ନୂଆଦିଲ୍ଲୀ ୦୪।୦୮; ଋଷର କାମଚଟ୍କାରେ ଭୟଙ୍କର ଆଗ୍ନେୟ ଉଦ୍ଗୀରଣ । ୬୦୦ ବର୍ଷ ପରେ କ୍ରାଶେନିନିକୋଭ୍ରେ ପ୍ରଥମ ବିସ୍ଫୋରଣ । ଆଗ୍ନେୟ ଉଦ୍ଗୀରଣ ଫଳରେ ୬ ହଜାର ମିଟର ଉଚ୍ଚ ଧୂଆଁ ଓ ପାଉଁଶ ଉଠୁଥିବା ଦେଖିବାକୁ ମିଳିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । କାମଚଟ୍କା ପ୍ରଶାସନ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ନିକଟ ଅଞ୍ଚଳର ଲୋକଙ୍କୁ ସୁରକ୍ଷା ପାଇଁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । କାମଚଟ୍କାରେ ବିମାନ ସେବା ମଧ୍ୟ ବନ୍ଦ ରହିଛି ଏବଂ ଆକାଶ ମାର୍ଗକୁ ବି ବନ୍ଦ କରାଯାଇଛି ।
ଦେଶର ଜରୁରୀକାଳୀନ ବିଭାଗ ରବିବାର ସୂଚନା ଦେଇଛି ଯେ ପ୍ରାୟ ୬୦୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କାମଚଟକା ଜ୍ୱାଳାମୁଖୀ ଫାଟିଛି। ରୁଷ ସରକାରୀ ଗଣମାଧ୍ୟମ ଦ୍ଵାରା ପ୍ରକାଶିତ ଫୁଟେଜରେ କ୍ରାଶେନିନିକୋଭ ଜ୍ୱାଳାମୁଖୀରୁ ଧୂଆଁ ବାହାରୁଥିବାର ନଜର ଆସିଥିଲା। ଯାହା ସ୍ମିଥସୋନିଆନ ଇନଷ୍ଟିଚ୍ୟୁସନର ଗ୍ଲୋବାଲ ଭୋଲକାନିଜମ୍ ପ୍ରୋଗ୍ରାମ ଅନୁଯାୟୀ ଶେଷ ଥର ପାଇଁ ୧୫୫୦ ମସିହାରେ ଫୁଟିଥିଲା, କିଛି ଲୋକ କହୁଛନ୍ତି ଯେ ଏହାର ବିସ୍ଫୋରଣ ୬୦୦ ବର୍ଷ ପୂର୍ବେ ହୋଇଥିଲା। ଋଷିଆର ଜରୁରୀକାଳୀନ ସେବା ମନ୍ତ୍ରଣାଳୟ କହିଛି ଯେ କାମଚାଟକା ଉପଦ୍ୱୀପରେ ବିସ୍ଫୋରଣ ପରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଯାହା ବିମାନ ପ୍ରତି ବିପଦକୁ ସୂଚିତ କରୁଛି। ଯାହା ଯୋଗୁଁ ଅନେକ ଉଡ଼ାଣ ପ୍ରଭାବିତ ହୋଇପାରେ।
ଗତ ସପ୍ତାହରେ ଭୟଙ୍କର ଭୂମିକମ୍ପ ହୋଇଥିଲା
ବୁଧବାର ଦିନ ଋଷିଆର କାମଚାଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ବଡ଼ ଭୂମିକମ୍ପ ହୋଇଥିଲା। ଯାହା ପ୍ରଶାନ୍ତ ମହାସାଗରରେ ସୁନାମି ସୃଷ୍ଟି କରିଥିଲା ଏବଂ ଜାପାନରୁ ହାୱାଇ ଏବଂ ଚିଲି ପର୍ଯ୍ୟନ୍ତ ଆତଙ୍କ ବ୍ୟାପିଥିଲା। ଋଷିଆର ବନ୍ଦର ସହର ଗୁଡ଼ିକ ଜଳମଗ୍ନ ହୋଇଯାଇଥିଲା। ଲକ୍ଷ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଏହା ଇତିହାସରେ ରେକର୍ଡ ହୋଇଥିବା ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପ ମଧ୍ୟରୁ ଗୋଟିଏ ଥିଲା। ବୈଜ୍ଞାନିକମାନେ ସମ୍ଭାବ୍ୟ ପରବର୍ତ୍ତୀ ଝଟକା ବିଷୟରେ ସତର୍କ କରାଇଛନ୍ତି। ଏବେ ସେଠାରେ ଆଗ୍ନେୟ ଉଦ୍ଗୀରଣ ହୋଇଛି ।