LIVE TV

କେଉଁଠି ଅଛନ୍ତି ଇମ୍ରାନ ଖାନ ? ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଭଉଣୀମାନଙ୍କୁ ମାଡ଼ ମାରିଲା ପୋଲିସ, ତଦନ୍ତ ଦାବିରେ ପ୍ରତିବାଦ ଜୋର

NEWS7
crpf-jawan-sacked-for-hiding-marriage-to-pakistani-woman-aiding-visa-overstay

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜୀବିତ ତ ? ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ଥିବା ନେଇ ଖବର ଆସିବା ପରେ ଏବେ ଏଭଳି ଚର୍ଚ୍ଚା ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଗତ ସପ୍ତାହରେ ଇମ୍ରାନଙ୍କ ୩ ଭଉଣୀ ତାଙ୍କୁ ଦେଖା କରିବାକୁ ଦାବି କରିବାରୁ ପୋଲିସ ସେମାନଙ୍କୁ ମାଡ଼ ମାରିଥିଲା । ଏହା ପରେ ଇମ୍ରାନଙ୍କ ରହସ୍ୟମୟ ମୃତ୍ୟୁ ହୋଇଥିବା ନେଇ ଏକ ପ୍ରକାର ପ୍ରଚାର ଆରମ୍ଭ ହୋଇଯାଇଛି । କିନ୍ତୁ ଏଥିରେ ସତ୍ୟତା ଅଛି କି ନାହିଁ, ତାହା ସ୍ପଷ୍ଟ ହୋଇ ପାରିନାହିଁ ।

ଆଫଗାନିସ୍ତାନ ଏବଂ ପାକିସ୍ତାନର ବିଭିନ୍ନ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଆଦିଆଲା ଜେଲ୍ରେ ଇମ୍ରାନ୍ଙ୍କ ମୃତ୍ୟୁ ହୋଇଥିବା ନେଇ ପ୍ରଚାର କରୁଛନ୍ତି । ପାକିସ୍ତାନ ତେହରିକ-ଏ ଇନସାଫର ଜଣେ ସଦସ୍ୟ କହିଛନ୍ତି, ଇମ୍ରାନଙ୍କ ଭଉଣୀମାନେ ନୋରିନୀ ନିଆଜୀ, ଆଲୀମା ଖାନ ଏବଂ ଡ. ଉଜମା ଖାନ ଆଦିଆଲା ଜେଲ୍ରେ ନିଜ ଭାଇ ଇମ୍ରାନ ଖାନଙ୍କୁ ସାକ୍ଷାତ କରିବାକୁ ଦାବି କରିଥିଲେ । ଏହି ସମୟରେ ସେମାନଙ୍କୁ ପୋଲିସ ଦୁର୍ବ୍ୟବହାର କରିଥିଲା। ଏହା ବିରୋଧରେ ସେମାନେ ଜେଲ୍ ସାମ୍ନାରେ ପ୍ରତିବାଦ କରିଥିଲେ ।

ନୋରିନୀ ନିଆଜୀ କହିଛନ୍ତି, ‘ଆମେ ଇମ୍ରାନଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଶାନ୍ତିପୂର୍ଣ୍ଣ ଉପାୟରେ ପ୍ରତିବାଦ କରିଥିଲୁ । ଆମେ ରାସ୍ତା ଜାମ୍ କରିନଥିଲୁ କି ଲୋକଙ୍କ ଯାତାୟତରେ ବାଧା ଦେଇନଥିଲୁ । କିନ୍ତୁ କୌଣସି ଚେତାବନୀ ବିନା ସେହି ସ୍ଥାନର ଆଲୋକ ବନ୍ଦ କରିଦିଆଗଲା । ଅନ୍ଧକାରରେ ଆମକୁ ପଞ୍ଜାବ ପୋଲିସ ଦୁର୍ବ୍ୟବହାର କରିବା ସହ ଆମକୁ ମାଡ଼ ମାରିଥିଲା । ମୋତେ ୭୧ ବର୍ଷ ବୟସ । କିନ୍ତୁ ପୋଲିସ ଏହାକୁ ଖାତିର ନକରି ମୋ ଚୁଟି ଘୋଷାରି ଥିଲା ଏବଂ ରାସ୍ତା ଉପରେ ଟାଣି ଟାଣି ନେଇଥିଲା ।’ ସେହିଭଳି ଜେଲ୍ ବାହାରେ ପ୍ରତିବାଦ କରୁଥିବା ଅନ୍ୟ ମହିଳାଙ୍କୁ ପଞ୍ଜାବ ପୋଲିସ ମାଡ଼ ମାରିଥିବା ନେଇ ନୋରିନୀ ଅଭିଯୋଗ କରିଛନ୍ତି ।

ପୋଲିସର ଏଭଳି ଆଚରଣ ବେଆଇନ୍ ଏବଂ ନାଗରିକ ଅଧିକାରର ଉଲ୍ଲଂଘନ । ଦୀର୍ଘ ୩ ବର୍ଷ ଧରି ପୋଲିସ ସାଧାରଣ ଲୋକଙ୍କ ଉପରେ ଏଭଳି ଅତ୍ୟାଚାର କରିଆସିଛି । ଏଭଳି ଆଚରଣ ଏକ ଗଣତାନ୍ତ୍ରିକ ସମାଜ ଲାଗି ବିପଦ ବୋଲି କହିଛନ୍ତି ଇମ୍ରାନଙ୍କ ଭଉଣୀ ନୋରିନୀ ନିଆଜୀ ।

ଇମ୍ରାନଙ୍କୁ ସାକ୍ଷାତ କରିବା ଉପରେ ସରକାର ବ୍ୟାନ୍ ଲଗାଇବା ପରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ବିଭିନ୍ନ ମାମଲାରେ ୨୦୨୩ ଅଗଷ୍ଟରୁ ଜେଲ୍ରେ ବନ୍ଦୀ ଅଛନ୍ତି ଇମ୍ରାନ ଖାନ । କିନ୍ତୁ ତାଙ୍କ ସହ ସାକ୍ଷାତ ଉପରେ କାହିଁକି ପ୍ରତିବନ୍ଧକ ଲାଗିଛି ତାର କାରଣ ଅସ୍ପଷ୍ଟ । ଇମ୍ରାନଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନଥିବା ନେଇ ତାଙ୍କ ଦଳ ଦାବି କରିଆସିଛି । ଏଭଳି ସ୍ଥିତିରେ ଇମ୍ରାନଙ୍କୁ ଶେହବାଜ ସରକାର ମାରି ଦେଇଥିବା ନେଇ ମଧ୍ୟ ସୋସିଆଲ ମିଡିଆରେ ଖବର ପ୍ରଚାର କରାଯାଉଛି । ନିକଟରେ ଖାଇବର ପଖତନୁଖ୍ବାର ମୁଖ୍ୟମନ୍ତ୍ରୀ ଶୋହେଲ ଆଫ୍ରିଦିଙ୍କୁ ଇମ୍ରାନଙ୍କ ସହ ସାକ୍ଷାତ କରିବାକୁ ଅନୁମତି ମିଳିନଥିଲା। ୭ ଥର ଚେଷ୍ଟା କରି ମଧ୍ୟ ସେ ବିଫଳ ହୋଇଥିଲେ ।