ଭୁବନେଶ୍ବର ୧୭।୯: ମହିଳା କନଷ୍ଟେବଲ୍ ଶୁଭମିତ୍ରା ସାହୁଙ୍କୁ ହତ୍ୟା ଘଟଣାରେ ଆଉ ଏକ ନୂଆ ଟ୍ବିଷ୍ଟ୍ । ଅଭିଯୁକ୍ତ ଦୀପକ-ଶୁଭମିତ୍ରାଙ୍କ ମ୍ୟାରେଜ୍ ସାର୍ଟିଫିକେଟ୍ ସାମ୍ନାକୁ ଆସିଛି । ୨୩ ଜୁଲାଇ ୨୦୨୪ରେ ଶୁଭମିତ୍ରାକୁ ରେଜିଷ୍ଟ୍ରି ମ୍ୟାରେଜ୍ କରିଥିଲା ଦୀପକ ରାଉତ । ଖଣ୍ଡଗିରିରେ ଥିବା ରେଜିଷ୍ଟ୍ରି ମ୍ୟାରେଜ୍ ଅଫିସରେ ଦୁହେଁ ବିବାହ କରିଥିଲେ । ୩ ଜଣ ସାକ୍ଷୀଙ୍କ ଉପସ୍ଥିତିରେ ବିବାହ ହୋଇଥିଲା । ଦୀପକଙ୍କ ପ୍ରକୃତ ଘର ଯାଜପୁର ଜିଲ୍ଲାରେ ଏବଂ ଶୁଭମିତ୍ରାଙ୍କ ଘର ଖୋର୍ଦ୍ଧା ଜିଲ୍ଲାରେ ବୋଲି ଜଣାପଡିଛି । ଦୀପକ ଭୁବନେଶ୍ବର ଚନ୍ଦ୍ରଶେଖରପୁର ସ୍ଥିତ ସରକାରୀ କ୍ବାର୍ଟରରେ ରହୁଥିଲେ ।

​​​​​​​ଆହୁରି ମଧ୍ୟ ସୂଚନା ମିଳିଛି ଯେ, ପୂର୍ବରୁ ବିବାହିତ ଥିଲେ ଅଭିଯୁକ୍ତ ଦୀପକ । ୨୦୨୨ରେ ଦୀପକଙ୍କ ପତ୍ନୀ ଖୁଣ୍ଟୁଣୀ ନିକଟରେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ । ଏହାପରେ ପତ୍ନୀଙ୍କ ନାଁରେ ଥିବା ଇନ୍ସ୍ୟୁରାନ୍ସ କମ୍ପାନୀରୁ ୧ କୋଟି ଟଙ୍କା ପାଇଥିଲେ ଦୀପକ । ୨୦୨୪ ମସିହାରେ ଶୁଭମିତ୍ରାଙ୍କ ସହ ଦୀପକର ସମ୍ପର୍କ ଗଢି ଉଠିଥିଲା । ଏହି ସମୟରେ ଦୀପକ ଶୁଭମିତ୍ରାଙ୍କୁ ପ୍ରାୟ ୧୦ ଲକ୍ଷ ଟଙ୍କା ଦେଇଥିଲେ । ଶୁଭମିତ୍ରା କିନ୍ତୁ ଅନ୍ୟ ଜଣେ ଯୁବକ ସହ ସମ୍ପର୍କ ରଖିବାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ଏହା ଜାଣିବା ପରେ ଦୀପକ ଶୁଭମିତ୍ରାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା । ଗତ ୬ ତାରିଖ ଦିନ ୨ଟାରେ ଟ୍ରାଫିକ୍ ଡିସିପିଙ୍କ କାର୍ଯ୍ୟାଳୟରୁ ଶୁଭମିତ୍ରାଙ୍କୁ ଏକ କାର୍‌ରେ ନେଇ କୁଆଡେ ଚାଲି ଯାଇଥିଲା ଦୀପକ । ଏହାପରେ ଶୁଭମିତ୍ରାଙ୍କ ପତ୍ତା ମିଳିନଥିଲା ।

ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ଦୀପକଙ୍କୁ ଅଟକ ରଖି ପଚରାଉଚରା କରିଥିଲା ପୋଲିସ । କେନ୍ଦୁଝର ଘଟଗାଁ ଜଙ୍ଗଲ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କରିଥିଲା ପୋଲିସ । ପରେ ଶୁଭମିତ୍ରାଙ୍କ ମୃତଦେହ ମିଳିଛି । ସେପଟେ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ କହିଛନ୍ତି, ଏହି କେସ୍ ଉନ୍ମୋଚିତ ହୋଇସାରିଛି । ଫିଲ୍ଡରେ କିଛି ତଥ୍ୟ ଯାଞ୍ଚ ବାକି ଅଛି । ଯେଉଁଥି ପାଇଁ ପୋଲିସ ଟିମ୍ କେନ୍ଦୁଝର ଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ୬ ତାରିଖରେ ଶୁଭମିତ୍ରା ନିଖୋଜ ହୋଇଥିଲେ । ସେହିଦିନ ଭୁବନେଶ୍ବରରେ ହିଁ ଶୁଭମିତ୍ରାଙ୍କୁ ହତ୍ୟା କରିଥିଲା ଦୀପକଶୁଭମିତ୍ରାଙ୍କ ମୃତଦେହକୁ କାର୍‌ ଯୋଗେ ଘଟଗାଁ ନେଇ ଯାଇଥିଲା ଅଭିଯୁକ୍ତ । ଘଟଗାଁ ଅଞ୍ଚଳର ଏକ ଜଙ୍ଗଲରେ ଶୁଭମିତ୍ରାଙ୍କ ମୃତଦେହ ପୋତି ଦେଇଥିଲା ଦୀପକ ।