ତୁର୍କି ଏୟାରଲାଇନ୍ସ କୁ DGCAଙ୍କ କଡ଼ା ଚେତାବନୀ, ବିନା ଅନୁମତିରେ ଆଣିଥିଲା ବିସ୍ଫୋରକ

Published By : Prameya-News7 Bureau | June 05, 2025 IST

ନୂଆଦିଲ୍ଲୀ ୫।୬:  ତୁର୍କି ଏୟାରଲାଇନ କୁ ସମସ୍ତ ନିୟମ ପାଳନ କରିବା ପାଇଁ ଭାରତ କଡ଼ା ଚେତାବନୀ ଦେଇଛି। ଗତ ସପ୍ତାହେ ହେଲା ଦିଲ୍ଲୀ, ହାଇଦ୍ରାବାଦ, ଚେନ୍ନାଇ ଓ ବେଙ୍ଗାଲୁରୁ ଭଳି ବିମାନ ବନ୍ଦରରେ ତୁର୍କି ଏୟାରଲାଇନ୍ସର ଅଚାନକ ଯାଞ୍ଚ କରାଯାଇଥିଲା। ଏଥିରେ ଏୟାରଲାଇନ୍ସର ଅନେକ ତ୍ରୁଟି ଧରାପଡିଛି, ଏପରିକି ବିନା ସୂଚନାରେ ବିସ୍ଫୋରକ ପରିବହନ ଘଟଣା ମଧ୍ୟ ସାମ୍ନାକୁ ଆସିଛି। ଏଣୁ ଏୟାରଲାଇନସକୁ ଏଥି ପାଇଁ ସତର୍କ କରାଇ ଦିଆଯାଇଛି। 

୨୯ ମେରୁ ୨ ଜୁନ ପର୍ଯ୍ୟନ୍ତ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଏୟାରଲାଇନ୍ସର ଯାତ୍ରୀ ଓ କାର୍ଗୋ ଉଡାଣର ସୁରକ୍ଷା ନିରୀକ୍ଷଣ ଓ ରାମ୍ପ ନିରୀକ୍ଷଣ କରିଥିଲେ। ଏଥିରେ କାର୍ଗୋରେ ବିପଦଜନକ ସାମଗ୍ରୀ ଥିବା ଜଣାପଡିଥିଲା। ଭାରତରୁ ଅଥବା ଭାରତ ଦେଇ ବିସ୍ଫୋରକ ପରିବହନ ପାଇଁ ଡିଜିସିଏଙ୍କ ଅନୁମତି ଲୋଡ଼ା ଯାଇଥାଏ। ଯାଞ୍ଚ ବେଳେ ଏହା ନା ତ ଆଟାଚ୍ ଥିଲା ନା ବିପଦଜନକ ସାମଗ୍ରୀ ଭାବେ ଏହାର ଉଲ୍ଲେଖ ଥିଲା। କେବଳ ଏତିକି ନୁହେଁ ଗ୍ରାଉଣ୍ଡ ହ୍ୟାଣ୍ଡଲିଂ କାଗଜପତ୍ରରେ ମଧ୍ୟ ଭୁଲଭଟକା ଥିବା ଜଣାପଡିଛି। 

ଡିଜିସିଏ ତାଙ୍କର ଅତୁଟ ପ୍ରତିବଦ୍ଧତା ଉପରେ ଗୁରୁତ୍ୱ ଦେଇ କହିଛନ୍ତି ଯେ ଭାରତୀୟ ଏୟାର ସ୍ପେସ୍ ରେ ସମସ୍ତ ବିଦେଶୀ ଅପରେଟରଙ୍କ ସୁରକ୍ଷା ଓ ନିୟାମକୀୟ ଅନୁପାଳନ ସୁନିଶ୍ଚିତ କରିବେ। ଏଣୁ ତୁର୍କି ଏୟାର ଲାଇନ୍ସ କୁ ଡିଜିସିଏ ନିୟମଗୁଡିକର ପୂର୍ଣ୍ଣ ପାଳନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣା ବିମାନ ସୁରକ୍ଷାକୁ ନେଇ ଭାରତର ଗମ୍ଭିରତାକୁ ଦର୍ଶାଉଛି ଓ ସବୁ ଅନ୍ତର୍ଜାତୀୟ ଏୟାରଲାଇନ୍ସ ନିମନ୍ତେ ଏହା ସ୍ପଷ୍ଟ ବାର୍ତ୍ତା ଦେଉଛି ଯେ ଭାରତୀୟ ଏୟାରସ୍ପେସ୍‌ ରେ ନିୟମର ଉଲ୍ଲଂଘନକୁ ବରଦାସ୍ତ କରାଯିବନି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.