ତୃତୀୟ ଦିନର ଖେଳ ସମାପ୍ତ, ବୁମରାଙ୍କୁ ୫ ଓ୍ଵିକେଟ୍; ଭାରତ ୯୬ ରନରେ ଆଗୁଆ

Published By : Prameya-News7 Bureau | June 22, 2025 IST

ଲିଡ୍ସ: ଲିଡ୍ସରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟର ତୃତୀୟ ଦିନର ଖେଳ ସମାପ୍ତ ହୋଇଛି। ଇଂଲଣ୍ଡ ପ୍ରଥମ ଇନିଂସରେ ୪୬୫ ରନରେ ଅଲଆଉଟ୍ ହେବା ପରେ ଭାରତ ଦ୍ଵିତୀୟ ଇନିଂସରେ ୨ ଓ୍ଵିକେଟ୍ ହରାଇ ୯୦ ରନ କରିଛି। ଦଳ ଘରୋଇ ଦଳଠୁ ୯୬ ରନରେ ଅଗ୍ରଣୀ ରହିଛି। କ୍ରିଜରେ କେଏଲ ରାହୁଲ ୪୭ ରନ ଓ ଶୁଭମନ ଗିଲ୍ ୬ ରନ କରି ଅପରାଜିତ ଅଛନ୍ତି। ତୃତୀୟ ଦିନର ଖେଳରେ ବୁମରା ୫ ଓ୍ଵିକେଟ୍ ନେଇଥିବା ବେଳେ ଇଂଲଣ୍ଡ ପକ୍ଷରୁ ହ୍ୟାରି ବ୍ରୁକ ୯୯ ରନ କରିଛନ୍ତି। ଖେଳ ଆହୁରି ୨ ଦିନ ବାକି ଥିବା ବେଳେ  ମ୍ୟାଚ୍‌ର ଫଳାଫଳ ବାହାରିବାର ସମ୍ଭାବନା ରହିଛି। ଚତୁର୍ଥ ଦିନର ପ୍ରଥମ ସେସନର ଖେଳ ବେଶ ମହତ୍ଵପୂର୍ଣ୍ଣ ହେବାକୁ ଯାଉଛି।

ଭାରତ ଦ୍ଵିତୀୟ ଇନିଂସ ଆରମ୍ଭ କରିଥିବା ବେଳେ ୧୬ ରନ ସ୍କୋରରେ ଦଳକୁ ପ୍ରଥମ ଝଟକା ଲାଗିଥିଲା। ଗତ ମ୍ୟାଚ୍‌ର ଶତକୀୟ ଇନିଂସ ଖେଳିଥିବା ଜୟସ୍ଵାଲ ମାତ୍ର ୪ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ରାହୁଲ ଓ ସାଇ ସୁଦର୍ଶନ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୬୬ ରନ ଯୋଡ଼ିଥିଲେ।ତେବେ କ୍ରିଜରେ ଜମି ଭଲ ଫର୍ମରେ ନଜର ଆସୁଥିବା ସାଇ ସୁଦର୍ଶନ ୩୦ ରନ କରି ପାଭିଲିୟନ ଫେରିଥିଲେ। ଭାରତ ୨ ଓ୍ଵିକେଟ୍ ହରାଇ ୯୦ ରନ କରିଥିବା  ସମୟରେ ବର୍ଷା ହେବାରୁ ତୃତୀୟ ଦିନର ଖେଳ ବନ୍ଦ ଘୋଷଣା କରାଯାଇଥିଲା। । କ୍ରିଜରେ କେଏଲ ରାହୁଲ ୪୭ ରନ ଓ ଶୁଭମନ ଗିଲ୍ ୬ ରନ କରି ଅପରାଜିତ ଅଛନ୍ତି। 

