ତିହାର ଜେଲ୍‌ରେ କେଜ୍ରିଓ୍ବାଲଙ୍କୁ ମାରିବାକୁ ଷଡ଼ଯନ୍ତ୍ର ! ଇନସୁଲିନ୍ ଦିଆଯାଉନଥିବା ଅଭିଯୋଗ

Published By : Prameya-News7 Bureau | April 19, 2024 IST

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ମାମଲାରେ ଗିରଫ ହୋଇ ତିହାର ଜେଲରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଜେଲରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ପ୍ରତି ଧ୍ୟାନ ଦିଆଯାଉନାହିଁ। ଏନେଇ ବଡ଼ ଅଭିଯୋଗ ଆଣିଛନ୍ତି ଆମ୍ ଆଦମୀ ପାର୍ଟି ବରିଷ୍ଠ ନେତ୍ରୀ ଆତିଶୀ । ଜେଲରେ ଆପ୍ ସୁପ୍ରିମୋଙ୍କୁ ଜୀବନରୁ ମାରି ଦେବାକୁ ଷଡ଼ଯନ୍ତ୍ର ଚାଲିଛି ବୋଲି ସେ କହିଛନ୍ତି । ତିହାର ଜେଲରେ ଆରବିନ୍ଦ କେଜ୍ରିଓ୍ବାଲଙ୍କୁ ଇନସୁଲିନ୍ ଦିଆଯାଉନାହିଁ । ଫଳରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି । 

ଏହି ଅଭିଯୋଗ ପରେ ଦିଲ୍ଲୀ ଉପ-ରାଜ୍ୟପାଳ ଆକ୍ସନକୁ ଆସିଛନ୍ତି । ଭିନିତ୍ କୁମାର ସାକ୍ସସେନା ଜେଲ୍ ଡିଜିଙ୍କୁ ରିପୋର୍ଟ ମାଗିଛନ୍ତି । ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି । ଆପ୍ ନେତ୍ରୀ ଆତିଶୀଙ୍କ ଅଭିଯୋଗ ଆଧାରରେ ରିପୋର୍ଟ ମାଗିଛନ୍ତି ଏଲଜି । ସେପଟେ ଆପ୍‌ର ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜେଲ୍ କର୍ତ୍ତୃପକ୍ଷ । 

ସୂଚନା ଅନୁଯାୟୀ, ଦିଲ୍ଲୀ ଉପ-ରାଜ୍ୟପାଳ ଭିନିତ୍ କୁମାର ସାକ୍ସସେନା ଏହି ଅଭିଯୋଗକୁ ଗମ୍ଭୀରତାର ସହିତ ନେଇଛନ୍ତି । ଏହା ସହିତ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଇନସୁଲିନ୍ ନଦିଆଯିବା ନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ସେ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ କଠୋର ହୋଇଛନ୍ତି । ସିଏମଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯିବ । ମାର୍ଚ୍ଚ ୨୧ ତାରିଖରେ ଦିଲ୍ଲୀ ଅବକାରୀ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କରିଛି । ଦୁଇ ଥର ରିମାଣ୍ଡ  କରିବା ପରେ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି ଆପ୍ ସୁପ୍ରିମୋ ।    


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.