କାହିଁକି ପାକିସ୍ତାନ ପାଇଁ ଜରୁରୀ ନାମିବ୍ୟା ବିପକ୍ଷ ମୁକାବିଲା ? ହାରିଲେ ବଦଳିଯିବ ସୁପର-୮ର ଗଣିତ !

NEWS7
devi-prasad-padhys-book-soul-brother-release

କଲମ୍ବୋ, ୧୮/୦୨ : କର ବା ମର ସ୍ଥିତିରେ ପାକିସ୍ତାନ । ହାରିଲେ ଅଷ୍ଟ୍ରେଲିଆ ଭଳି ସ୍ଥିତି ଉପୁଜିବ । ସୁପର ୮ରେ ପ୍ରବେଶ କରିପାରିବନି ପାକ୍ । ଲିଗ୍ ମୁକାବିଲାରୁ ହିଁ ବିଦାୟ ନେବ । ନାମିବ୍ୟା ବିପକ୍ଷ ମ୍ୟାଚ୍ ପୂର୍ବରୁ କିଛି ଏମିତି ଚର୍ଚ୍ଚା ।

ଚାଲିଛି ଟି୨୦ ବିଶ୍ୱକପ୍ । ଗ୍ରୁପ୍ ଏ ରେ ସ୍ଥାନ ପାଇଛି ପାକିସ୍ତାନ । ଏହି ଗ୍ରୁପରେ ପାକିସ୍ତାନ ସହ ଭାରତ, ଆମେରିକା, ନାମିବ୍ୟା ଏବଂ ନେଦରଲ୍ୟାଣ୍ଡସ ଅଛନ୍ତି । ତେବେ ଭାରତ ତିନୋଟି ମ୍ୟାଚ୍ ଖେଳି ସମସ୍ତ ତିନୋଟି ମ୍ୟାଚ୍ ଜିତି ସୁପର ୮ରେ ପ୍ରବେଶ କରିଛି । ହେଲେ ପଏଣ୍ଟ ଟେବୁଲରେ ଦ୍ୱିତୀୟରେ ରହିଛି ଆମେରିକା । ଆମେରିକା ନେଦରଲ୍ୟାଣ୍ଡସ ଏବଂ ନାମିବ୍ୟାଙ୍କୁ ମାତ୍ ଦେଇଛି । ଅନ୍ୟ ଦିଗରେ ତୃତୀୟରେ ରହିଛି ପାକିସ୍ତାନ ।

ତେବେ ପାକିସ୍ତାନ ପାଇଁ ନାମିବ୍ୟା ବିପକ୍ଷ ମୁକାବିଲା ଗୁରୁତ୍ୱପୂର୍ଣ୍ଣ । କାରଣ ଯଦି ନାମିବ୍ୟା ବାଜି ମାରେ ତାହାଲେ ପାକିସ୍ତାନର ବିଶ୍ୱକପ ଆଶା ମଉଳିଯିବ । ଦଳ ସୁପର ୮ରେ ପ୍ରବେଶ କରିପାରିବ ନାହିଁ । ଲିଗ୍ ମୁକାବିଲାରୁ ହିଁ ବିଦାୟ ନେବ ସଲମାନ ଆଗାଙ୍କ ଟିମ୍ । କାରଣ ଏଥର ବିଶ୍ୱକପରେ ଅନେକ ବଡ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ଜିମ୍ବାଓ୍ୱେ ଭଳି ଟିମ୍ ଅଷ୍ଟ୍ରେଲିଆକୁ ପରାସ୍ତ କରିଛନ୍ତି । ୧୭ ବର୍ଷ ପରେ କୌଣସି ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରେ ସୁପର ୮ ପୂର୍ବରୁ ଅଟକିଛି ଅଷ୍ଟ୍ରେଲିଆ । ସେହିପରି ଦୁର୍ବଳ ଦଳଠୁ ହାରିଛି ଇଂଲଣ୍ଡ ।

ପାକିସ୍ତାନ ଟିମ୍ କୁ ଦେଖିଲେ ଦଳର ଅନେକ ଦୁର୍ବଳତା ସାମ୍ନାକୁ ଆସିଛି । ଭାରତ ବିପକ୍ଷରେ ପାକିସ୍ତାନୀ ବ୍ୟାଟର ସମ୍ପୂର୍ଣ୍ଣ ଭାବେ ଆତ୍ମସମର୍ପଣ କରିଦେଇଥିଲେ । କୌଣସି ଖେଳାଳି ଭଲ ସ୍କୋର କରିପାରିନଥିଲେ । ବାବର ଆଜମଙ୍କ ଭଳି ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଦଳର ଓପନିଂ ଏବଂ ମିଡିଲ ଅର୍ଡର ଫେଲ୍ ମାରିଥିଲା ।

ବୋଲିଂ ବିଭାଗରେ ଦଳ ସେତେଟା ଶକ୍ତିଶାଳୀ ନୁହେଁ । କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ପାକ୍ ର ପ୍ରିମିୟମ ବୋଲରମାନେ ରନ୍ ଅଟକାଇ ପାରିନଥିଲେ । ଇଶାନ କିଷାନ ସମସ୍ତ ବୋଲରଙ୍କୁ ପ୍ରହାର କରିଥିଲେ । ପେସର ଏବଂ ସ୍ପିନର ସମସ୍ତେ ମାଟି କାମୁଡିଥିଲେ । ଯଦି ନାମିବ୍ୟା ବ୍ୟାଟର ପ୍ରଥମେ ବ୍ୟାଟିଂ କରି ୧୬୦-୧୭୦ ରନ୍ କରନ୍ତି ତାହାଲେ ପାକିସ୍ତାନର ଜିତିବା କଷ୍ଟକର ହୋଇଯିବ ।

ଲିଗରେ ଏବେସୁଦ୍ଧା ଖାତା ଖୋଲିପାରିନି ନାମିବ୍ୟା । ଦଳ ତିନୋଟି ମ୍ୟାଚ୍ ଖେଳି ସମସ୍ତ ମୁକାବିଲାରେ ପରାସ୍ତ ହୋଇଛି । ତେଣୁ ଶେଷ ମ୍ୟାଚ୍ ଜିତି ସମ୍ମାନ ରକ୍ଷା କରିବାକୁ ଦଳ ଖେଳିବ । ନାମିବ୍ୟା ଜିତିଗଲେ ପାକିସ୍ତାନକୁ ଲାଗିବ ବଡ ଝଟକା ।