LIVE TV

ଦିଲ୍ଲୀ ଏବେ ବିଷାକ୍ତ ଧୂଆଁରେ ଆକ୍ତାମାକ୍ତ, ଶ୍ୱାସରୁଦ୍ଧ ଜନତା: ୭୫% ରୋଗଗ୍ରସ୍ତ

NEWS7
deadline-for-engineering-admission-in-odisha-extended

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଏବେ ବିଷାକ୍ତ ଧୂଆଁରେ ଆକ୍ତାମାକ୍ତ। ଶ୍ୱାସରୁଦ୍ଧ ଜନତା। ଯିଏ ପଦାକୁ ବାହାରୁଛି ମାସ୍କ ଜରୁରୀ ପଡ଼ୁଛି। ଏମିତିରେ ଦିଲ୍ଲୀବାସୀଙ୍କ ସ୍ୱାସ୍ଥ୍ୟବସ୍ଥଆ କେମିତି ଅଛି ? ସେମାନେ ଭଲ ଅଛନ୍ତି ତ? ଏହା ଜାଣିବାକୁ କମ୍ୟୁନିଟି ପ୍ଲାଟଫର୍ମ ଲୋକାଲସର୍କଲ୍ସର ଯେଉଁ ସର୍ଭେ କରିଥିଲା ତାହା ସମସ୍ତଙ୍କୁ ଚମକାଇ ଦେଇଛି। ସର୍ଭେରୁ ଜଣାପଡିଛି ଯେ ଏହି ଅଞ୍ଚଳର ପ୍ରତି ୪ ପରିବାରରେ ତିନି ଜଣଙ୍କ ମଧ୍ୟରୁ ଅତି କମରେ ଜଣେ ଅସୁସ୍ଥ ଅଛନ୍ତି। କାରଣ ବିଷାକ୍ତ ବାୟୁ ଏବଂ ଋତୁକାଳୀନ ଭାଇରସ ପରସ୍ପର ସହିତ ମିଶି ଏକ ବଡ଼ ଜନସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି କରୁଛନ୍ତି।

ଦିଲ୍ଲୀ, ଗୁରୁଗ୍ରାମ, ନୋଏଡା, ଫରିଦାବାଦ ଏବଂ ଗାଜିଆବାଦରୁ ୧୫,୦୦୦ ରୁ ଅଧିକ ବ୍ୟକ୍ତିଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ଗତ ମାସକ ମଧ୍ୟ ରାଜଧାନୀବସୀଙ୍କର ସ୍ୱାସ୍ଥ୍ୟା ଦ୍ରୁତ ଗତିରେ ଖରାପ ହୋଇଛି। ସେପ୍ଟେମ୍ବର ଶେଷ ଭାଗରେ, ୫୬% ପରିବାରରେ ଗୋଟିଏ କିମ୍ବା ଅଧିକ ସଦସ୍ୟ ଅସୁସ୍ଥ ଥିବା ରିପୋର୍ଟ କରାଯାଇଥିଲା। ବର୍ତ୍ତମାନ ଏହି ସଂଖ୍ୟା ୭୫% କୁ ବୃଦ୍ଧି ପାଇଛି।

ରାଜଧାନୀ ସାରା H3N2 ଇନଫ୍ଲୁଏଞ୍ଜା ଏବଂ ଅନ୍ୟାନ୍ୟ ଭାଇରାଲ୍ ସଂକ୍ରମଣ ନିରନ୍ତର ବୃଦ୍ଧି ପାଉଛି ବୋଲି ଡାକ୍ତରମାନେ ରିପୋର୍ଟ କରୁଛନ୍ତି। ଏଥିରେ ଲଗାତାର ଜ୍ୱର ଏବଂ କାଶ ଠାରୁ ଆରମ୍ଭ କରି ଗଳା ଯନ୍ତ୍ରଣା ଏବଂ ଥକ୍କାପଣ ପର୍ଯ୍ୟନ୍ତ ଲକ୍ଷଣ ଦେଖାଯାଉଛି। ଏଥିରୁ ସୁସ୍ଥ ହେବା ସମୟ ୧୦ ଦିନରୁ ଅଧିକ ହୋଇଯାଉଛି ବୋଲି ଦିଲ୍ଲୀ ବାସିନ୍ଦାମାନେ କହିଛନ୍ତି।

ଏହି ଭାଇରସ ପିଲା, ବୃଦ୍ଧ ଏବଂ ପୂର୍ବରୁ ଥିବା ରୋଗରେ ପୀଡିତ ଲୋକଙ୍କୁ ସର୍ବାଧିକ ପ୍ରଭାବିତ କରୁଛି ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି।