ଏହା ପୂର୍ବରୁ ଦ୍ଵିତୀୟ ଦିନର ଅସମାପ୍ତ ଖେଳ ୨୦୯/୩ରୁ ବ୍ୟାଟିଂ ଆରମ୍ଭ କରିଥିଲା ଇଂଲଣ୍ଡ। କ୍ରିଜରେ ଥିଲେ ଓଲି ଏବଂ ହ୍ୟାରି ବ୍ରୁକ। ଶତକ ହାସଲ କରି କ୍ରିଜରେ ଜମିଥିବା ଓଲି ପପଙ୍କୁ ପ୍ରସିଦ୍ଧ କୃଷ୍ଣା ଆଉଟ୍ କରିଥିଲେ। ପପ ୧୩୭ ବଲରୁ ୧୪ ଚୌକା ସହ ୧୦୬ ରନ କରିଥିଲେ। ଏହା ପରେ ହ୍ୟାରି ଓ ଅଧିନାୟକ ବେନ ଷ୍ଟୋକ୍ସ ପଞ୍ଚମ ଓ୍ଵିକେଟ୍ ପାଇଁ ୫୧ ରନ ଯୋଡ଼ି ଦଳର ସ୍କୋରକୁ ୨୭୬ ରନରେ ପହଞ୍ଚାଇଥିଲେ। ବେନ ଷ୍ଟୋକ୍ସ(୨୦)ଙ୍କୁ ମହମ୍ମଦ ସିରାଜ ପାଭିଲିୟନର ରାସ୍ତା ଦେଖାଇଥିଲେ। ବ୍ରୁକ ଓ ଜେମି ସ୍ମିଥ ୭୩ ରନ ଯୋଡ଼ିଥିଲେ। ସ୍ମିଥ ୪୦ ରନର ଉପଯୋଗୀ ଇନିଂସ ଖେଳିଛନ୍ତି। ତେବେ କ୍ରିଜରେ ଜମି ରହି ହ୍ୟାରି ବ୍ରୁକ ଦଳର ଇନିଂସକୁ ୪୦୦ ନିକଟତର ପହଞ୍ଚାଇଥିଲେ। 

ଶତକର ନିକଟତର ହୋଇଥିବା ହ୍ୟାରି ବ୍ରୁକ  ୧୧୨  ବଲରୁ ୧୧ ଚୌକା ଓ ୨ ଛକା ସହ ୯୯ ରନରେ  ପାଭିଲିୟନ ଫେରିଥିଲେ। ପ୍ରସିଦ୍ଧ କୃଷ୍ଣା ବ୍ରୁକଙ୍କୁ ଆଉଟ୍ କରି ତୃତୀୟ ସଫଳତା ହାସଲ  କରିଛନ୍ତି। ତେବେ ନିମ୍ନ କ୍ରମରେ କ୍ରିସ ଓ୍ଵକ୍ସ ଓ ବ୍ରିଡନ କର୍ସ ୫୫ ରନ ଯୋଡ଼ି ଭାରତକୁ ବଡ଼ ଅଗ୍ରଣୀ ହେବାକୁ ଦେଇ ନ ଥିଲେ। କର୍ସ(୨୨)ଙ୍କୁ ମହମ୍ମଦ ସିରାଜ ବୋଲ୍ଡ କରିଥିଲେ। କ୍ରିସ୍ ଓ୍ଵକ୍ସ ଓ ଜୋଶ ଟଙ୍ଗ ଉଭୟଙ୍କୁ କ୍ଲିନ ବୋଲ୍ଡ କରିଥିଲେ ବୁମରା। କ୍ରିସ ଓ୍ଵକ୍ସ ୩୮ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଇଂଲଣ୍ଡ ୪୬୫ ରନରେ ଅଲଆଉଟ୍ ହୋଇଛି। ବୋଲିଂରେ ବୁମରା ୮୩ ରନ ଦେଇ ୫ଟି ଓ୍ଵିକେଟ୍ ନେଇଛନ୍ତି। ପ୍ରସିଦ୍ଧ କୃଷ୍ଣା ୧୨୮ ରନ ଦେଇ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ହେଁ ୩ଟି ଏନଂ ସିରାଜ ୨ଟି ଓ୍ଵିକେଟ୍ ନେଇଛନ୍ତି। 

ଭାରତ ପ୍ରଥମ ଇନିଂସ ୪୭୧ ରନ କରିଥିଲା। ଦଳ ପକ୍ଷରୁ ଶୁଭମନ ଗିଲ୍ ସର୍ବାଧିକ ୧୪୭ ରନ କରିଥିବା ବେଳେ ଋଷଭ ପନ୍ତ ୧୩୪ ରନ ଓ ଜୟସ୍ଵାଲ ୧୦୧ ରନର ଇନିଂସ ଖେଳିଥିଲେ। କେଏଲ ରାହୁଲ ୪୨ ରନ କରିଥିଲେ। ଏକଦା  ୩ ଓ୍ଵିକେଟ୍ ହରାଇ ୪୩୦ ରନ କରିଥିବା ଭାରତ ନିମ୍ନକ୍ରମରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୪୭୧ ରନ କରି ପାରିଥିଲା। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.