ଜିରୋ ନାଇଟ୍ ସେଲିବ୍ରେସନ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି, ୩୧ ତାରିଖ ସନ୍ଧ୍ୟା ୭ଟାରୁ ରାତି ୨ଟା ପର୍ଯ୍ୟନ୍ତ ବ୍ଲକିଂ- ଚେକିଂ

NEWS7
delhi-cm-atishis-pa-caught-with-15-lakh-cash-fir-against-kejriwal-too

ଭୁବନେଶ୍ୱର: ନୂଆ ବର୍ଷ ପାଳନ ଏବଂ ଜିରୋ ନାଇଟ୍ ସେଲିବ୍ରେସନକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏନେଇ କମିଶନରେଟ ପୋଲିସ ପକ୍ଷରୁ କଡ଼ା କଟକଣା ଜାରି ହୋଇଛି। ଜିରୋ ନାଇଟ୍ ପାଳନ ସମୟରେ ଆଇନ ଶୃଙ୍ଖଳା ବଜାୟ ରଖିବା, ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଟ୍ରାଫିକ୍ ନିୟନ୍ତ୍ରଣ କରିବା ପାଇଁ ଏହି କଡ଼ା ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏହି କଟକଣା ୩୧ ଡିସେମ୍ବରରେ ଜିରୋ ନାଇଟ୍ ପାଳନ ପାଇଁ ଲାଗୁହେବ।

ଜାରି ନିର୍ଦ୍ଦେଶାବଳୀ ଅନୁସାରେ ମଧ୍ୟରାତ୍ରି ପରେ ମ୍ୟୁଜିକ ଏବଂ ସାଉଣ୍ଡ ସିଷ୍ଟମକୁ ବଜାଇବାକୁ ନିଷେଧ କରାଯାଇଛି। ନୂଆ ବର୍ଷକୁ ସ୍ବାଗତ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ହୋଟେଲ, କ୍ଲବ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନଗୁଡ଼ିକୁ ଚିହ୍ନଟ କରିବାକୁ ସବୁ ପୋଲିସ ଷ୍ଟେସନକୁ ନିର୍ଦ୍ଦେଶ ଦିଆଯାଇଛି। ମହିଳା ଏବଂ ଶିଶୁମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଉତ୍ସବ ସ୍ଥଳ, ରାସ୍ତା ଏବଂ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ପାଟ୍ରୋଲିଂ କରାଯିବ। ରାସ୍ତା ଅବରୋଧ ମଦ୍ୟପାନ କରି ଗାଡ଼ି ଚାଳନା ଏବଂ ଟ୍ରାଫିକ ନିୟମର ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିସନରେଟ ପୁଲିସ ପକ୍ଷରୁ ତାଗିଦ୍ କରାଯାଇଛି। ସେହିଭଳି ରୋଡ୍ ସାଇଡ୍ରେ ସେଲିବ୍ରେସନକୁ ସଂପୂର୍ଣ୍ଣ ମନା କରାଯାଇଛି।

୩୧ ତାରିଖ ପାଇଁ ସବୁ ପୋଲିସ ପୋଷ୍ଟଗୁଡ଼ିକୁ ସଜାଗ ରହିବାକୁ କୁହାଯାଇଛି। ନୂଆବର୍ଷ ପାଇଁ ୧୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବ। ନିର୍ଦ୍ଦେଶାବଳୀ ଅନୁଯାୟୀ, ପ୍ରତି ଜୋନର ତଦାରଖ ବରିଷ୍ଠ ଅଧିକାରୀମାନଙ୍କ ଦ୍ୱାରା କରାଯିବ। ଏଡିସିପି ସୁନାରାମ ଲେମ୍ବ୍ରେମଙ୍କୁ ଜୋନ୍ ୧ ଏବଂ ୨ ତଦାରଖ ଦାୟିତ୍ବ ମିଳିଥିବାବେଳେ ସଞ୍ଜୟ କୁମାର ମହାପାତ୍ରଙ୍କୁ ଜୋନ୍ ୩, ଆରତୀ ଗିରିଙ୍କୁ ଜୋନ୍ ୪ ଏବଂ ସୁବ୍ରତ କୁମାରଙ୍କୁ ଜୋନ୍ ୫ ଏବଂ ୬ର ଦାୟିତ୍ବ ଦିଆଯାଇଛି। ଏସିପିମାନେ ଉପବିଭାଗଗୁଡ଼ିକ ତଦାରଖ କରିବେ। ଦାୟିତ୍ୱରେ ଥିବା ଇନ୍ସପେକ୍ଟରମାନେ କାର୍ଯ୍ୟାନ୍ୱୟନ ପାଇଁ ବ୍ୟକ୍ତିଗତ ଦାୟିତ୍ୱ ନେବେ।

ପୋଲିସ ପକ୍ଷରୁ ୩୧ ତାରିଖ ସନ୍ଧ୍ୟା ୭ଟାରୁ ରାତି ୨ଟା ପର୍ଯ୍ୟନ୍ତ ଚେକିଂ,ବ୍ଲକିଂକୁ କଡ଼ାକଡ଼ି କରାଯିବ। ସେଥିପାଇଁ ରାଜଧାନୀର ୩୦ଟି ପ୍ରମୁଖ ସ୍ଥାନ ଚିହ୍ନଟ କରାଯାଇଛି। ୧୭ଟି ସ୍ଥାନରେ ଚେକ୍ପୋଷ୍ଟ ଲଗାଯାଇ ଯାଞ୍ଚ୍ କରାଯିବ। ସୁରକ୍ଷା ଦୃଷ୍ଟିରୁ ମାଷ୍ଟର୍କ୍ୟାଣ୍ଟିନ୍, କଳ୍ପନା ଛକ, ଖଣ୍ଡଗିରି ଓ ରସୁଲଗଡ଼ ଭଳି ସମ୍ବେଦନଶୀଳ ସ୍ଥାନରେ ୫ରୁ ଅଧିକ କୁଇକ୍ ରେସ୍ପନ୍ସ ଟିମ୍(କ୍ୟୁଆର୍ଟି) ମୁତୟନ ରହିବେ। ବାଣୀବିହାର, ମାଷ୍ଟରକ୍ୟାଣ୍ଟିନ୍ ଏବଂ ନାଲ୍କୋ ଛକରେ ୩ଟି ସ୍ଥାନରେ ଷ୍ଟ୍ରାଇକିଂ ଫୋର୍ସ ନିୟୋଜିତ ହେବେ। ଏହାଛଡ଼ା ୧୫ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହେବେ। ମୋବାଇଲ୍ ପାଟ୍ରୋଲିଂ ଏବଂ ପିସିଆର୍ ପାଟ୍ରୋଲିଂକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ସେମାନେ ୨୪ଘଣ୍ଟିଆ ପଇଁତରା ମାରିବେ। ଖୋଲାସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନକୁ ରାତି ୧୦ଟା ପର୍ଯ୍ୟନ୍ତ, ହୋଟେଲ ଓ ଇନ୍ଡୋର୍ରେ ରାତି ୧୨ଟା ପର୍ଯ୍ୟନ୍ତ ଅନୁମତି ଦିଆଯିବ। ଏହାଛଡ଼ା ଅଗ୍ନି ନିରାପତ୍ତା ଉପରେ ଆୟୋଜକମାନେ ଗୁରୁତ୍ବ ଦେବେ। ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।