ନୂଆଦିଲ୍ଲୀ: ଯୌନ ନିର୍ଯାତନା ଅଭିଯୋଗରେ ଛନ୍ଦି ହୋଇଥିବା ବ୍ରିଜ୍ ଭୂଷଣ ଶରଣ ସିଂହଙ୍କୁ ଦିଲ୍ଲୀ ପଟିୟାଲା ହାଉସ୍ କୋର୍ଟ ଆଶ୍ୱସ୍ତି ଦେଇଛନ୍ତି । ସୋମବାର କୋର୍ଟ ଦିଲ୍ଲୀ ପୋଲିସର କ୍ଲୋଜର୍ ରିପୋର୍ଟକୁ ସ୍ୱୀକାର କରିଛନ୍ତି, ଯେଉଁଥିରେ କୁସ୍ତିଯୋଦ୍ଧାଙ୍କ ଦ୍ୱାରା ଦାଖଲ ମାମଲାକୁ ରଦ୍ଦ କରିବା ପାଇଁ ଦାବି କରାଯାଇଥିଲା । ଏହି ରିପୋର୍ଟରେ ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ମୁଖ୍ୟ ବ୍ରିଜ୍ ଭୂଷଣ ଶରଣ ସିଂହ ବିରୋଧରେ ନାବାଳିକା କୁସ୍ତିଯୋଦ୍ଧା ଯୌନ ଉତ୍ପୀଡ଼ନ ଅଭିଯୋଗ କରିଥିଲେ । ତେବେ ପୂର୍ବତନ ସାଂସଦ ଲଗାତାର ଏହି ଅଭିଯୋଗକୁ ଖଣ୍ଡନ କରିଆସୁଥିଲେ ।
ବ୍ରିଜ୍ ଭୂଷଣଙ୍କ ମାମଲାରେ ରାୟ ଶୁଣାଇ ଅତିରିକ୍ତ ସେସନ୍ ଜଜ୍ ଗୋମତୀ ମନୋଚା କହିଛନ୍ତି, 'ରଦ୍ଦ ଆବେଦନକୁ ସ୍ୱୀକାର କରାଯାଇଛି ।' ଉଲ୍ଲେଖଯୋଗ୍ୟ ଯେ ୨୦୨୩ ଅଗଷ୍ଟ ୧ରେ ଆୟୋଜିତ ଇନ୍-ଚାମ୍ୱର ଶୁଣାଣି ବେଳେ ଜଜଙ୍କୁ ନାବାଳିକା ଜଣ କହିଥିଲା ଯେ ସେ ଏହି ମାମଲାରେ ଦିଲ୍ଲୀ ପୋଲିସର ତଦନ୍ତର ସନ୍ତୁଷ୍ଟ ଅଛି ଓ କ୍ଲୋଜର୍ ରିପୋର୍ଟର ବିରୋଧ କରୁ ନାହିଁ ।
ଦିଲ୍ଲୀ ପୋଲିସ ୨୦୨୩ ଜୁନ୍ ୧୫ରେ ନାବାଳିକା ସହ ଜଡ଼ିତ ମାମଲାକୁ ରଦ୍ଦ କରିବା ଦାବି ରିପୋର୍ଟ ଦାଖଲ କରିଥିଲା । ବ୍ରିଜ୍ ଭୂଷଣ ଶରଣ ସିଂହ ବିରୋଧରେ ପୋକ୍ସୋ ଅଧିନିୟମରେ ମାମଲା ଫେରାଇ ନେବା ପାଇଁ ପୋଲିସ ସୁପାରିଶ କରିଥିଲା, କିନ୍ତୁ ଛଅ ମହିଳା କୁସ୍ତିଯୋଦ୍ଧା ଦ୍ୱାରା ରୁଜୁ ଏକ ଅଲଗା ମାମଲାରେ ତାଙ୍କ ଉପରେ ଯୌନ ଉତ୍ପୀଡ଼ନ ଓ ପିଛା କରିବା ଅଭିଯୋଗ କରିଥିଲେ । ନାବାଳିକା କୁସ୍ତି ଯୋଦ୍ଧା ସହ ଜଡ଼ିତ ମାମଲାରେ କୌଣସି ପ୍ରମାଣ ମିଳିନଥିବା କହି ଏହାକୁ ରଦ୍ଦ ପାଇଁ ପୋଲିସ ସୁପାରିଶ କରିଥିଲା ।