ଅହମଦାବାଦ ୧୨।୬: ଗୁରୁବାର ମଧ୍ୟାହ୍ନରେ ଅହମଦାବାଦ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଲଣ୍ଡନ ଉଡାଣ କରିଥିବା ଏୟାର ଇଣ୍ଡିଆ ଫ୍ଲାଇଟ୍ ଏଆଇ-୧୭୧ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନ ବନ୍ଦରରୁ ଉଡାଣ କରିବାର ମାତ୍ର ୫ ମିନିଟ ପରେ ସହରର ମେଘାଣୀ ନଗର ଅଞ୍ଚଳରେ ବିମାନ ଖସିପଡିଛି। ବିମାନରେ ଚାଳକ ଦଳ ସଦସ୍ୟଙ୍କ ସମେତ ମୋଟ ୨୪୨ ଜଣ ଯାତ୍ରୀଥିଲେ। ତେବେ ୧୩୩ଜଣ ପ୍ରାଣ ହରାଇଥିବା ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପୁଷ୍ଟି କରିଛନ୍ତି।
ଦୁର୍ଘଟଣାଗ୍ରସ୍ତ ବିମାନଟି ବୋଇଂ ବି-୭୮୭ ଡ୍ରିମଲାଇନର ଥିଲା। ଏହା ଅହମଦାବାଦରୁ ଲଣ୍ଡନର ଗ୍ୟାଟୱିକ୍ ଏୟାରପୋର୍ଟ ଉଦ୍ଦେଶ୍ୟରେ ଯାତ୍ରା କରୁଥିଲା। ବିମାନଟି ମଧ୍ୟାହ୍ନ ଗୋଟାଏ ୩୮ ମିନିଟରେ ଉଡାଣ କରିଥିଲା ଓ କିଛି କିଲୋମିଟର ଦୂରରେ ଜନବହୂଳ ଅଞ୍ଚଳ ଉପରେ ଖସିପଡିଥିଲା। ଏହି ବିମାନରେ ୨୪୨ ଜଣ ଯାତ୍ରୀଥିଲେ, ଯେଉଁମାନଙ୍କ ମଧ୍ୟରୁ ୨୩୦ ଜଣ ବୟଷ୍କ ଥିଲେ। ୧୧ ଜଣ ପିଲା ଥିବା ବେଳେ ୨ନବଜାତକ, ୧୦ଜଣ କ୍ରୁ ମେମ୍ବର ଓ ୨ ଜଣ ପାଇଲଟ ଥିଲେ।
ମୃତକଙ୍କ ମଧ୍ୟରେ ୧୬୯ ଜଣ ଭାରତୀୟ ହୋଇଥିବା ବେଳେ ୫୩ଜଣ ବ୍ରିଟିଶ, ୭ ଜଣ ପର୍ତ୍ତୁଗାଲ ଓ ଜଣେ କାନାଡା ନାଗରିକ ଥିଲେ। ଏହି ଦୁର୍ଘଟଣା ପରେ ଏକ ଚମକାଇବା ଭଳି ଖବର ସାମ୍ନାକୁ ଆସିଛି। ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ମଧ୍ୟ ଏହି ହତଭାଗ୍ୟ ବିମାନରେ ଯାତ୍ରୀଥିଲେ। ଲଣ୍ଡନ ନିବାସୀ ନିତିନ ଭରଦ୍ୱାଜ, ଯିଏ ରୂପାଣୀଙ୍କ ନିକଟତମ ବୋଲି କୁହାଯାଉଛି ତାଙ୍କ ସୂଚନା ଅନୁସାରେ ରୂପାଣୀ ତାଙ୍କ ଝିଅକୁ ଭେଟିବା ପାଇଁ ଲଣ୍ଡନ ଯାଉଥିଲେ। କୁହାଯାଉଛି ରୂପାଣୀଙ୍କ ସିଟ୍ ସଂଖ୍ୟା ୧୨ ଥିଲା।
ଡିଜିସିଏ ଏହି ବିମାନ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଦେଇଛନ୍ତି। ଦୁର୍ଘଟଣା ପୂର୍ବରୁ ବିମାନ ପକ୍ଷରୁ ‘ମେ ଡେ’ କଲ ଦିଆଯାଇଥିଲା। ଏଥିରୁ ଅନୁମାନ କରାଯାଉଛି ବିମାନ ଉଡାଣ କରିବାର ତୁରନ୍ତ ବାଦ କୌଣସି ଗୁରୁତର ସଂକଟରେ ଫଶି ଯାଇଥିଲା। ଏଣୁ ଦୁର୍ଘଟଣାକୁ ସବୁ ଆଙ୍ଗଲରୁ ଏବେ ଯାଞ୍ଚ କରାଯାଉଛି। ଖୁବ୍ ଶୀଘ୍ର ବିମାନ ଦୁର୍ଘଟଣାର କାରଣ ଜଣାପଡିଯିବ ଏବେ ବୋଲି ଆକଳନ କରାଯାଉଛି।