ପୁଟିନଙ୍କ ‘ସିକ୍ରେଟ୍‌ ଝିଅ’ ପୁଣି ଚର୍ଚ୍ଚାରେ, କହିଲେ - ସେ ‘ମୋ ଜୀବନ ନଷ୍ଟ କରି ଦେଲେ’

Published By : Prameya-News7 Bureau | August 04, 2025 IST

ନୂଆଦିଲ୍ଲୀ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଗୁପ୍ତ ଝିଅ ଏଲିଜାଭେଟା କ୍ରିଭୋନୋଗିଖ ପୁଣି ଥରେ ଖବରର ଶିରୋନାମାରେ। ସେ ଲୁଇଜା ରୋଜୋଭା ନାଁରେ ଜଣାଶୁଣା। ସେ ସମ୍ପ୍ରତି ତାଙ୍କ ବ୍ୟକ୍ତିଗତ ଟେଲିଗ୍ରାମ ଚ୍ୟାନେଲରେ ଭାବନାତ୍ମକ ଓ ରହସ୍ୟମୟୀ ମେସେଜ ସେୟାର କରିଛନ୍ତି। ଏଥିରେ ରୋଜୋଭା ନିଜ ବାପାଙ୍କ ଆଡ଼କୁ ଇସାରା କରି ଏକ ଏମିତି ବ୍ୟକ୍ତିଙ୍କ ନିନ୍ଦା କରିଛନ୍ତି , ଯିଏକି ତାଙ୍କର ଜୀବନ ନଷ୍ଟ କରି ଦେଇଛନ୍ତି। ୨୨ ବର୍ଷୀୟା ରୋଜୋଭା ଲେଖିଛନ୍ତି , ସେ ବ୍ୟକ୍ତି ଯିଏ ଲକ୍ଷ ଲକ୍ଷ ଜୀବନ ନେଇଗଲେ ଏବଂ ମୋ ଜୀବନ ନଷ୍ଟ କରିଦେଇଛନ୍ତି। 

ଏଲିଜାଭେଟା କ୍ରିଭୋନୋଗିଖ କହିଛନ୍ତି ଯେ, ଏବେ ସେ ଖୋଲାଖୋଲି ଭାବେ ଦୁନିଆ ସାମ୍ନାକୁ ନିଜର ପରିଚୟ ଆଣିବେ , ଯାହା ତାଙ୍କୁ ମନେପକାଇବ ଯେ ,ସେ କିଏ ଏବଂ କିଏ ତାଙ୍କ ଜୀବନ ଉପରେ ପ୍ରଭାବ ପକାଇଛି। ପ୍ରଥମେ ସେ ଇନଷ୍ଟାଗ୍ରାମ୍‌ରେ ନିଜ ଚେହେରା ଲୁଚାଉ ଥିଲେ , କିନ୍ତୁ ଏବେ ସେ ପୁରା ଫଟୋ ସେୟାର କରିବା ଆରମ୍ଭ କରି ଦେଇଛନ୍ତି। ତାଙ୍କ ମାଆ ସ୍ୱେତଲାନା କ୍ରିଭୋନୋଗିଖ ଦିନେ ସଫେଇ କର୍ମଚାରୀ ଭାବେ କାମ କରୁଥିଲେ। ତାଙ୍କ ସହ ପୁଟିନଙ୍କର ସଂପର୍କର ଖବର ୨୦୨୦ରେ ପ୍ରୋଜେକ୍ଟ ନାମକ ଯାଞ୍ଚରୁ ସ୍ପଷ୍ଟ ହୋଇଛି। ସ୍ୱେତଲାନାଙ୍କର ସଂପତ୍ତି ମଧ୍ୟ ଖୁବ୍‌ ବଢି ଚାଲିଲା , ଯେଉଁଥିରେ ପୁଟିନଙ୍କ ଠାରୁ ଧନ ପାଇବାର ଅନୁମାନକୁ ଜୋର ଦେଇଥିଲା। 

ଏଲିଜାଭେଟା ଏବେ ପ୍ୟାରିସରେ ରହୁଛନ୍ତି। ସେ ଜୁନ୍‌ ୨୦୨୪ରେ ICART ସ୍କୁଲ ଅଫ୍‌ କଲଚରାଲ ଆଣ୍ଡ ଆର୍ଟ ମ୍ୟାନେଜମେଣ୍ଟରୁ ଗ୍ରାଜୁଏସନ କରିଛନ୍ତି। ରୁଷ୍‌ ଛାଡ଼ିବା ନେଇ ସେ ଲେଖିଛନ୍ତି , ସେ ନିଜର ପ୍ରିୟ ସେଣ୍ଟ ପିଟର୍ସବର୍ଗରେ ଆଉ ବୁଲି ପାରିବେ ନାହିଁ କି ନିଜର ପସନ୍ଦଯୋଗ୍ୟ ସ୍ଥାନକୁ ଯାଇ ପାରିବେ ନାହିଁ । ଏବେ ସେ ପ୍ୟାରିସ୍‌ ସ୍ଥିତ ଆର୍ଟ ଏଲ ଗ୍ୟାଲେରୀ ଓ ଏସ୍ପେସ୍ ଅଲବାଟ୍ରୋସ୍‌ରେ କାମ କରୁଛନ୍ତି। ଯାହା ଯୁଦ୍ଧ ବିରୋଧି ପ୍ରଦର୍ଶନୀ ପାଇଁ ଜଣାଶୁଣା। ସେ ନିଜର ଛବି ପରିବର୍ତ୍ତନ କରିଛନ୍ତି ଏବଂ ଏବେ ସେ ୟୁକ୍ରେନ ଯୁଦ୍ଧ ବିରୋଧରେ କହୁଛନ୍ତି। ଏହାସହ ନିଜର ପୂର୍ବର ସୁ୍ଦର ଜୀବନଶୈଳୀ ଠାରୁ ଦୂରେଇ ଯାଇଛନ୍ତି। ସେ ଏବେ ଏଲିଜାଭେଟା ରୁଡନୋଭା ନାମରେ ପରିଚିତା ।

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.