ନୂଆଦିଲ୍ଲୀ: ବିହାରରେ ବଢୁଥିବା ଅପରାଧ ଘଟଣା ଉପରେ ବିହାର ପୋଲିସ ଏଡିଜି ହେଡକ୍ୱାର୍ଟର କୁନ୍ଦନ କୃଷ୍ଣନ ଅତ୍ୟନ୍ତ ଦାୟିତ୍ୱହୀନ ବୟାନ ଦେଇଛନ୍ତି । ପାଟନାର ପାରସ ହସ୍ପିଟାଲରେ ବିଚାରଧୀନ କଏଦୀ ଚନ୍ଦନ ମିଶ୍ରାକୁ ଗୁଳି କରି ହତ୍ୟା କରାଯାଇଛି । କୁନ୍ଦନ କୃଷ୍ଣନଙ୍କୁ ଏହା ଉପରେ ପ୍ରଶ୍ନ କରାଯାଇଥିଲା, ଯାହାର ଜବାବରେ ସେ କହିଥିଲେ ଯେ ଯେତେବେଳେ ଚାଷୀଙ୍କ ପାଖରେ ମେ-ଜୁନରେ କିଛି କାମ ନଥାଏ, ସେତେବେଳେ ଅପରାଧ ବଢିଥାଏ ।
ଆଇପିଏସ୍ କୁନ୍ଦନ କୃଷ୍ଣନ କହିଥିଲେ, 'ଗତ କିଛି ଦିନରେ ଅନେକ ହତ୍ୟା ହୋଇଛି । ଏପ୍ରିଲ୍, ମେ-ଜୁନ୍ ମାସରେ ବର୍ଷର ଅନ୍ୟ ସମୟ ତୁଳନାରେ ଅଧିକ ହତ୍ୟା ହୋଇଥାଏ । ବର୍ଷା ହେବା ଯାଏ ଏହିପରି ଧାରା ଜାରି ରହିଥାଏ । କାରଣ ଅଧିକାଂଶ ଚାଷୀଙ୍କ ପାଇଁ କୌଣସି କାମ ନଥାଏ । ବର୍ଷା ପରେ ଚାଷୀ ସମାଜର ଲୋକ ବ୍ୟସ୍ତ ହୋଇଯାଆନ୍ତି ।'
ସେ ଆହୁରି କହିଥିଲେ, 'ଚଳିତ ବର୍ଷ ନିର୍ବାଚନ ଅଛି । ସାମ୍ୱଦିକ ବି ହତ୍ୟା ପରେ ହତ୍ୟା ଖବର ପ୍ରକାଶ କରୁଛନ୍ତି । ରାଜନୈତିକ ଦଳଗୁଡ଼ିକୁ ପକ୍ଷରୁ ବି ହତ୍ୟାକାଣ୍ଡକୁ ନେଇ ଭିନ୍ନ ଦୃଷ୍ଟିକୋଣ ଦିଆଯାଉଛି । ଏହାକୁ ନେଇ ଆମେ ସମସ୍ତେ ଚିନ୍ତିତ ଅଛୁ । ଯୁବ ପିଢି ଟଙ୍କା ନେଇ ସୁପାରୀ କିଲିଂ କରୁଛନ୍ତି ।'
ବିହାର ପୋଲିସ ଏଡିଜିଙ୍କ ବୟାନ ଉପରେ ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କ ପ୍ରତିକ୍ରିୟା ଆସିଛି । ସେ କହିଛନ୍ତି, 'ବିହାରରେ ଅପରାଧୀଙ୍କ ଉପରେ ଲଗାମ ନାହିଁ । ଅନ୍ୟପଟେ ଏତେ ବଡ଼ ପୋଲିସ ଅଧିକାରୀଙ୍କ ଏହିପରି ବୟାନ, ସେମାନଙ୍କ ବିଫଳତାକୁ ଦର୍ଶାଉଛି । ବିହାର ପୋଲିସ ଯଦି ଅପରାଧ ବନ୍ଦ କରିପାରୁ ନାହିଁ, ତେବେ ସେମାନଙ୍କୁ ଛୁଟିରେ ପଠାଯିବା ଦରକାର ।'
ସେପଟେ ବିହାର ଉପମୁଖ୍ୟମନ୍ତ୍ରୀ ଓ ବିଜେପି ନେତା ବିଜୟ ସିହ୍ନା ବରିଷ୍ଠ ଆଇପିଏସ୍ଙ୍କ ବୟାନ ଉପରେ ପ୍ରତିକ୍ରିୟା ଦେଇଛନ୍ତି । ସେ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ ଚାଷୀ ଅପରାଧୀ ନୁହନ୍ତି । ସେମାନେ ଆମର ଅନ୍ନଦାତା, ଯେଉଁମାନେ ନିଜ ପରିଶ୍ରମ କେବଳ ନିଜର ନୁହେଁ, ବରଂ ସାରା ଦେଶକୁ ଖାଦ୍ୟ ଯୋଗାଇଥାନ୍ତି । ଉପମୁଖ୍ୟମନ୍ତ୍ରୀ କହିଛନ୍ତି, 'ଚାଷୀ ଅପରାଧ କରନ୍ତି ନାହିଁ, ବରଂ ଯେଉଁମାନେ ମାଗଣା ଖାଆନ୍ତି ଓ ଖୁଆନ୍ତି, ସେମାନେ ଅପରାଧ ଘଟାନ୍ତି । ଏଡିଜିଙ୍କ ବୟାନ ଆଦୌ ଠିକ୍ ନୁହେଁ । ଚାଷୀଙ୍କ ଅପରାଧ ସହ କୌଣସି ସମ୍ପର୍କ ନାହିଁ ।'