ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ବୈଠକରେ ପ୍ରାୟ ୧.୦୫ ଲକ୍ଷ କୋଟି ଟଙ୍କାର ୧୦ଟି ପ୍ରମୁଖ ପ୍ରତିରକ୍ଷା କ୍ରୟ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏହି ସମସ୍ତ ପ୍ରସ୍ତାବ 'କ୍ରୟ (ଭାରତୀୟ-IDDM)' ଅର୍ଥାତ୍ ସ୍ୱଦେଶୀ ଭାବରେ ଡିଜାଇନ୍, ବିକଶିତ ଏବଂ ନିର୍ମିତ ବର୍ଗ ଅନ୍ତର୍ଭୁକ୍ତ । ଏହି ନିଷ୍ପତ୍ତି କେବଳ ସଶସ୍ତ୍ର ବାହିନୀର କ୍ଷମତା ବୃଦ୍ଧି ଦିଗରେ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ 'ଆତ୍ମନିର୍ଭର ଭାରତ' ଅଭିଯାନକୁ ମଧ୍ୟ ମଜଭୁତ କରିବ ।
କେଉଁ କେଉଁ ପ୍ରତିରକ୍ଷା ଉପକରଣ କିଣାଯିବ ?
ସଶସ୍ତ୍ର ପୁନରୁଦ୍ଧାର ଯାନ - ଯୁଦ୍ଧ ସମୟରେ କ୍ଷତିଗ୍ରସ୍ତ ଟ୍ୟାଙ୍କ ଏବଂ ଭାରୀ ଯାନଗୁଡ଼ିକୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରିବା ପାଇଁ ।
ଇଲେକ୍ଟ୍ରୋନିକ୍ ଯୁଦ୍ଧ ପ୍ରଣାଳୀ - ଶତ୍ରୁର ରାଡାର ଏବଂ ଯୋଗାଯୋଗ ପ୍ରଣାଳୀକୁ ନିଷ୍କ୍ରିୟ କରିବା ପାଇଁ ଅତ୍ୟାଧୁନିକ ପ୍ରଯୁକ୍ତି ।
ସମନ୍ୱିତ ସାଧାରଣ ଇନଭେଣ୍ଟରି ପରିଚାଳନା ପ୍ରଣାଳୀ – ସ୍ଥଳସେନା, ବାୟୁସେନା ଏବଂ ନୌସେନା ମଧ୍ୟରେ ଯୋଗାଣ ଶୃଙ୍ଖଳାକୁ ଅଧିକ ସମନ୍ୱିତ କରିବା ।
ଭୂ-ପୃଷ୍ଠରୁ ଆକାଶକୁ ନିକ୍ଷେପ କରୁଥିବା କ୍ଷେପଣାସ୍ତ୍ର - ବାୟୁସେନା ଏବଂ ନୌସେନାର ବାୟୁ ପ୍ରତିରକ୍ଷାକୁ ସୁଦୃଢ଼ କରିବା ପାଇଁ ।
ନୌସେନା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ମଞ୍ଜୁରୀ ମଧ୍ୟ ଦିଆଯାଇଛି
ନୌସେନାର କ୍ଷମତା ବୃଦ୍ଧି କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ରୟକୁ ଅନୁମୋଦନ କରାଯାଇଛି । ଏଥିରେ ମୁର୍ଡ ମାଇନ୍ସ - ଜାହାଜକୁ ସୁରକ୍ଷା ଦେବା ପାଇଁ ସମୁଦ୍ରରେ ରଖାଯାଇଥିବା ବିସ୍ଫୋରକ ଉପକରଣ ଏବଂ ମାଇନ୍ କାଉଣ୍ଟର ମେଜର ଭେସଲ୍ସ, ସମୁଦ୍ରରେ ରଖାଯାଇଥିବା ଶତ୍ରୁ ମାଇନ୍ସକୁ ନିଷ୍କ୍ରିୟ କରୁଥିବା ଜାହାଜ ସାମିଲ ଅଛି । ସୁପର ରାପିଡ୍ ଗନ୍ ମାଉଣ୍ଟ – ରାପିଡ୍ ଫାୟରିଂ ଗନ୍, ସବମର୍ସିବଲ୍ ଅଟୋନୋମସ୍ ଭସେଲ୍ସ, ବିନା ଡ୍ରାଇଭରରେ ପାଣି ତଳେ ଚାଲୁଥିବା ଡଙ୍ଗା, ଯାହା ନୀରିକ୍ଷଣ ଗୁପ୍ତ ସୂଚନା ସଂଗ୍ରହରେ ସହାୟକ ହେବ ।
ଏହି ସମସ୍ତ ପ୍ରତିରକ୍ଷା ଉପକରଣ ଭାରତୀୟ ପ୍ରତିରକ୍ଷା ଉଦ୍ୟୋଗ ଦ୍ୱାରା ଡିଜାଇନ୍, ବିକଶିତ ଏବଂ ନିର୍ମାଣ କରାଯିବ । ଏହା ମେକ୍ ଇନ୍ ଇଣ୍ଡିଆ ଅଧୀନରେ ଘରୋଇ ପ୍ରତିରକ୍ଷା ଉତ୍ପାଦନକୁ ଏକ ବଡ଼ ପ୍ରୋତ୍ସାହନ ଦେବ । ଏହା ବିଦେଶୀ ଆମଦାନୀ ଉପରେ ଭାରତର ନିର୍ଭରଶୀଳତା ମଧ୍ୟ ହ୍ରାସ କରିବ ।