ ମଧ୍ୟ ଦଳ ଘୋଷଣା ପରେ ଚିନ୍ତାପ୍ରକଟ କରୁଥିଲେ । କିନ୍ତୁ ଦକ୍ଷିଣ ଆଫ୍ରିକାର ପୂର୍ବତନ ଖେଳାଳି ଏବି ଡିଭିଲର୍ସ ବିରାଟଙ୍କ ସମର୍ଥନରେ ବାହାରିଥିଲେ । ବିଶ୍ୱକପ୍ ଜିତିବା ଆଧାରରେ କେଉଁ ଖେଳାଳିଙ୍କ ପ୍ରଦର୍ଶନକୁ ମାପି ହେବ ନାହିଁ ବୋଲି ସେ କହିଥିଲେ ।

ସୂଚନାଯୋଗ୍ୟ, ବିରାଟଙ୍କ ନେତୃତ୍ୱରେ ଭାରତ ୫୦ଟି ଟି୨୦ ଖେଳିଛି । ଏହାମଧ୍ୟରୁ ୩୦ଟି ଜିତିଥିବା ବେଳେ ୧୬ଟିରେ ପରାସ୍ତ ହୋଇଛି । ଏହାସହ ୯୫ଟି ଦିନିକିଆରେ ଦଳ ୬୫ଟିରେ ବିଜୟୀ ହୋଇଥିବା ବେଳେ ୨୭ରେ ମାତ୍ ଖାଇଥିଲା ।