ଉତ୍ସବ ସମୟ ଠାରୁ ରାଜଧାନୀ ଦିଲ୍ଲୀ ପବନ ବିଷାକ୍ତ ହୋଇଯାଇଛି। ଦୀପାବଳିର ବାଣ ଧୂଆଁ, ପଡ଼ୋଶୀ ରାଜ୍ୟଗୁଡ଼ିକରେ ଫସଲ ଅବଶେଷପୋଡ଼ୀ ଆଦି ଘଟଣା ଓ ସ୍ଥାନୀୟ କଳକାରଖାନାରେ ଅଙ୍ଗରାକାମ୍ଳ ନିର୍ଗମନ ଯୋଗୁ ଦିଲ୍ଲୀରେ ବାୟୁର ମାନ (AQI) ସ୍ତର ୪୦୦ ରୁ ୫୦୦ ମଧ୍ୟରେ ରହିଛି। ସୂକ୍ଷ୍ମ କଣିକା ପଦାର୍ଥ (PM2.5) ସ୍ତର ପ୍ରତି ମିଟରରେ ୩୫୦ ଗ୍ରାମରେ ପହଞ୍ଚିଛି, ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ନିର୍ଦ୍ଧାରିତ ନିରାପଦ ସୀମାଠାରୁ ପ୍ରାୟ ଦଶ ଗୁଣ ଅଧିକ।

ଲୋକାଲସର୍କଲ୍ସ ସର୍ଭେରୁ ଜଣାପଡିଛି ଯେ ପ୍ରତି ୪ ପରିବାରରେ ୩ ଜଣ ଶ୍ୱାସକ୍ରିୟା ସମସ୍ୟା, କାଶ, ଗଳା ଯନ୍ତ୍ରଣା, ନାକ ବନ୍ଦ ହେବା, ଆଖି ପୋଡ଼ିବା ଏବଂ ମୁଣ୍ଡବିନ୍ଧା ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି।  ଯାହା ବାୟୁ ପ୍ରଦୂଷଣର ମୂଳ ଲକ୍ଷଣ।

ରିପୋର୍ଟରେ କୁହାଯାଇଛି। "ଦିଲ୍ଲୀର ବାସିନ୍ଦାମାନେ ଦ୍ୱିଗୁଣିତ କ୍ଷତିର ସମ୍ମୁଖୀନ ହେଉଛନ୍ତି।" ମୌସୁମୀରେ ହେଉଥିବା ଭାଇରାଲ୍ ସଂକ୍ରମଣ ବିପଜ୍ଜନକ ଭାବରେ ଉଚ୍ଚ ପ୍ରଦୂଷଣ ସହିତ ମିଶିଛି। ଯାହା ଦ୍ୱାରା ସୁସ୍ଥ ହେବା କଷ୍ଟକର ଏବଂ ଶ୍ୱାସକ୍ରିୟା ରୋଗର ସମ୍ଭାବନା ବୃଦ୍ଧି ପାଇଛି।"

ସର୍ଭେରୁ ଏହିସବୁ ତଥ୍ୟ ଜଣାପଡ଼ିଛି

• ୧୭% ଉତ୍ତରଦାତାଙ୍କ ପରିବାରରେ ୪ କିମ୍ବା ତା’ଠାରୁ ଅଧିକ ଅସୁସ୍ଥ ବ୍ୟକ୍ତି ଅଛନ୍ତି।
• ୨୫% ଲୋକଙ୍କର ଦୁଇରୁ ତିନି ଜଣ ଅସୁସ୍ଥ ସଦସ୍ୟ ଅଛନ୍ତି।

• ୩୩% ଲୋକଙ୍କର ଜଣେ ଅସୁସ୍ଥ ବ୍ୟକ୍ତି ଅଛନ୍ତି।
• କେବଳ ୨୫% ପରିବାର ସମସ୍ତେ ସୁସ୍ଥ ଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

ଗବେଷଣାରେ କୁହାଯାଇଛି ଯଦି ତୁରନ୍ତ ହସ୍ତକ୍ଷେପ ନିଆ ନ ଯାଏ, ତେବେ ସ୍ୱାସ୍ଥ୍ୟ ସମସ୍ୟା ଆହୁରି ଖରାପ ହୋଇପାରେ। ସର୍ଭେ ଗବେଷକମାନେ କର୍ତ୍ତୃପକ୍ଷଙ୍କୁ ଯାନବାହାନ ନିର୍ଗମନ, ନିର୍ମାଣ କାର୍ଯ୍ୟରେ ଉଡ଼ୁଥିବା ଧୂଳି ଏବଂ ନଡ଼ା ପୋଡ଼ିବା ସମେତ ବାୟୁ ପ୍ରଦୂଷଣର ମୂଳ କାରଣଗୁଡ଼ିକୁ ସମାଧାନ କରିବାକୁ ଅନୁରୋଧ କରିଛନ୍ତି। ସେହିପରି ଘର ଭିତରର ବାୟୁର ମାନ, ଓ ମାସ୍କ ପିନ୍ଧି ବାହାରିବା, ଭାଇରାଲ୍ ସଂକ୍ରମଣ ହ୍ରାସ ନପାଇବା ପର୍ଯ୍ୟନ୍ତ ବଡ଼ ଆକାରରେ ସମାବେଶ ନ କରିବା ଅଯଥାରେ ବାହାରେ ନ ବୁଲିବା ଭଳି ସଚେତନତା ସୃଷ୍ଟି କରିବାକୁ ସର୍ଭେ ଅନୁରୋଧ କରିଛନ୍ତି ଗବେଷକ।