ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଛୁରୀରେ ଆକ୍ରମଣ ପାଇଁ ହୋଇଥିଲା ପ୍ଲାନ୍‌, ଅଭିଯୁକ୍ତ ଦେଲା ଚାଞ୍ଚଲ୍ୟକର ବୟାନ

Published By : Prameya-News7 Bureau | August 25, 2025 IST

ନୂଆଦିଲ୍ଲୀ: ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ବଡ଼ ଖୁଲାସା ହୋଇଛି। ପୋଲିସ ପଚରାଉଚରା ସମୟରେ ଅଭିଯୁକ୍ତକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ଅଭିଯୁକ୍ତ କହିଛି ଯେ ସେ ମୁଖ୍ୟମନ୍ତ୍ରୀଙ୍କୁ ଛୁରୀ ନେଇ ଆକ୍ରମଣ କରିବାକୁ ପ୍ରସ୍ତୁତ ହୋଇଥିଲା। ସେ ମୁଖ୍ୟମନ୍ତ୍ରୀ ବାସଭବନରେ ଛୁରୀ ନେଇ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲା। କିନ୍ତୁ, ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ସେ ଯୋଜନା ବଦଳାଇ ଦେଇଥିଲା।

ଅଭିଯୁକ୍ତ ରାଜେଶ ଖିମଜି ସାକାରିଆ ଅଗଷ୍ଟ ୨୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା। ମୁଖ୍ୟମନ୍ତ୍ରୀ 'ଜନଶୁଣାଣି' କାର୍ଯ୍ୟକ୍ରମରେ ଲୋକଙ୍କ ଅଭିଯୋଗ ଶୁଣୁଥିବା ସମୟରେ ସେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ କରିଥିଲା। ଆକ୍ରମଣ ପରେ ତୁରନ୍ତ ପୋଲିସ ଅଭିଯୁକ୍ତ ରାଜେଶ ଖିମଜିକୁ ଗିରଫ କରିଥିଲା, ପରେ କୋର୍ଟ ତାଙ୍କୁ ପାଞ୍ଚ ଦିନିଆ ପୋଲିସ ରିମାଣ୍ଡରେ ଆଣିଛି।

ପୁଲିସ ରିମାଣ୍ଡ ନେଇ ଅଭିଯୁକ୍ତ ରାଜେଶଙ୍କୁ ପଚରାଉଚରା କରୁଛି। ଏହି ସମୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି। ଅଭିଯୁକ୍ତ କହିଛି ଯେ ସେ ମୁଖ୍ୟମନ୍ତ୍ରୀଙ୍କୁ ଛୁରୀ ସାହାଯ୍ୟରେ ଆକ୍ରମଣ କରିବାକୁ ଚାହୁଁଥିଲେ। କିନ୍ତୁ, କଡ଼ା ସୁରକ୍ଷା ଦେଖି ସେ ସିଭିଲ୍ ଲାଇନ୍ସ ଅଞ୍ଚଳରେ ଛୁରୀ ଫିଙ୍ଗି ଦେଇଥିଲେ। ରାଜେଶ ପୋଲିସକୁ ଏହା ମଧ୍ୟ କହିଛନ୍ତି ଯେ ସେ ସୁପ୍ରିମକୋର୍ଟ ମଧ୍ୟ ଯାଇଥିଲେ।

ସୁପ୍ରିମକୋର୍ଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଦେଖି ସେ ଶାଲିମାର ବାଗ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଫେରି ଆସିଥିଲେ। ଆକ୍ରମଣ ପଛର ଉଦ୍ଦେଶ୍ୟ ଜାଣିବା ପାଇଁ ପୋଲିସ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି। ପୋଲିସ ଏହା ମଧ୍ୟ ତଦନ୍ତ କରୁଛି ଯେ ରାଜେଶ ଖିମଜୀଙ୍କର କୌଣସି ସଂଗଠନ ସହିତ କୌଣସି ସମ୍ପର୍କ ଥିଲା କି। କାହା ସହାୟତାରେ ପ୍ଲାନ କରିଥିଲା? 

 ଅଗଷ୍ଟ ୨୧ ତାରିଖରେ ରାଜେଶଙ୍କୁ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରାଯାଇଥିଲା। ମାଜିଷ୍ଟ୍ରେଟ ତାଙ୍କୁ ପାଞ୍ଚ ଦିନିଆ ପୋଲିସ ହେପାଜତକୁ ପଠାଇ ଦେଇଥିଲେ। ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରାଯିବା ପୂର୍ବରୁ, ରାଜେଶଙ୍କୁ ଅରୁଣା ଆସିଫ ଅଲି ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କର ଡାକ୍ତରୀ ଯାଞ୍ଚ କରାଯାଇଥିଲା। ତା'ପରେ ତାଙ୍କୁ ଏଲଏନଜେପି ହସ୍ପିଟାଲକୁ ପଠାଯାଇଥିଲା। ରାଜେଶ ଖିମଜୀ ଗୁଜରାଟର ରାଜକୋଟର ବାସିନ୍ଦା। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଆକ୍ରମଣ କରିବା ପରେ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.