ନୂଆଦିଲ୍ଲୀ: କମିଲା ଭାରତୀୟ ଷ୍ଟକ୍ ମାର୍କେଟ୍ର ଚମକ। ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ନିବେଶକଙ୍କ ପସନ୍ଦର ଷ୍ଟକ୍ ମାର୍କେଟ୍ ମଧ୍ୟରେ ଭାରତର ଦଲାଲ ଷ୍ଟ୍ରିଟ୍ ଚତୁର୍ଥ ସ୍ଥାନକୁ ଖସି ଆସିଛି। ବ୍ୟାଙ୍କ ଅଫ୍ ଆମେରିକା (BofA)ର ସଦ୍ୟତମ ସର୍ଭେ ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଗତ କିଛି ମାସ ମଧ୍ୟରେ ଭାରତୀୟ ଇକ୍ୱିଟି ପ୍ରତି ନିବେଶକଙ୍କ ଆଗ୍ରହ ହ୍ରାସ କମିଥିବା ବୋଫା ସିକ୍ୟୁରିଟିଜ୍ କହିଛି।
ଭାରତର ନିଫ୍ଟି ସୂଚକାଙ୍କ ଦୁଇ ମାସ ଧରି ଏକତ୍ରୀକରଣ(କନସୋଲିଡେସନ) ପର୍ଯ୍ୟାୟରେ ଫସି ରହିଛି, ଏବଂ ବ୍ରେକଆଉଟର କୌଣସି ସ୍ପଷ୍ଟ ସଙ୍କେତ ମିଳି ନାହିଁ। ବିଶ୍ୱ ନିବେଶକମାନେ ଭଲ ରିଟର୍ଣ୍ଣ ଖୋଜୁଥିବା ବେଳେ ଭାରତୀୟ ଷ୍ଟକ୍ ମାର୍କେଟ୍ ସେମାନଙ୍କର ଇଣ୍ଟରେଷ୍ଟ କମିଯାଇଛି। ତେବେ ଜାପାନ, ତାଇୱାନ ଏବଂ ଦକ୍ଷିଣ କୋରିଆର ଷ୍ଟକ୍ ମାର୍କେଟ ଭଲ ପ୍ରଦର୍ଶନ କରିଛି। ସେମିକଣ୍ଡକ୍ଟର ଭଳି କ୍ଷେତ୍ରରେ ଦୃଢ଼ ପ୍ରଦର୍ଶନ ଏବଂ ଆଶାତୀତ ଆର୍ଥିକ ସଂସ୍କାର ପାଇଁ ଏମାନଙ୍କର ଷ୍ଟକ୍ ମାର୍କେଟ୍ରେ ନିବେଶକମାନେ ଆଗ୍ରହ ପ୍ରକାଶ କରୁଛନ୍ତି।
ଜାପାନ ସବୁଠାରୁ ପ୍ରିୟ ବଜାର ହୋଇ ରହିଛି, ତା' ପଛକୁ ତାଇୱାନ ଏବଂ କୋରିଆ ରହିଛନ୍ତି। ଭାରତ ଚତୁର୍ଥ ସ୍ଥାନକୁ ଖସି ଆସିଛି। ବୋଲି ସର୍ଭେରେ କୁହାଯାଇଛି। ନୂଆ ନେତୃତ୍ୱଙ୍କ ନୀତିଗତ ସଂସ୍କାରକୁ ନେଇ ଆଶା ଉଜ୍ଜିବିତ ହୋଇଥିବା ଯୋଗୁ କୋରିଆ ଅତିରିକ୍ତ ଲାଭ ମିଳିଛି। କିନ୍ତୁ ଚୀନ୍ ଆଲୋକେସନ ପୁଣି ହ୍ରାସ ପାଇଛି। ଏବେ କେବଳ ଅଷ୍ଟ୍ରେଲିଆ ଏବଂ ଥାଇଲ୍ୟାଣ୍ଡ ଚୀନ ପଛରେ ରହିଛନ୍ତି ବୋଲି ସର୍ଭେରେ କୁହାଯାଇଛି।
