ରାଜ୍ୟରେ ମାଡି ଚାଲିଛି ଡେଙ୍ଗୁ, ୧୫୦୦ ପାର୍ କଲା ଆକ୍ରାନ୍ତଙ୍କ ସଂଖ୍ୟା, ଖଣ୍ଡଗିରି ସ୍ଥିତି ସଂଗୀନ

Published By : Prameya-News7 Bureau | August 10, 2024 IST

ବର୍ଷା ଆଣିଲା ଡେଙ୍ଗୁ  ଭୟ । ସହରାଞ୍ଚଳରେ ମଶା ଉତ୍ପାତ ଚରମ ସୀମାରେ ପହଞ୍ଚିଛି । ମଶା କାମୁଡ଼ାରେ କଲବଲ ହେଉଛନ୍ତି  ଲୋକେ । ଆଉ ଡେଙ୍ଗୁ ଜ୍ୱରରେ ଥରୁଛନ୍ତି ରୋଗୀ ।  ଜ୍ୱର ହେଲା ମାତ୍ରେ ଲୋକ ଭୟରେ ହସ୍ପିଟାଲ୍‌କୁ ଡେଙ୍ଗୁ ପରୀକ୍ଷା ପାଇଁ ଧାଉଁଛନ୍ତି । ଏପଟେ ରାଜ୍ୟରେ  ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨ହଜାର ମୁହାଁ ହେବାକୁ  ଗଲାଣି । ବର୍ତ୍ତମାନ ୧୬୪୦ ଜଣ ରୋଗୀ ଚିହ୍ନଟ ହେଲେଣି । 

ଡେଙ୍ଗୁ ମଶା ଖୋର୍ଦ୍ଧା ଜିଲ୍ଳାରେ ଆତଙ୍କ ସୃଷ୍ଟି କରିଛି । ଖୋର୍ଦ୍ଧାରେ ୪୫୦, ସୁନ୍ଦରଗଡ଼ରେ  ୩୬୦, ବଲାଙ୍ଗିରରେ ୧୨୦ ଓ କଟକ ୨୭୦ ଚିହ୍ନଟ  ହେଲେଣି । ରାଜଧାନୀର ଗଳିକନ୍ଦିରେ ମଶା । ଘରେ ବାହାରେ ଶାନ୍ତିରେ ଶୁଆଇ ବସେଇ ଦେଉନାହାନ୍ତି । ବର୍ତ୍ତମାନ ସୁଦ୍ଧା ୩୭୯ ରୋଗୀ ଚିହ୍ନଟ ହେଲେଣି । ଚଳିତ ମାସରେ ୧୦୬ ରୋଗୀ ଚିହ୍ନଟ ହେଲେଣି । ଦିନକରେ ୨୬ ଚିହ୍ନଟ ହୋଇଛନ୍ତି ।  ବର୍ତ୍ତମାନ ଖଣ୍ଡଗିରି ଅଞ୍ଚଳରେ ସ୍ଥିତି ସଙ୍ଗିନ ରହିଛି । ସେଠାରେ ବର୍ତ୍ତମାନ ସୁଦ୍ଧା ୩୨  ରୋଗୀ ଚିହ୍ନଟ ହେଲେଣି । ବରମୁଣ୍ଡାରେ ୧୭, ଆଇଆରସି ଭିଲେଜ୍‌ରେ ୧୬, ସହିଦନଗରରେ ୨୪, ନନ୍ଦନବିହାରରେ ୧୭ ଓ ପଥରଗାଡ଼ିଆରେ ୧୯ ରୋଗୀ  ଚିହ୍ନଟ ହେଲେଣି । ସେହିପରି କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ୨୧୭ ପରୀକ୍ଷାରୁ ୧୧ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର କହିଛନ୍ତି, ଗତ  ବର୍ଷ ତୁଳନାରେ ଚଳିତ ବର୍ଷ ରୋଗୀଙ୍କ ସଂଖ୍ୟା  ବଢ଼ିନି । ଏବେ ରାଜ୍ୟରେ ଦୈନିକ ୫୦ରୁ ୧୦୦ ଭିତରେ ଚିହ୍ନଟ ହେଉଛନ୍ତି । ଗତବର୍ଷ ୨୯ହଜାର  ଡେଙ୍ଗୁ ପରୀକ୍ଷା ହୋଇଥିଲା । 

ହେଲେ ଏବର୍ଷ ବର୍ତ୍ତମାନ ସୁଦ୍ଧା ୫୬ହଜାର ପରୀକ୍ଷା ହେଲାଣି । ଗତ ବର୍ଷ ତୁଳନାରେ ଡେଙ୍ଗୁ ପରୀକ୍ଷା ବଢ଼ିଛି ।  ହେଲେ ରୋଗୀଙ୍କ ସଂଖ୍ୟା ସେତେ ବଢ଼ିନି । ରାଜ୍ୟର  ୪୦ ସ୍ଥାନରେ ଡେଙ୍ଗୁ ପରୀକ୍ଷା କରାଯାଉଛି । ଖୋର୍ଦ୍ଧା  ଓ ରାଉରକେଲାରେ ରୋଗୀ ସଂଖ୍ୟା ଅଧିକ ରହିଛି ବୋଲି ସେ କହିଛନ୍ତି । ଅନ୍ୟପଟରେ ରାଜ୍ୟ ସ୍ୱାସ୍ଥ୍ୟ  ବିଭାଗ ଡେଙ୍ଗୁ ନିୟନ୍ତ୍ରଣ ଓ ପ୍ରତିକାର ପାଇଁ ଜିଲ୍ଲା  ଅଧିକାରୀଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.