ରାଜ୍ୟରେ ବଢିବାରେ ଲାଗିଛି ଡେଙ୍ଗୁ ରୋଗୀ ସଂଖ୍ୟା, ଖୋର୍ଦ୍ଧାଠୁ ଭୁବନେଶ୍ୱର ଆଗରେ

Published By : Prameya-News7 Bureau | July 28, 2025 IST

ଭୁବନେଶ୍ୱର, ୨୮/୦୭: ଖୋର୍ଦ୍ଧା ଜିଲ୍ଲାରେ ବେକାବୁ ହେବାରେ ଲାଗିଛି ଡେଙ୍ଗୁ । ସମଗ୍ର ଜିଲ୍ଲାରେ ଯେତିକି ରୋଗୀ ଅଛନ୍ତି ତାହାର ୬୦ ଭାଗ କେବଳ ଭୁବନେଶ୍ୱରରେ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟା ଭିତରେ ଖୋର୍ଦ୍ଧା ଜିଲ୍ଲାରୁ ମୋଟ ୨୯୪ ରୋଗୀ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ ଭୁବନେଶ୍ୱର ସହରାଞ୍ଚଳରେ ୧୮୦ ଓ ଖୋର୍ଦ୍ଧାରେ ୬୧ ଜଣ ରୋଗୀ ଅଛନ୍ତି । 

କେବଳ ଜୁଲାଇରେ ସଂଖ୍ୟା ୧୦୦ ଟପିଥିବା ବେଳେ ଏବେ ଆଗକୁ ଏହି ସଂଖ୍ୟା ଅଢ଼େଇଶହ ପାର କରିଯିବ । ଗତ ଦୁଇବର୍ଷ ଧରି ରାଜ୍ୟରେ ସର୍ବାଧିକ ଡେଙ୍ଗୁ ରୋଗୀ ସୁନ୍ଦରଗଡ଼ରେ ଚିହ୍ନଟ ହେଉଥିବା ବେଳେ  ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ରହୁଛି । ଭୁବନେଶ୍ୱର ମଧ୍ୟ ହଟସ୍ପଟ୍‌ ପାଲଟୁଛି । ଏଥରକ ବି ଏହାର ପୁନରାବୃତ୍ତି ହେବ । ଯେପରି ଭାବେ ସରକାର  ଡେଙ୍ଗୁ ପ୍ରତିରୋଧ ପାଇଁ ଗୁରୁତ୍ୱ ଦେଉଛନ୍ତି ତାହାର  କାଣିଚାଏ ବି କାମରେ ଲାଗିପାରୁନି । 

ବର୍ଷା ଆରମ୍ଭ ହୋଇଥିବାବେଳେ ଏବେବି ସହରରେ ସଫେଇ ଓ ଡ୍ରେନ୍‌ ବ୍ୟବସ୍ଥା ସୁଧୁରିପାରିନି । ବର୍ଷା ହେଲେ  ଦୀର୍ଘଦିନ ଧରି ରାସ୍ତା ଓ ବିଭିନ୍ନ ଗଳିକନ୍ଦିରେ ପାଣି ଜମିରହୁଛି । ଯାହା ଏଡିଶ୍‌ ମଶାଙ୍କ ବଂଶବୃଦ୍ଧି ପାଇଁ ଅନୁକୂଳ ସ୍ଥାନ ସାଜୁଛି । ରବିବାର ସୁଦ୍ଧା ଖୋର୍ଦ୍ଧାରେ ୪,୫୯୮ ଜଣ ଓ ଭୁବନେଶ୍ୱରରେ  ୧୨ହଜାର ୪୮୧ଜଣଙ୍କ ଡେଙ୍ଗୁ  ଟେଷ୍ଟ କରାଯାଇଛି । ଜିଲ୍ଲାର ମୋଟ ୨୧,୮୪୬ ମଶାବଂଶ ପ୍ରଜନନ ସ୍ଥାନ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୨୧,୮୧୬ଟି ସ୍ଥାନରେ ମଶାବଂଶକୁ ନଷ୍ଟ କରାଯାଇଛି । 

କେବଳ ଜନବସତି ନୁହେଁ ରାଜଧାନୀରେ ଥିବା ସ୍କୁଲକୁ ଘାରିଛି ଡେଙ୍ଗୁ ଚିନ୍ତା । ସ୍କୁଲରେ ପାଠ ପଢୁଥିବା କୋମଳମତି ଛାତ୍ରଛାତ୍ରୀଙ୍କୁ ଯେପରି ଡେଙ୍ଗୁ ନହୁଏ ସେଥିପ୍ରତି ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିଛି । ପ୍ରତିଦିନ  ବିଏମ୍‌ସି ଅଞ୍ଚଳରେ ଥିବା ସ୍କୁଲଗୁଡ଼ିକରେ ଡେଙ୍ଗୁ ସଚେତନତା ସହ ଆଖପାଖ ପରିସରକୁ ବିଶୋଧନ  କରାଯାଉଛି । 

ଏବେ ସୁଦ୍ଧା ବରମୁଣ୍ଡା, ଭରତପୁର, ବ୍ରହ୍ମେଶ୍ୱର ପାଟଣା, ଚନ୍ଦ୍ରଶେଖରପୁର, ଗାଡ଼କଣ, ଘାଟିକିଆ, ଆଇଆର୍‌ସି ଭିଲେଜ, ଝାରପଡ଼ା, କଳ୍ପନା, କପିଳପ୍ରସାଦ, ନହରକଣ୍ଟା, ନିଳାଦ୍ରୀ ବିହାର, ପାହାଳ, ପୋଖରୀପୁଟ, ରସୁଲଗଡ଼, ସହିଦନଗର, ସାମନ୍ତପୁରୀ, ସତ୍ୟନଗର, ଶିଖରଚଣ୍ଡୀ, ୟୁନିଟ-୩, ୟୁନିଟ-୮, ୟୁନିଟ୯ର ମୋଟ ୧୧୮ଟି ସ୍କୁଲ ପରିସରକୁ ବିଶୋଧନ କରାଯାଇଛି । ସ୍କୁଲ ପରିସର ବିଶୋଧନ ହେଉଛି, କିନ୍ତୁ ବିଶ୍ୱବିଦ୍ୟାଳୟ ଓ କଲେଜ କଥା ପ୍ରଶାସନ ଭୁଲିଯାଉଛି । 

ଭୁବନେଶ୍ୱରରେ ଥିବା କଲେଜ ଓ ବିଶ୍ୱବିଦ୍ୟାଳୟ ପରିସରରେ ଘାସବଣ ସହ ନର୍ଦ୍ଦମା ପାଣି ଜମାରହୁଛି । ହେଲେ ସେସବୁ ସ୍ଥାନରେ ସଫେଇ ଶୂନ । ଝାଡୁ କି କୋଦାଳ ବାଜୁନଥିବାରୁ ମଶାଙ୍କ ଉତ୍ପାତରେ ଶୋଇବସି ହେଉନଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି । ବିଶେଷକରି ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଓୟୁଏଟି  ଭଳି ଶିକ୍ଷାନୁଷ୍ଠାନରେ ଡେଙ୍ଗୁ ନିରାକରଣ  କାର୍ଯ୍ୟକ୍ରମ ହେଉନଥିବା ଅଭିଯୋଗ  ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.