ପୁରୀ,୦୭/୦୭: ସୋମବାର ଦ୍ୱାଦଶୀ ତିଥିରେ ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ହେବ । ଠାକୁରଙ୍କ ମଧ୍ୟାହ୍ନ ଧୂପ ସରିଲେ ଏହି ନୀତି ହେବ । ଅଧର ନୀତି ରାତି ୮ଟାରେ ସମ୍ପନ୍ନ କରାଯିବାକୁ ପ୍ରଶାସନିକ ସମୟ ଧାର୍ଯ୍ୟ ହୋଇଛି । ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଧର ଉଚ୍ଚା ତୁମ୍ୱାକୃତି ମାଟିପାତ୍ରରେ ପଣା ପ୍ରସ୍ତୁତ ହେବ । ଭୋଗ ପରେ ରଥ ଉପରେ ହାଣ୍ଡି ଭଙ୍ଗା ଯିବ ।
କିମ୍ବଦନ୍ତୀ କୁହେ ଉକ୍ତ ଭୋଗ ପଣା ରଥ ପାଶ୍ୱର୍ଦେବାଦେବୀ, ଅଶରୀର ତଥା ଚଣ୍ଡୀ ଚାମଣ୍ଡାଙ୍କ ଉଦ୍ଦେଶ୍ୟରେ ସମର୍ପଣ ହୁଏ । ପ୍ରତି ରଥରେ ଦାରୁବିଗ୍ରହଙ୍କ ଉଦ୍ଦେଶ୍ୟରେ ୩ଟି ଲେଖାଏଁ ହାଣ୍ଡିରେ ପଣା ଭୋଗ କରାଯିବ । ଛାଚି, ସର, କଦଳୀ, ଛେନା, ଗୋଲମରିଚ, କର୍ପୂର ଓ ଜାଇଫଳ ଆଦି ପଣା ସାମଗ୍ରୀ ପହଞ୍ଚାଯାଏ । ମହାପ୍ରଭୁଙ୍କ ସେବକମାନେ ପଣା ପ୍ରସ୍ତୁତ କରିବେ ।
ଅଧର ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ, ରାଘବାଦାସ ମଠ ଓ ବଡ଼ଓଡ଼ିଆ ମଠ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଥାଏ । ପାରମ୍ପରିକ କୁମ୍ଭାରମାନେ ୯ଟି ଅଧର ହାଣ୍ଡି ତିଆରି ଯୋଗାଇଥାନ୍ତି । ୩ଟା ୩୦ମିନିଟ୍ରୁ ୪ଟା ୩୦ମିନିଟ୍ ମଧ୍ୟରେ ମଧ୍ୟାହ୍ନ ଧୂପ ବଢ଼ିବ । ଏହାପରେ ଅଧରପଣା ଭୋଗ ସରି ଅନ୍ୟାନ୍ୟ ନୀତି ବଢ଼ି ରାତି ୨ଟାରେ ଠାକୁରଙ୍କ ପହୁଡ଼ ହେବ।