ଚେନ୍ନାଇ: ଶନିବାର ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ଫେଙ୍ଗଲ’ । ସମୁଦ୍ରରୁ ବଳ ଗୋଟାଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି । ଆଜି ସଂଧ୍ୟା ସୁଦ୍ଧା ତାମିଲନାଡ଼ୁ ଏବଂ ପୁଡୁଚେରୀ ମଧ୍ୟବର୍ତ୍ତୀ କ୍ଷେତ୍ରରେ ବାତ୍ୟା ସ୍ଥଳଭାଗ ଛୁଇଁବ । ଫେଙ୍ଗଲ ପ୍ରଭାବରେ ତାମିଲନାଡ଼ୁରେ ବର୍ଷାର ପରିମାଣ ଧୀରେ ଧୀରେ ବଢ଼ିବାରେ ଲାଗିଛି । ଆଗାମୀ ୨ ତାରିଖ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏପଟେ ବାତ୍ୟା ଯୋଗୁଁ ରାଜ୍ୟରେ କୋହଲା ପାଗ ରହିଛି । ୧୧ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବର ।
ପାଣିପାଗ ବିଭାଗର ସୂଚନା ଅନୁସାରେ, ଘଣ୍ଟାପ୍ରତି ୭କିମି ବେଗରେ ଉପକୂଳମୁହାଁ ହେଉଛି ଫେଙ୍ଗଲ । ଚେନ୍ନାଇଠାରୁ ୧୯୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ରହିଛି । ଆଜି ସଂଧ୍ୟା ସୁଦ୍ଧା ବାତ୍ୟା ଫେଙ୍ଗଲ ଲ୍ୟାଣ୍ଡଫଲ କରିପାରେ । ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ୯୦କିମି ରହିବ । ବାତ୍ୟା ପ୍ରଭାବରେ ତାମିଲନାଡୁର ଉପକୂଳ ଅଞ୍ଚଳରେ ପାଗରେ ପରିବର୍ତ୍ତନ ହୋଇଛି । ତାମିଲନାଡୁ ଓ ପୁଡୁଚେରୀକୁ ପ୍ରବଳ ବର୍ଷା ହେବା ନେଇ ରେଡ ଆଲର୍ଟ ଜାରି ହୋଇଛି । ବାତ୍ୟା ପାଇଁ ତାମିଲନାଡ଼ୁ ଏବଂ ପୁଡୁଚେରୀରେ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି ।
ବାତ୍ୟା ‘ଫେଙ୍ଗାଲ’ ଅତି ଭୀଷଣ ରୂପ ଧାରଣ କରିବ ନାହିଁ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ତଥାପି ତାମିଲନାଡ଼ୁ ଏବଂ ପୁଡୁଚେରୀର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳକୁ ସତର୍କ ସୂଚନା ଜାରି କରାଯାଇଛି । ତଳିଆ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଲୋକଙ୍କୁ ପରାମର୍ଶ ଦେଇଛି ପ୍ରଶାସନ । ନାଗପାଟ୍ଟମ ଏବଂ ଅନ୍ୟ ସମୁଦ୍ର କୂଳରେ ଉଚ୍ଚ ଜୁଆରମାନ ଦେଖିବାକୁ ମିଳିଛି । ବାତ୍ୟା ମୁକାବିଲା ନେଇ ଏନଡିଆରଏଫ୍ ଏବଂ ଏସଡିଆରଏଫ୍ ଟିମ୍ ପ୍ରସ୍ତୁତ ରହିଛି । ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ୨,୨୨୯ ରିଲିଫ୍ କ୍ୟାମ୍ପରେ ଟିମ୍ ପ୍ରସ୍ତୁତ ରହିଛି । ତିରୁଭାରୁର୍ ଏବଂ ନାଗାପାଟ୍ଟିମ୍ ଜିଲ୍ଲାର ୪୭୧ ଲୋକ ରିଲିଫ୍ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି । ସମୁଦ୍ରରୁ ୪,୧୦୦ ବୋଟ୍ ଉପକୂଳକୁ ଫେରିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବାତ୍ୟାରେ ପୁଡୁଚେରୀର ଉପକୂଳ ଜିଲ୍ଲା କାରାଇକାଲ ଏବଂ ମହାହାଲିପୁରମରେ ଅଧିକ ପ୍ରଭାବିତ ହେବା ନେଇ ଅନୁମାନ କରାଯାଉଛି ।...