ନୂଆଦିଲ୍ଲୀ: ତମ୍ପ ସାପ ଓ ଚିତି ସାପ ମୃତ୍ୟୁ ପରେ ବି ମଣିଷକୁ କାମୁଡ଼ିପାରେ ଓ ମୃତ୍ୟୁର କାରଣ ହୋଇପାରେ। ସାପ ମରିବାର କିଛି ଘଣ୍ଟା ପରେ ବି ମଣିଷକୁ କାମୁଡ଼ି ପାରେ ବୋଲି ଏକ ଆଶ୍ଚର୍ଯ୍ୟକର ଗବେଷଣା ସାମ୍ନାକୁ ଆଣିଛନ୍ତି। ଆସାମରେ ଡାକ୍ତର ଏବଂ ଗବେଷକମାନେ ମୃତ ସାପ ରୋଗୀଙ୍କୁ କାମୁଡ଼ିବାର ପ୍ରଥମ ବୈଜ୍ଞାନିକ ଦସ୍ତାବିଜ ଦେଇଛନ୍ତି।
ଏହି ଗବେଷଣାରେ ଦୁଇଟି ମୋନୋକ୍ଲେଡ୍ କୋବ୍ରା(ତମ୍ପ) ଏବଂ ଗୋଟିଏ କଳା କ୍ରେଟ୍ ସାପ(ଚିତି) କାମୁଡ଼ାକୁ ଯାଞ୍ଚ କରାଯାଇଥିଲା। ଏହି ସାପଗୁଡ଼ିକ ମରିବା ହେବା ପରେ ବି ଲୋକଙ୍କୁ କାମୁଡ଼ିଥିଲେ। ଏହି ଗବେଷଣାର ରିପୋର୍ଟ ଅଗଷ୍ଟ ୧୯ ରେ ଫ୍ରଣ୍ଟିୟର୍ସ ଇନ୍ ଟ୍ରପିକାଲ ଡିଜିଜେସ୍ ରେ ପ୍ରକାଶିତ ପାଇଥିଲା ବୋଲି ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ପ୍ରକାଶ କରିଛି।
କେମିତି ସାମ୍ନାକୁ ଆସିଲା ମାମଲା?
ଶିବସାଗର ଜିଲ୍ଲାର ଦିମୋ ରୁରାଲ କମ୍ୟୁନିଟି ହେଲ୍ଥ ସେଣ୍ଟରର ଆନାସ୍ଥେସିଓଲୋଜିଷ୍ଟ ଡକ୍ଟର ସୁରଜିତ ଗିରିଙ୍କ ନେତୃତ୍ୱରେ ଚାରି ଜଣ ଡାକ୍ତର ଏବଂ ଗବେଷକ ଏହି ଗବେଷଣା କରିଥିଲେ। ସେମାନେ ଶିବସାଗର ଜିଲ୍ଲାରେ ମୃତ ତମ୍ପ କାମୁଡ଼ାରେ ସୃଷ୍ଟି ହୋଇଥିବା ବିଷକ୍ରିୟାର ଦୁଇଟି ଘଟଣା ରେକର୍ଡ କରିଥିଲେ। ସେହିପରି କାମରୂପ ଜିଲ୍ଲାର ବୋକୋ ରୁରାଲ କମ୍ୟୁନିଟି ହେଲ୍ଥ ସେଣ୍ଟରର ଡକ୍ଟର ହେମେନ୍ଦ ନାଥଙ୍କ ଦ୍ୱାରା ଏକ ମୃତ ଚିତି କାମୁଡ଼ାରେ ସେପରି ଏକ ମାମଲା ରିପୋର୍ଟ କରାଯାଇଥିଲା।
ଏନେଇ ଡକ୍ଟର ଗିରି କହିଛନ୍ତି ଯେ ଏହି ମାମଲାଗୁଡ଼ିକ ୨୦୨୨ ଏବଂ ୨୦୨୩ ମସିହାରେ ଘଟିଥିଲା। ଏହାପୂର୍ବରୁ, ଚିକିତ୍ସା ସାହିତ୍ୟ କେବଳ ରାଟାଲସ୍ନେକ କ୍ଷେତ୍ରରେ ଏପରି ଘଟଣା ରେକର୍ଡ କରାଯାଇଥିଲା। ହେଲେ ତମ୍ପ ଓ ଚିତି ଠାରେ ବି ଏଭଳି ଘଟଣା ରେକର୍ଡ ହୋଇଛି। ଆସାମ ମାମଲାଗୁଡ଼ିକୁ ଏବେ ବିଷ ବିଜ୍ଞାନ(ଟକ୍ସିନୋଲୋଜି) ଏବଂ ଜରୁରୀକାଳୀନ ଔଷଧରେ ଏକ ନୂଆ ସନ୍ଦର୍ଭ ବିନ୍ଦୁ(ରେଫେନ୍ସ ପଏଣ୍ଟ) ଭାବରେ ବିବେଚନା କରାଯାଉଛି।
ତମ୍ପ କ୍ଷେତ୍ରରେ ଦେଖାଯାଇଥିବା ମାମଲା