ବୋଫାର ସର୍ଭେ ଅନୁଯାୟୀ, କେବଳ ୧୦% ପାଣ୍ଠି ପରିଚାଳକ ଏବେ ଭାରତ ପ୍ରତି ଅଧିକ ଭରସା କରୁଛନ୍ତି। ଏହି ତୁଳନାରେ, ୩୨% ଜାପାନକୁ ପସନ୍ଦ କରୁଥିବା ବେଳେ ୧୯% ତାଇୱାନକୁ ପସନ୍ଦ କରନ୍ତି, ଏବଂ ୧୬% ଦକ୍ଷିଣ କୋରିଆକୁ ପସନ୍ଦ କରନ୍ତି ବୋଲି ସର୍ଭେରେ କୁହାଯାଇଛି। ଏହି ତଥ୍ୟ ଦର୍ଶାଉଛି ଯେ ଅନେକ ନିବେଶକ ଭାରତରୁ ସେମାନଙ୍କର ଟଙ୍କା କାଢ଼ି ନେଉଛନ୍ତି। ସେମିକଣ୍ଡକ୍ଟର-ସମ୍ବନ୍ଧୀୟ ଷ୍ଟକର ଚାହିଦା ବୃଦ୍ଧି ପାଇବା ଯୋଗୁ ଏହାର ବୃଦ୍ଧି ପାଉଥିବା ବଜାରରେ ଟଙ୍କା ନିବେଶ କରୁଛନ୍ତି।
ଏହି ଖବର ଭାରତର ଆଇଟି ସେବା କ୍ଷେତ୍ର ପାଇଁ ବିଶେଷ ଭାବରେ ନିରାଶାଜନକ। କାରଣ ଏ କ୍ଷେତ୍ରରେ ନିବେଶକଙ୍କ ଆଗ୍ରହରେ ତୀବ୍ର ହ୍ରାସ ଘଟିଛି। ବୋଫା କହିଛି ଯେ ଏହାର ଭାରତ ଆଇଟି ସେବା ସୂଚକ ୨୦ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଆଇଟି ସେକ୍ଟରକୁ ପାରମ୍ପାରିକ ଭାବରେ ଏକ ଦୃଢ଼ ପ୍ରଦର୍ଶନକାରୀ କ୍ଷେତ୍ର ଭାବରେ ଦେଖାଯାଉଥିଲା। ହେଲେ ନିବେଶକମାନେ ଭାରତର ଏହି ପ୍ରମୁଖ ଶିଳ୍ପ ଉପରେ ବିଶ୍ୱାସ ହରାଇବା ନିହାତି ଭାବେ ଚିନ୍ତାଜନକ।
ସୂଚନା ଥାଉକି, ବୋଫା ସର୍ଭେ ନିବେଶକଙ୍କ ମନୋଭାବରେ ଏକ ସ୍ପଷ୍ଟ ପରିବର୍ତ୍ତନର ସଙ୍କେତ ଦିଏ। ଅନ୍ୟାନ୍ୟ ଏସୀୟ ବଜାରଗୁଡ଼ିକ ଦୃଢ଼ କ୍ଷଣସ୍ଥାୟୀ ରିଟର୍ଣ୍ଣ ପ୍ରଦାନ କରୁଥିବାରୁ ସେଠାରେ ଗ୍ରାହକଙ୍କ ଆଗମନ ବଢୁଛି। ତେଣୁ ଦଲାଲ୍ ଷ୍ଟ୍ରିଟ୍ ପୁଣି ଥରେ ଧ୍ୟାନ ଆକର୍ଷଣ କରିବା ପାଇଁ ନୂଆ ଡ୍ରାଇଭରଙ୍କର ଆବଶ୍ୟକତା ଲୋଡ଼ିପାରେ। ଼
ସେପଟେ ବିଶ୍ଳେଷକଙ୍କ କହିବା କଥା ହେଲା ମାର୍କେଟ୍ର ଏକପାଖିଆ ଗତିରୁ ବାହାରି ଆସିବା ପାଇଁ ଏପର୍ଯ୍ୟନ୍ତ କୌଣସି ସଂକେତ ଦେଖା ଯାଉ ନାହିଁ। ଏହାପରେ ଭାରତ-ଆମେରିକା ଟ୍ରେଡ୍ ଡିଲ୍ ଅମିମାଂସିତ ହୋଇ ରହିଛି। ତେଣୁ ଏହା ବି ନିବେଶକଙ୍କ ପାଇଁ ଏକ କାରଣ ହୋଇପାରେ। ତେବେ ଟାରିଫ ୨୦ ପ୍ରତିଶତ ତଳେ ରହିଲେ ଏ କ୍ଷେତ୍ରରେ ଡେଭଲପ ଆସିପାରେ ବୋଲି ବିଶ୍ଳେଷକ ଅନୁମାନ କରିଛନ୍ତି।