ଟି-୨୦ ମ୍ୟାଚ୍‌ରେ ୧୧ରୁ ୧୧ ଖେଳାଳି କଲେ ବୋଲିଂ, ଦିଲ୍ଲୀ ନାଁରେ ଯୋଡ଼ି ହେଲା ବିରଳ ରେକର୍ଡ

Published By : Prameya-News7 Bureau | November 29, 2024 IST

ନୂଆଦିଲ୍ଲୀ: ସୈୟଦ ମୁସ୍ତାକ ଅଲି ଟ୍ରଫି ୨୦୨୪ର ଗ୍ରୁପ୍ ସି’ରେ ଦିଲ୍ଲୀ ଏବଂ ମଣିପୁର ମଧ୍ୟରେ ଖେଳାଯାଇଥିବା ଟି-୨୦ ମ୍ୟାଚ୍‌ ଏକ ବିରଳ ଘଟଣାର ସାକ୍ଷୀ ହୋଇଛି । ଏହି ମ୍ୟାଚ୍‌ରେ ଦିଲ୍ଲୀ ନିଜ ନାଁରେ ଏକ ଭିନ୍ନ ୱାର୍ଲଡ୍ ରେକର୍ଡ କରିଛି । ମଣିପୁର ବିପକ୍ଷ ଏହି ଟି-୨୦ ମ୍ୟାଚ୍‌ରେ ଦିଲ୍ଲୀର ସମସ୍ତ ୧୧ ଖେଳାଳି ବୋଲିଂ କରିଛନ୍ତି । ଦିଲ୍ଲୀ ଟିମ୍‌ର ଅଧିନାୟକ ତଥା ୱିକେଟ୍ କିପର୍ ଅୟୁଷ ବଦୋନୀ ମଧ୍ୟ ଏହି ମ୍ୟାଚ୍‌ରେ ବୋଲିଂ କରିଛନ୍ତି ।

ଆଜିର ମ୍ୟାଚ୍‌ରେ ଦିଲ୍ଲୀର ୧୧ ଜଣ ଖେଳାଳିଙ୍କ ମଧ୍ୟରୁ କେହି ନିଜ କୋଟାର ଚାରି ଓଭର ପୂରା କରିନାହାନ୍ତି । ହର୍ଷ ତ୍ୟାଗୀ, ଦିଗ୍ନେଶ ରାଠି ଏବଂ ମୟଙ୍କ ରାୱତ ତିନି-ତିନି ଓଭର କରିଛନ୍ତି । ଅନ୍ୟପଟେ ଆୟୁଷ ସିଂହ, ଅଖିଲ ଚୌଧୁରୀ ଏବଂ ଆୟୁଷ ବଦୋନୀ ଦୁଇ ଓଭର ଲେଖାଏଁ ବୋଲିଂ କରିଛନ୍ତି । ଆର୍ୟନ ରାଣା, ହିମ୍ମତ ସିଂହ, ପ୍ରୟାଂଶ ଆର୍ଯ୍ୟା, ୟଶ ଧୁଲ ଏବଂ ଅନୁଜ ରାୱତ ଗୋଟିଏ ଲେଖାଏଁ ଓଭର ପକାଇଛନ୍ତି । 

ମ୍ୟାଚ୍‌ରେ ଟସ୍ ଜିତି ମଣିପୁର ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା । ମଣିପୁର ୨୦ ଓଭରରେ ୮ ୱିକେଟ୍ ହରାଇ ୧୨୦ ରନ୍ କରିଥିଲା । ୪୧ ରନ୍ ସୁଦ୍ଧା ମଣିପୁର ୬ ୱିକେଟ୍ ହରାଇଥିଲା । ଟିମ୍‌ର ଟପ୍ ଅର୍ଡରରେ ଉଲେନୟଇ ୧୯ ରନ୍ କରିଥିବା ବେଳେ ଅହମଦ ଶାହ ସବୁଠୁ ଅଧିକ ୩୨ ରନ୍ କରିଥିଲେ । ଦିଲ୍ଲୀ ୧୮.୩ ଓଭରରେ ୬ ୱିକେଟ୍ ହରାଇ ଧାର୍ଯ୍ୟ ଲକ୍ଷ୍ୟକୁ ହାସଲ କରିଛି । ଦଳ ପାଇଁ ୟଶ ଧୁଲ ସବୁଠୁ ଅଧିକ ୫୯ ରନ୍ କରିଛନ୍ତି । 

ଆଜି ପୂର୍ବରୁ ଟି-୨୦ କ୍ରିକେଟ୍‌ରେ କୌଣସି ଟିମ୍‌ର ସମସ୍ତ ୧୧ ଖେଳାଳିଙ୍କ ବୋଲିଂ କରନଥିଲେ । ଏହି ବିରଳ ବିଶ୍ୱ ରେକର୍ଡ ଏବେ ଦିଲ୍ଲୀ ନାଁରେ ହୋଇଛି । ସୈୟଦ ମୁସ୍ତାକ ଅଲି ଟ୍ରଫି ୨୦୨୪ରେ ଗ୍ରୁପ୍ ସି’ରେ ଦିଲ୍ଲୀ ଲଗାତାର ୪ ମ୍ୟାଚ୍ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.