ସାମାନ୍ୟ ବାଚସା ପାଲଟିଲା କାଳ, ଯୁବକଙ୍କ ଜୁଆଳି ମାଡ଼ରେ ବୃଦ୍ଧଙ୍କ ମୃତ୍ୟୁ

NEWS7
deputy-chief-minister-pravati-parida-reacted-to-operation-sindoor

ଉମରକୋଟ ୨।୩: ସାମାନ୍ୟ ବଚସା ପରେ ଉତ୍ତ୍ୟକ୍ତ ଯୁବକଙ୍କ ମରଣାନ୍ତକ ଆକ୍ରମଣ । ଜୁଆଳି ମାଡ଼ରେ ଚାଲିଗଲା ଜଣେ ବୃଦ୍ଧଙ୍କ ଜୀବନ । ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅନ୍ତର୍ଗତ କରଲାପଡା ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଝରିଗାଁ ବ୍ଲକ୍ ଇଚ୍ଛାପୁର ପଞ୍ଚାୟତ କରଲାପଡା ଗାଁ ନିକଟ ଜଙ୍ଗଲକୁ ୮ଜଣ ଲୋକ ଇଟାଭାଟି ପୋଡ଼ିବା ପାଇଁ ଯାଇଥିଲେ । ସେଠାରେ କୌଣସି କଥାକୁ ନେଇ କରଲାପଡା ଗାଁର ଲଛମନ ମାଝୀ ଓ ୬୮ ବର୍ଷ ବୟସ୍କ ବୃଦ୍ଧ ଗୋବର୍ଦ୍ଧନ ମାଝୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଲଛମନ ପାଖରେ ପଡ଼ିଥିବା ଏକ କାଠ ଜୁଆଳିରେ ଗୋବର୍ଦ୍ଧନଙ୍କ ମୁଣ୍ଡକୁ ଶକ୍ତ ପ୍ରହାର ଦେଇଥିଲେ । ଫଳରେ ଗୋବର୍ଦ୍ଧନ ତଳେ ପଡ଼ି ଛଟପଟ ହେଉଥିଲା । ସ୍ଥାନୀୟ ଲୋକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୋବର୍ଦ୍ଧନଙ୍କୁ ତୁରନ୍ତ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ । ପ୍ରାଥମିକ ଚିକିତ୍ସା ପରେ ସେ ଘରକୁ ଫେରିଥିଲେ କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ପୁଣି ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି । ଅଭିଯୁକ୍ତ ଲଛମନ ମାଝୀକୁ ପୋଲିସ ଉଠାଇ ଆଣି ଥାନାରେ ଅଟକ ରଖିଛି । ସାମାନ୍ୟ କଥାରୁ ହତ୍ୟା ଭଳି ଜଘନ୍ୟକାଣ୍ଡ ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ତେବେ ଏହି ଘଟଣା ପଛରେ ଆଉ କିଛି କାରଣ ରହିଛି କି ନାହିଁ, ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।