ଗ୍ୟାସ ଷ୍ଟୋଭ ମିସ୍ତ୍ରୀଙ୍କ ହାତର କମାଲ, ପୁଅର ଜିଦ୍ ରଖିବାକୁ ତିଆରି କଲେ ସାଇକେଲ୍ କମ୍ ବାଇକ୍, ଦେଖିଲେ ଦ୍ବନ୍ଦ୍ବରେ ପଡିଯିବେ ଆପଣ

Published By : Prameya-News7 Bureau | July 03, 2025 IST

କଟକ ୦୩/୦୭: ସୃଜନଶୀଳତା ହେଉ ଅଥବା ଅର୍ଥ ଅଭାବ ।ନା ପୁଅକୁ ଭଲ ବାଟରେ ଆଣିବାକୁ ପ୍ରୟାସ । କାରଣ ଯାହା ବି ହେଉ ।ଏସବୁ କହିବାକୁ ଖୋରାକ ଯୋଗାଇଛନ୍ତି ଜଣେ ବାପା । କାରଣ ହେଉଛି ପୁଅର ବାଇକ ଚଢିବା ନିଶା । ପୁଅ ଜିଦ୍‌ କଲା ବାପା ମୋ ପାଇଁ ବାଇକ ଆଣିଦିଅ । ମୋ ସବୁ ସାଂଗମାନେ ବାଇକ ଚଢୁଛନ୍ତି ମୁଁ ବି ଚଢିବି । ପୁଅର ଏ ଜିଦ୍‌ ତାଙ୍କୁ କିଛି ନୂଆ କରି ଦେଖାଇବାର ରାସ୍ତା ଦେଖାଇଛି ।ସାଇକେଲକୁ ଦେଇଛନ୍ତି ବାଇକର ରୂପ ।  ଯେ କେହି ଦେଖିଲେ ଦ୍ବନ୍ଦରେ ପଡିଯିବ ଆରେ ଏଇଟା ବାଇକ ନା ସାଇକେଲ । ପ୍ୟାଡେଲ ମାରିଲେ ଘାଇଁ ଘାଇଁ ହୋଇ ଚାଲୁଛି । ୟେ ଆଜ୍ଞା ସାଇକେଲ୍‌ -କମ୍‌ ବାଇକ । ବୁଝିପାରୁନାହାନ୍ତି କି । ବଡି ପୁରା ବାଇକ ଭଳି ।କିନ୍ତୁ ପ୍ୟାଡେଲ ମାରିଲେ ଗଡୁଛି ।ଜଣେ ଗ୍ୟାସ ଷ୍ଟୋଭ ମିସ୍ତ୍ରୀଙ୍କ ଏ ହାତର କମାଲ ।  ପୁଅର ଇଚ୍ଛା ପୂରଣ କରିବାକୁ ଏମିତି ନିଆରା ଉଦ୍ୟମ କରି ଏବେ ଚର୍ଚ୍ଚାରେ କଟକ ରାଜେନ୍ଦ୍ର ନଗରର ଶିବ ଶଙ୍କର ସାହୁ । ଗ୍ୟାସ ଷ୍ଟୋଭ ମିସ୍ତ୍ରୀ ଥିବା ଶିବଶଙ୍କର  ଏକ ଛୋଟ ଦୋକାନ ମଧ୍ୟ କରିଛନ୍ତି । ଯେତିକି ରୋଜଗାର ହୁଏ ୩ ପ୍ରାଣୀ କୁଟୁମ୍ବ ଚଳିଯାଆନ୍ତି । ଯାହା ଅଳ୍ପ ବଳେ ସେତକ ସଂଚୟ କରନ୍ତି । ୨ମାସ ଧରି ସଂଚିଥିବା ପଇସାରେ ତିଆରି କରିଛନ୍ତି ସାଇକେଲ ବାଇକ । କବାଡି ଦୋକାନରୁ ପୁରୁଣା ହିରୋହଣ୍ଡାର ପାର୍ଟସ ଟାଙ୍କି, ମଡଗାର୍ଡ,ସିଟ୍‌ ହ୍ୟାଣ୍ଡେଲ ଓ ମିଟର ଭଳି ଜିନିଷ ଏଥିରେ ଯୋଡାଯାଇଛି । ଏଥିପାଇଁ ତାଙ୍କୁ ବେଶ ପରିଶ୍ରମ କରିବାକୁ ପଡିଛି ।ରାତିରେ ୨ରୁ ୩ ଘଣ୍ଟା ସମୟ ଦେବାକୁ ପଡୁଥିଲା । ଏହି ସାଇକେଲ କମ୍‌ ବାଇକ ପାଇଁ  ପ୍ରାୟ  ୨୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥିବା କୁହନ୍ତି ଶିବଶଙ୍କର । ସବୁଠୁ ମଜାଦାର କଥା ହେଉଛି ଆମ ଆଖି ଯେମିତି ଦେଖିଲେ ଧୋକା ଖାଇ ଯାଉଛି ସାଇକେଲ ନା ବାଇକ ଦ୍ବନ୍ଦରେ ପଡୁଛି । ଟ୍ରାଫିକ ପୋଲିସର ମଧ୍ୟ ସମାନ ଅବସ୍ଥା । ଅନେକ ଥର ହେଲମେଟ ଚେକିଂ ବେଳେ ପୋଲିସ ଅଟକାଇଛି । ଆଉ  ପ୍ରକୃତ କଥା ଜାଣିବା ପରେ ଛାଡି ଦେଇଛି । ଶିବଶଙ୍କର କୁହନ୍ତି ମୋ ପାଇଁ ସବୁଠୁ ଖୁସିର କଥା ହେଉଛି ସାଇକେଲ ବାଇକକୁ ନେଇ ମୋ ପୁଅ ବେଶ ଖୁସି । ସ୍ବାମୀଙ୍କ ଏପରି ସାଇକେଲ ବାଇକକୁ ପ୍ରଥମେ ନାପସନ୍ଦ କରିବା ସହ ବିରକ୍ତି ଭାବ ପ୍ରକାଶ କରୁଥିଲେ । ହେଲେ ଧିରେ ଧିରେ ଲୋକଙ୍କ ପ୍ରଶଂସା ଶୁଣି ତାଙ୍କ ମନ ବି ବଦଳିଗଲା ।ଶିବଶଙ୍କରଙ୍କ ସାଇକେଲ ବାଇକ ଚଢିବାର ଫାଇଦା ହେଉଛି ତେଲ ପଇସା ବଞ୍ଚୁବା ସହ ଶାରିରୀକ ପରିଶ୍ରମ ହେଉଛି । ଏପରି ନୂଆ ଜିନିଷ ଦେଖିବାକୁ ଲୋକଙ୍କ ଭିଡ ବି ଲାଗୁଛି । ସାଇକେଲ ବାଇକ ପରେ ଆଗକୁ ସାଇକେଲ ବୁଲେଟ୍‌ ତିଆରି କରିବାକୁ ଯୋଜନା ରଖିଛନ୍ତି ଶିବଶଙ୍କର । 

 

  • cuttack
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.