ପ୍ରଥମ ମାମଲାର, ଏକ ମୃତ ତମ୍ପ ସାପର ମୁଣ୍ଡକୁ ଜଣେ ବ୍ୟକ୍ତି ଫୋପାଡ଼ି ଦେବା ସମୟରେ କଟା ମୁଣ୍ଡଟି ବ୍ୟକ୍ତିଙ୍କୁ କାମୁଡ଼ି ଦେଇଥିଲା। ଏହାପରେ ତାଙ୍କର ଗୁରୁତର ଯନ୍ତ୍ରଣା ଏବଂ ବାନ୍ତି ହୋଇଥିଲା। ବ୍ୟକ୍ତିଙ୍କ ଚିକିତ୍ସାରେ ୨୦ଟି ଆଣ୍ଟିଭେନମ୍ ଭାଏଲ୍, ପେନ କିଲର ଓ ଘା’ ଶୁଖିବାର ସମସ୍ତ ଚିକିତ୍ସା କରାଯାଇଥିଲା। କାମୁଡ଼ିଥିବା ସ୍ଥାନରେ ଏକ ଘାଆ ହୋଇଥିଲା, ଯାହାକୁ ଭଲ କରିବାକୁ ସପ୍ତାହେ ସମୟ ଲାଗିଥିଲା। ଶେଷରେ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲେ। ସେହିପରି ଅନ୍ୟ ଏକ ଘଟଣାରେ ଜଣେ ଚାଷୀଙ୍କ ପାଦକୁ ତମ୍ପ ସାପର କଟା ମୁଣ୍ଡ କାମୁଡ଼ି ଦେଇଥିଲା। ଟ୍ରାକ୍ଟର ମାଡ଼ରେ ଏହି ସାପର ମୁଣ୍ଡ କଟିଯାଇଥିଲା। ରୋଗୀ କାମୁଡ଼ିଥିବା ସ୍ଥାନରେ ଗୁରୁତର ସାଇଟୋଟକ୍ସିକ୍ ପ୍ରଭାବ ଦେଖାଇଥିଲେ। ତାଙ୍କୁ ଘା ଶୁଖିବାକୁ ଓ ସୁସ୍ଥ ହେବାକୁ ୨୦ ଟି ଭାଏଲ୍ ଆଣ୍ଟିଭେନମ୍, ଆଣ୍ଟିବାୟୋଟିକ୍ ଦିଆଯାଇଥିଲା। ତଥାପି ସୁସ୍ଥ ହେବାକୁ ତାଙ୍କୁ ୨୫ ଦିନ ସମୟ ଲାଗିଥିଲା।
ସେହିପରି ତୃତୀୟ ଘଟଣା କାମରୂପ ଜିଲ୍ଲାରେ ରିପୋର୍ଟ ହୋଇଥିଲା। ତିନି ଘଣ୍ଟା ଧରି ମୃତ ଥିବା ଏକ ଚିତି ସାପର ମୁଣ୍ଡକୁ ହାତ ଧରିବା ସମୟରେ ମୃତ ସାପର ମୁଣ୍ଡ ବ୍ୟକ୍ତିକୁ କାମୁଡ଼ି ଦେଇଥିଲା। ପ୍ରାରମ୍ଭରେ ସାମାନ୍ୟ ଯନ୍ତ୍ରଣା ହେତୁ ବ୍ୟକ୍ତି ଜଣଙ୍କ ଅଣଦେଖା କରିଥିଲେ। ହେଲେ ପରେ ତାଙ୍କ ଠାରେ ନ୍ୟୁରୋଟକ୍ସିକ ଲକ୍ଷଣ ptosis(ସୋସେସ୍), dysphagia(ଡିସଫାଜିଆ) ଏବଂ quadriplegia(କ୍ୱାଡ୍ରିପ୍ଲେଜିଆ) ଦେଖା ଦେଇଥିଲେ। ଯାହା ପାଇଁ ରୋଗୀଙ୍କୁ ଆଣ୍ଟିଭେନମ୍ ସାଂଗକୁ ୪୩ ଘଣ୍ଟା ଧରି ଭେଣ୍ଟିଲେଟରରେ ରଖାଯାଇଥିଲା। ୬ ଦିନ ଡାକ୍ତରଖାନାରେ ରହିବା ପରେ ବ୍ୟକ୍ତି ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିଲେ।
ମୃତ ପରେ କାହିଁକି ଭୟଙ୍କର ହୋଇପାରନ୍ତି ସାପ?
ଡକ୍ଟର ଗିରିଙ୍କ ମତରେ, ମୃତ କିମ୍ବା ମୁଣ୍ଡ କଟା ସାପ ମାଂସପେଶୀ ସଙ୍କୋଚନ ମାଧ୍ୟମରେ କିମ୍ବା ସେମାନଙ୍କର ଗ୍ରନ୍ଥିରେ ସଂରକ୍ଷିତ ବିଷ ମଣିଷ ଶରୀରେ ଛାଡ଼ି ପାରିବେ। ତେଣୁ ସାପର ମୃତ୍ୟୁ ପରେ ବି ମଣିଷକୁ ସତର୍କ ରହିବା ଆବଶ୍ୟକ। କାରଣ ମୃତ ସାପର ବିଷ ବି ସେତେକି ଘାତକ ହୋଇଥାଏ ଯେତିକି ଜୀବନ୍ତ କାମୁଡ଼ାରେ ହୋଇଥାଏ। ଏଥିପାଇଁ ସମାନ ଚିକିତ୍ସା ମଧ୍ୟ ଆବଶ୍ୟକ ହୁଏ। ଗ୍ରାମୀଣ ଅଞ୍ଚଳରେ ସାପକାମୁଡ଼ା ସମସ୍ୟା ସର୍ବାଧିକ ରହିଥିବାରୁ ସେମାନଙ୍କୁ ଏ ଦିଗରେ ସତର୍କ ରହିବାର ଆବଶ୍ୟକତା ରହିଛି।